୨୦ ରେ ରାଇରଙ୍ଗପୁରରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ବିଶାଳ ଜନସଭା
ରାଇରଙ୍ଗପୁର: ଓଡ଼ିଶାରେ ବିଜେପି ନେତୃତ୍ବାଧୀନ ଡବଲ ଇଞ୍ଜିନ ସରକାରର ଦୁଇବର୍ଷ ପୂର୍ତ୍ତ ଉତ୍ସବ ଆଗାମୀ ଜୁନ ୨୦ ତାରିଖ ମୟୂରଭଞ୍ଜ ଜିଲାର ରାଇରଙ୍ଗପୁରରେ ପାଳିତ ହେବ। ଏହି ଅବସରରେ ରାଇରଙ୍ଗପୁର ମାଟିର ଝିଅ ତଥା ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗରିମାମୟ ଉପସ୍ଥିତିରେ ବିଶାଳ ଜନସଭା ହେବ। ପ୍ରଧାନମନ୍ତ୍ରୀଙ୍କ କରକମଳରେ ଉଦ୍ଘାଟିତ ହେବ ଚାରି ପ୍ରକଳ୍ପ ଓ ଶିଳାନ୍ୟାସ ହେବ ଦୁଇ ପ୍ରକଳ୍ପ। ଏହି ଐତିହାସିକ କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରିମଣ୍ଡଳର ସଦସ୍ୟ, ଓଡ଼ିଶାର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଦୁଇ ଉପମୁଖ୍ୟମନ୍ତ୍ରୀ ଓ କ୍ୟାବିନେଟର ମନ୍ତ୍ରୀଗଣ, ସାଂସଦ, ବିଧାୟକ, ଦଳୀୟ ପଦାଧିକାରୀ ଉପସ୍ଥିତ ରହିବେ।
ଏହି ଅବସରରେ ସ୍ପୋର୍ଟ୍ସ କମ୍ପ୍ଲେକ୍ସ, ଆଦିବାସୀ ଗବେଷଣା ଓ ଉନ୍ନୟନ କେନ୍ଦ୍ର, ସ୍ବତନ୍ତ୍ର ପ୍ରଦକ୍ଷିଣ ଗୃହ ଓ ରାଇରଙ୍ଗପୁର ପୁଲିସ ଜିଲା ଉଦ୍ଘାଟନ ହେବାର କାର୍ଯ୍ୟକ୍ରମ ରହିଛି। ଏହା ବ୍ୟତୀତ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ କରକମଳରେ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ଫରେଷ୍ଟ ମ୍ୟାନେଜମେଣ୍ଟ, ଅନ୍ତର୍ଜାତୀୟ ମାନର ବ୍ୟାଡ଼ମିଣ୍ଟନ କମ୍ପ୍ଲେକ୍ସର ଶିଳାନ୍ୟାସ ଦିଆଯିବ। ଏଥିପାଇଁ ପ୍ରଶାସନ, ପୁଲିସ, ବିଭିନ୍ନ ବିଭାଗୀୟ ସ୍ତରରେ ବ୍ୟାପକ ପ୍ରସ୍ତୁତି ଚାଲିଛି। ଦାଣ୍ଡବୋଷ ବିମାନ ବନ୍ଦରରେ ହେଲିପ୍ୟାଡ୍ ଓ ଜନସଭା ମଞ୍ଚ, ଲୋକଙ୍କ ବସିବା ପାଇଁ ହ୍ୟାଙ୍ଗର ନିର୍ମାଣ ତଥା ଆନୁଷଙ୍ଗିକ କାମ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି।
Powered by Froala Editor