ନିଟ୍-ୟୁଜି ପ୍ରଶ୍ନପତ୍ର ଲିକ୍ ଓ ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ମୂଲ୍ୟାଙ୍କନ ତ୍ରୁଟିକୁ ନେଇ କଡା ପ୍ରତିକ୍ରିୟା ରଖିଲେ ଧର୍ମେନ୍ଦ୍ର
ନୂଆଦିଲ୍ଲୀ: ନିଟ୍-ୟୁଜି ୨୦୨୬ ପ୍ରଶ୍ନପତ୍ର ଲିକ୍ ଏବଂ ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ମୂଲ୍ୟାଙ୍କନ ତ୍ରୁଟିକୁ ନେଇ ଦେଖାଦେଇଥିବା ବିବାଦ ଉପରେ କଡା ପ୍ରତିକ୍ରିୟା ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶିକ୍ଷାମନ୍ତ୍ରୀ କହିଛନ୍ତି ଯେ ଏହି ପରୀକ୍ଷାଗୁଡ଼ିକରେ ହୋଇଥିବା ଅନିୟମିତତା ପାଇଁ ଦାୟୀ କୌଣସି ବି ବ୍ୟକ୍ତିଙ୍କୁ ଛଡ଼ାଯିବ ନାହିଁ। ଏହି ସମଗ୍ର ଘଟଣାର ଦାୟିତ୍ୱ ସେ ନିଜ ମୁଣ୍ଡକୁ ନେବା ସହ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ଆଶ୍ୱାସନା ଦେଇଛନ୍ତି। ଚଳିତ ବର୍ଷ ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ପାଇଁ ପ୍ରଥମ ଥର ଡିଜିଟାଲ୍ ମୂଲ୍ୟାଙ୍କନ (ଅନ୍ ସ୍କ୍ରିନ ମାର୍କିଂ-ଓଏସ୍ଏମ୍) ବ୍ୟବସ୍ଥା ଆରମ୍ଭ କରାଯାଇଥିଲା। ପ୍ରାୟ ୧୭ ଲକ୍ଷ ଛାତ୍ରଛାତ୍ରୀଙ୍କର ୯୮ ଲକ୍ଷ ଖାତା (୪୦ କୋଟି ପୃଷ୍ଠା) ର ଡିଜିଟାଲ୍ ଯାଞ୍ଚ ହୋଇଥିଲା। ଏଥିରେ ସ୍କାନିଂ ଅସ୍ପଷ୍ଟ ହେବା, କିଛି ପ୍ରଶ୍ନ ଚେକ୍ ନହେବା ଏବଂ ପୋର୍ଟାଲ୍ କ୍ରାସ୍ ହେବା ଭଳି ସମସ୍ୟା ଆସିବା ପରେ ମନ୍ତ୍ରୀ କହିଛନ୍ତି ଯେ ସରକାର ଏହି ତ୍ରୁଟିକୁ ସ୍ୱୀକାର କରୁଛନ୍ତି ଏବଂ ପୁନଃ-ମୂଲ୍ୟାଙ୍କନ ପ୍ରକ୍ରିୟା ମାଧ୍ୟମରେ ସମସ୍ତ ସମସ୍ୟାର ସମାଧାନ କରାଯିବ। ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ସେ କୌଣସି ପ୍ରାଇଭେଟ୍ କମ୍ପାନୀ ହୁଅନ୍ତୁ ବା ସିବିଏସ୍ଇର କୌଣସି ଅଧିକାରୀ ହୁଅନ୍ତୁ କିମ୍ବା ସରକାରଙ୍କ ଭିତରେ ଥିବା କୌଣସି ବ୍ୟକ୍ତି ହୁଅନ୍ତୁ; ଯଦି ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଅନିୟମିତତା ପ୍ରମାଣିତ ହୁଏ, ତେବେ ତାଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
Powered by Froala Editor