୬ଟି ବିଭାଗର ୮ଟି ପ୍ରସ୍ତାବ ଉପରେ ରାଜ୍ୟ କ୍ୟାବିନେଟର ମୋହର
ଭୁବନେଶ୍ବର: ରାଜ୍ୟରେ ବନ୍ଦ ଥିବା ସମବାୟ ସୂତାକଳ, କଳତନ୍ତ ୟୁନିଟ୍ ଗୁଡ଼ିକର ବକେୟା ଦେୟ ପାଇଁ ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି ନେଇଛନ୍ତି। ଏହା ଦ୍ବାରା ଉକ୍ତ ୟୁନିଟ୍ ଗୁଡ଼ିକର ଜମିକୁ ନୂତନ ରୋଜଗାର ଭିତ୍ତିକ ଶିଳ୍ପ ପାଇଁ ଉପଲବ୍ଧ କରାଯିବ। ସେହିପରି ବାରମ୍ବାର କହିବା ପରେ ମଧ୍ୟ ସମ୍ପତ୍ତି ତାଲିକା ଦେଉନଥିବା ସରକାରୀ କର୍ମଚାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଶୁକ୍ରବାର ଓଡ଼ିଶାରେ ବିଜେପି ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟ କ୍ୟାବିନେଟ୍ ୬ଟି ବିଭାଗର ୮ଟି ପ୍ରସ୍ତାବ ଉପରେ ମୋହର ଲଗାଇଛନ୍ତି। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ୨ଟି, ନଗର ଉନ୍ନୟନ ବିଭାଗ, ପଞ୍ଚାୟତିରାଜ ବିଭାଗ, ସାଧାରଣ ପ୍ରଶାସନ, ଆଇନ ବିଭାଗର ଗୋଟିଏ ଲେଖାଏଁ ପ୍ରସ୍ତାବ ଏବଂ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ୨ଟି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି।
ସୂଚନା ଅନୁସାରେ, ଓଡ଼ିଶା ରାଜ୍ୟ ସମବାୟ ସ୍ପିନିଂ ମିଲ୍ ଫେଡେରେସନ୍ ଲି. ଅଧୀନରେ ପରିଚାଳିତ ଓ ଓଡ଼ିଶା ସମବାୟ ସମିତି ଆଇନରେ ପଞ୍ଜିକୃତ ୟୁନିଟ୍ ଗୁଡ଼ିକ ଆର୍ଥିକ ସଙ୍କଟ, ପୁରୁଣା ଓ ଅଚଳ ଯନ୍ତ୍ରପାତି ଏବଂ ବିଭିନ୍ନ ସମସ୍ୟା ପାଇଁ ବନ୍ଦ ହୋଇଯାଇଛି। ଏଗୁଡ଼ିକର ପୁନରୁଦ୍ଧାର ସମ୍ଭବ ନଥିବାରୁ ସେଠାକାର ସମ୍ପତ୍ତି ଗୁଡ଼ିକୁ ନୂତନ ଶିଳ୍ପ (ବିଶେଷ କରି ପୋଷାକ ଓ ବୟନ ଶିଳ୍ପ) ପ୍ରତିଷ୍ଠା ଏବଂ ପୁଞ୍ଜିନିବେଶ ପାଇଁ ଉପଯୋଗ କରାଯିବ। ଏହି ପ୍ରକ୍ରିୟା ପାଇଁ ସରକାର ଏକ କ୍ଷମତାସମ୍ପନ୍ନ କମିଟି ଗଠନ କରିଥିଲେ, ଯାହା ବକେୟା ଦେୟ ପରିମାଣ ୩୬୧ କୋଟି ୬୭ ଲକ୍ଷ ବୋଲି ଦର୍ଶାଇଥିଲା। ଏଥିରୁ ପ୍ରଥମେ ୨୦୦ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହି ପାଣ୍ଠିରେ ଋଣଦାତାଙ୍କ କରଜ ପରିେଶାଧ କରାଯିବ। ଅନ୍ୟ ଏକ ନିଷ୍ପତ୍ତିକ୍ରମେ ପ୍ରତିବର୍ଷ ଜାନୁଆରୀ ୩୧ ସୁଦ୍ଧା ସମ୍ପତ୍ତି ତାଲିକା ଦେବା ସମସ୍ତ ସରକାରୀ କର୍ମଚାରୀଙ୍କ ପାଇଁ ବାଧ୍ୟତାମୂଳକ କରାଯାଇଛି। ହେଲେ ବହୁ ସଂଖ୍ୟକ କର୍ମଚାରୀ ଏହି ନିୟମକୁ ମାନୁ ନାହାନ୍ତି। ସେଥିପାଇଁ ବାରମ୍ବାର ଦାଖଲ ଅବଧି ବୃଦ୍ଧି କରିବାକୁ ପଡ଼ୁଛି। କିନ୍ତୁ ଏଣିକି ସମ୍ପତ୍ତି ତାଲିକା ନ ଦେଲେ କିମ୍ବା ମିଥ୍ୟା ତଥ୍ୟ ଦେଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିବ। ବିଭିଜି ରାମଜୀ (ଗ୍ରାମୀଣ) ଯୋଜନାକୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁରି ପ୍ରଦାନ କରିଛନ୍ତି। ଏହାଦ୍ବାରା ପ୍ରତ୍ୟେକ ଗ୍ରାମୀଣ ପରିବାରକୁ ବାର୍ଷିକ ଅନ୍ୟୁନ ୧୨୫ ଦିନ କର୍ମ ନିୟୋଜନ ମିଳିବ। ସେହିପରି ପିଏମ୍ ସ୍ବ-ନିଧି ଯୋଜନା ଅଧୀନରେ ସମ୍ପାଦିତ ହେଉଥିବା ବନ୍ଧକ ଚୁକ୍ତିନାମା ଉପରେ ଷ୍ଟାମ୍ପ୍ ଡ୍ୟୁଟି ଛାଡ଼ ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ଯୋଜନାରେ ଉଠା ଦୋକାନୀଙ୍କୁ ତିନିଟି କିସ୍ତିରେ ଯଥାକ୍ରମେ ୧୫ ହଜାର, ୨୫ ହଜାର ଓ ୫୦ ହଜାର ଟଙ୍କାର ଋଣ ପ୍ରଦାନ କରାଯାଉଛି। ଅପରପକ୍ଷେ ଓଡ଼ିଶାର ବିଭିନ୍ନ ସ୍ଥାନର ବିକୃତ ଇଂରାଜୀ ବନାନର ସଂଶୋଧନ ଓ ପ୍ରକୃତ ଓଡ଼ିଆ ନାମର ପୁନରୁଦ୍ଧାର ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି।ଏଥିସହ ସର୍ଭେ ଅଫ୍ ଇଣ୍ଡିଆ, ରେଳପଥ, ଡାକ ବିଭାଗ, ରେଜିଷ୍ଟ୍ରାର ଜେନେରାଲ, ଜନଗଣନା କମିସନର ତଥା ସମସ୍ତ କେନ୍ଦ୍ରୀୟ ସଂସ୍ଥା ପକ୍ଷରୁ ରେକର୍ଡରେ ତ୍ରୁଟିପୂର୍ଣ୍ଣ ବନାନ ସଂଶୋଧନ କରାଯିବ। ଅନ୍ୟ ଏକ ନିଷ୍ପତ୍ତିକ୍ରମେ ଓଡ଼ିଶା ରାଜ୍ୟ ବିଧି ଆୟୋଗର ଅଣ ସରକାରୀ ପୂର୍ଣ୍ଣକାଳୀନ ସଦସ୍ୟଙ୍କ ପାରିତୋଷିକ ୭୫ ହଜାର ଟଙ୍କାରୁ ୧.୨୦ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ଅପରପକ୍ଷେ ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)ର ଟାଉନ୍ ପ୍ଲାନିଂ ସ୍କିମ୍ (୧,୨,୩)ରେ ଭୂତଳ େସ୍ବରେଜ ବ୍ୟବସ୍ଥା ପାଇଁ ୧୭୫ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଓଡ଼ିଶା ହସ୍ତଶିଳ୍ପ ଅମଲା ସେବା ନିୟମାବଳୀ ୨୦୨୬ ପ୍ରଣୟନ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରି ମିଳିଛି।
Powered by Froala Editor