ଥରେ ନୁହେଁ, ବାରମ୍ବାର କେତନଙ୍କୁ ମାରିବାକୁ ଚେଷ୍ଟା କରିଥିଲେ ସିୟା
ମହାରାଷ୍ଟ୍ରର ପୁଣେ ନିକଟସ୍ଥ ଲୋହଗଡ଼ ଦୁର୍ଗରେ ଘଟିଥିବା ୨୬ ବର୍ଷୀୟ ବ୍ୟବସାୟୀ କେତନ ଅଗ୍ରୱାଲଙ୍କ ମୃତ୍ୟୁ ଘଟଣା ପ୍ରଥମେ ଏକ ଦୁର୍ଘଟଣା ବୋଲି ଧରାଯାଇଥିଲା। କିନ୍ତୁ ପୁଲିସ ତଦନ୍ତରେ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଜଣାପଡ଼ିଛି। ତେବେ ଭୀଷଣ ଗରମ ସତ୍ତ୍ବେ ମୁଣ୍ଡ ଘୋଡ଼ାଉଥିବା ଜ୍ୟାକେଟ୍ (ହୁଡ଼ି) ପିନ୍ଧା ଘଟଣାରୁ ହତ୍ୟାର ସୁରାକ ମିଳିଥିବା ଜଣାପଡ଼ିଛି।
ସୂଚନା ଅନୁସାରେ, ଏହା ପୂର୍ବରୁ ସିୟା ଏକାଧିକ ବାର କେତନଙ୍କୁ ହତ୍ୟା କରିବାକୁ ଚେଷ୍ଟା କରିଛନ୍ତି। ସେ ତାଙ୍କୁ ବାରମ୍ବାର ବିଭିନ୍ନ କାରଣରେ ଲୋହଗଡ଼ ଯିବାକୁ ପ୍ରବର୍ତ୍ତାଇଛନ୍ତି। ୩୧ରେ ସେ ପ୍ରଥମେ କେତନଙ୍କୁ ସେଠାରେ ଏକ ଖାଇକୁ ଠେଲି ଦେବାକୁ ଚେଷ୍ଟା କରିଥିଲେ। କେତନ ଗଛ ଡାଳ ଧରି ବଞ୍ଚିଯାଇଥିଲେ। ସେତେବେଳେ ସିୟା ସାପ ଦେଖି ତାଙ୍କୁ ବଞ୍ଚାଇବାକୁ ଏପରି କରିଥିବା କହିଥିଲେ।
ଜୁନ୍ ୪ରେ ଆଉ ଏକ ଯୋଜନା କେତନଙ୍କ ମା’ଙ୍କ ଅନୁମତି ନ ମିଳିବାରୁ ବିଫଳ ହୋଇଥିଲା। ଜୁନ୍ ୧୪ରେ ମଧ୍ୟ ଚେଷ୍ଟା ହୋଇଥିଲା, କିନ୍ତୁ ଅଧିକ ଭିଡ଼ ଥିବାରୁ ସଫଳ ହୋଇପାରି ନ ଥିଲା। ତା’ପରେ ଏକ ପ୍ରାକ୍-ବିବାହ ଫଟୋ-ସୁଟ୍ ବାହାନାରେ ବାଲି ନେଇ ହତ୍ୟଶ କରିବାକୁ ଯୋଜନା କରିଥିଲେ। କିନ୍ତୁ କେତନଙ୍କ ପାସପୋର୍ଟ ହଜିଯିବାରୁ ବାଲି ଯିବା ସମ୍ଭବ ହୋଇ ନ ଥିଲା।
ଶେଷରେ ଜୁନ୍ ୧୮ରେ ଯୋଜନା ସଫଳ ହୋଇଥିଲା। ଜୁନ୍ ୧୮ ତାରିଖରେ ଟ୍ରେକିଂ କରୁଥିବା ବେଳେ ସେ ପାହାଡ଼ରୁ ଖସି ପଡ଼ିଥିବା ତାଙ୍କ ସିୟା ଗୋୟଲ ପରିବାରକୁ କହିଥିଲେ। ତଦନ୍ତ ସମୟରେ ଦୁର୍ଗର ଟିକେଟ୍ କାଉଣ୍ଟର ନିକଟରେ ଥିବା ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଇଥିଲା। ସେଥିରେ କେତନ ଓ ସିୟାଙ୍କ ପଛରେ ଆଉ ଜଣେ ଯୁବକ ଚାଲୁଥିବା ଦେଖାଯାଇଥିଲା। ଆଶ୍ଚର୍ଯ୍ୟର କଥା, ଉକ୍ତ ଯୁବକ ୩୩ ଡିଗ୍ରି ସେଲସିୟସ୍ ଗରମରେ ମଧ୍ୟ ହୁଡି ପିନ୍ଧିଥିଲେ । ଏହି ଅସ୍ୱାଭାବିକ ଦୃଶ୍ୟ ପୁଲିସର ସନ୍ଦେହ ବଢ଼ାଇଥିଲା। ପରେ ସେ ସିୟାଙ୍କ ପ୍ରେମିକ ଚେତନ ଚୌଧୁରୀ ବୋଲି ଜଣାପଡ଼ିଥିଲା।
ମୋବାଇଲ୍ କଲ୍ ରେକର୍ଡ ଯାଞ୍ଚରେ ସିୟା ଓ ଚେତନଙ୍କ ମଧ୍ୟରେ ହଜାର ହଜାର ଥର ଫୋନ୍ରେ କଥାବାର୍ତ୍ତା ହୋଇଥିବା ପ୍ରମାଣ ମିଳିଥିଲା। ଡିଜିଟାଲ୍ ତଥ୍ୟ, ସିସିଟିଭି ଫୁଟେଜ୍ ଓ ଅନ୍ୟାନ୍ୟ ସାକ୍ଷ୍ୟ ଆଧାରରେ ପୁଲିସ ଉଭୟଙ୍କୁ ଗିରଫ କରି ହତ୍ୟା ଓ ଷଡ଼୍ଯନ୍ତ୍ର ମାମଲା ରୁଜୁ କରିଛି। ପ୍ରେମ ସମ୍ପର୍କ ଓ କେତନଙ୍କୁ ରାସ୍ତାରୁ ହଟାଇବାର ଇଚ୍ଛା ଏହି ହତ୍ୟାର ମୁଖ୍ୟ କାରଣ ବୋଲି ପୁଲିସ ମନେ କରୁଛି।
Powered by Froala Editor