ମହାନଦୀ ଜଳ ବିବାଦ ଟ୍ରାଇବୁନାଲଙ୍କ ଓଡ଼ିଶା ଗସ୍ତରେ ଖର୍ଚ୍ଚ ହୋଇଛି ୨ କୋଟି ୪୧ ଲକ୍ଷ ଟଙ୍କା
ସମ୍ବଲପୁର: ମହାନଦୀ ଜଳ ବିବାଦ ଟ୍ରାଇବୁନାଲ୍ ଗତ ଫେବୃଆରୀ ୨୬ରୁ ମାର୍ଚ୍ଚ ୨ ତାରିଖ ମଧ୍ୟରେ ଓଡ଼ିଶା ଗସ୍ତରେ ଆସିଥିଲେ। ତେବେ ଏହି ଗସ୍ତକାଳରେ ରାଜ୍ୟ ରାଜକୋଷରୁ ପ୍ରାୟ ୨ କୋଟି ୪୧ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବାକୁ ନେଇ ଝଡ଼ ସୃଷ୍ଟି ହୋଇଛି। ଗସ୍ତ ସମୟରେ ସରକାରୀ ଅତିଥି ଗୃହର ବ୍ୟବହାର ବଦଳରେ ଝାରସୁଗୁଡ଼ାର ଏକ ମହଙ୍ଗା ହୋଟେଲରେ ରହିଥିଲେ। ଟ୍ରାଇବୁନାଲ ସଦସ୍ୟଙ୍କ ଏଠାରେ ଦୁଇଦିନ ରହଣି ପାଇଁ ୫୪ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। ଏପରିକି ଏକ ଇଭେଣ୍ଟ ମ୍ୟାନେଜମେଣ୍ଟ ସଂଗଠନକୁ ମଧ୍ୟ ୮୫ ଲକ୍ଷ ଟଙ୍କା ଦିଆଯାଇଥିଲା। ଏଥିସହ ସ୍ଥାନୀୟ ପରିଦର୍ଶନ ପାଇଁ ଏକ ଟ୍ରାଭେଲ୍ ଏଜେନ୍ସିକୁ ମଧ୍ୟ ୫ଲକ୍ଷ ଟଙ୍କା ଦିଆଯାଇଥିବା ଅଭିଯୋଗ ହୋଇଛି। ଆରଟିଆଇ ମାଧ୍ୟମରେ ମିଳିଥିବା ସୂଚନା ଅନୁଯାୟୀ, ଓଡ଼ିଶାର ମହାନଦୀ ଉପର ମୁଣ୍ଡକୁ ଟ୍ରାଇବୁନାଲ ସଦସ୍ୟଙ୍କ ଗସ୍ତ ଲାଗି ୧.୪୫ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ ହୋଇଥିଲା। ସେହିପରି ପୁରୀ, ଚିଲିକା ଓ ଉପକୂଳବର୍ତ୍ତୀ ଅଞ୍ଚଳ ସମେତ ତଳ ଜଳଭଣ୍ଡାର ପରିଦର୍ଶନ ସମୟରେ ଆଉ ୯୫ ଲକ୍ଷ ୫୮ ହଜାର ଟଙ୍କା ଖର୍ଚ୍ଚ ହୋଇଥିଲା।
ମହାନଦୀ ବଞ୍ଚାଓ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସ କହିଛନ୍ତି, ଏକ ସରକାରୀ ପରିଦର୍ଶନ ପାଇଁ କାହିଁକି ଏକ ଇଭେଣ୍ଟ ମ୍ୟାନେଜମେଣ୍ଟ ଫାର୍ମକୁ ନିଯୁକ୍ତି ଦିଆଯାଇଥିଲା ବୋଲି ପ୍ରଶ୍ନ କରିଛନ୍ତି। ଶ୍ରୀ ଦାସ ଅଭିଯୋଗ କରିଛନ୍ତି ଯେ, ୪ ଜଣ ଟ୍ରାଇବୁନାଲ ସଦସ୍ୟ ନିଜ ପରିବାର ସହ ଆସିଥିଲେ, ଯାହା ସରକାରୀ ଗସ୍ତକୁ ଏକ ପାରିବାରିକ ପର୍ଯ୍ୟଟନରେ ପରିଣତ କରିଥିଲା। ଶ୍ରୀ ଦାସ ଏହାକୁ ‘ସାର୍ବଜନୀନ ଟଙ୍କାର ଅପଚୟ’ କହିବା ସହ ଏହାର ସିଏଜି ଅଡିଟ ଦାବି କରିଛନ୍ତି।
Powered by Froala Editor