ହରିୟାଣାର ଜିନ୍ଦ-ସୋନିପତ ସେକ୍ସନରେ ଚାଲିବ ଦେଶର ପ୍ରଥମ ହାଇଡ୍ରୋଜେନ୍ ଟ୍ରେନ୍
ସ୍ବଦେଶୀ ଜ୍ଞାନକୌଶଳରେ ବିକାଶ କରାଯାଇଥିବା ଦେଶର ପ୍ରଥମ ହାଇଡ୍ରୋଜେନ୍ ଟ୍ରେନ୍ ଖୁବ୍ଶୀଘ୍ର ହରିୟାଣାର ଜିନ୍ଦ-ସୋନିପତ ସେକ୍ସନରେ ଚାଲିବ। ଏହି ଟ୍ରେନ୍ରେ ୧୦ଟି ଡବା ଓ ୧୨୦୦ କିଲୋୱାଟ୍ର ଇଞ୍ଜିନ ରହିଛି। ଏହା ଘଣ୍ଟା ପ୍ରତି ୭୫ କିମି ବେଗରେ ଗତି କରିବ। ବର୍ତ୍ତମାନ ଆମେରିକା, ଜର୍ମାନୀ, ଜାପାନ ଓ ଚୀନ ଭଳି କିଛି ହାତଗଣତି ଦେଶରେ ଏଭଳି ଟ୍ରେନ୍ ଚାଲୁଛି।
ଏହି ପଦକ୍ଷେପ ସହିତ, ଜର୍ମାନୀ, ଜାପାନ, ଚୀନ୍ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ପରି ବିଶ୍ବର ମୁଷ୍ଟିମେୟ ଦେଶଙ୍କ କ୍ଲବରେ ସାମିଲ ହୋଇଛି ଭାରତ। ଏହି ପ୍ରଯୁକ୍ତିବିଦ୍ୟା ବର୍ତ୍ତମାନ ଏହାର ପ୍ରାରମ୍ଭିକ ପର୍ଯ୍ୟାୟରେ ଥିବାରୁ, କେବଳ ଅଳ୍ପ କିଛି ଦେଶ ଏବେ ଏପରି ପ୍ରଣାଳୀର ପରିଚାଳନା କିମ୍ବା ପରୀକ୍ଷଣ କରୁଛନ୍ତି।
ଖୁବଶୀଘ୍ର ଭାରତ ସେମାନଙ୍କ କ୍ଲବ୍ରେ ସାମିଲ ହେବାକୁ ଯାଉଛି। ହାଇଡ୍ରୋଜେନ୍ ଫୁଏଲ୍ ସେଲ୍ ପ୍ରଯୁକ୍ତିବିଦ୍ୟା ଉଦ୍ଜାନ ବ୍ୟବହାର କରି ରାସାୟନିକ ପ୍ରତିକ୍ରିୟା ମାଧ୍ୟମରେ ବିଦ୍ୟୁତ୍ ଉତ୍ପାଦନ କରିଥାଏ। ଏହି ପ୍ରକ୍ରିୟାରେ କେବଳ ଜଳୀୟ ବାଷ୍ପ ନିର୍ଗତ ହୁଏ। ତେଣୁ ଏହା ପାରମ୍ପରିକ ଜୀବାଶ୍ମ ଇନ୍ଧନର ଏକ ସ୍ବଚ୍ଛ ବିକଳ୍ପ ହୋଇପାରିବ। ଟ୍ରେନର ନିରବଚ୍ଛିନ୍ନ ଚଳାଚଳ ପାଇଁ ହାଇଡ୍ରୋଜେନ ଗଚ୍ଛିତ ରଖିବା ଲାଗି ଏକ ଭଣ୍ଡାର ବିକାଶ କରାଯାଇଛି। ସେଥିପାଇଁ ସମସ୍ତ ପ୍ରକାର ସୁରକ୍ଷା ପଦକ୍ଷେପ ଗ୍ରହଣ କରାଯାଇଛି। ଯେକୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତିର ମୁକାବିଲା ପାଇଁ ମଧ୍ୟ ପ୍ରସ୍ତୁତି ହୋଇଛି।
Powered by Froala Editor