ଓଡ଼ିଶା-ଆନ୍ଧ୍ର ସୀମାନ୍ତରେ ଖୁବ୍ ଶୀଘ୍ର ନିର୍ମାଣ ହେବ ଚେକ୍ପୋଷ୍ଟ୍
ସେମିଳିଗୁଡ଼ା : ରାଜ୍ୟ ସରକାର କୋଟିଆ ପଞ୍ଚାୟତର ସୁରକ୍ଷା ପାଇଁ ଓଡ଼ିଶା-ଆନ୍ଧ୍ର ସୀମାନ୍ତରେ ନିର୍ମାଣ କରିବେ ୩ଟି ଚେକ୍ପୋଷ୍ଟ। ଏଥିପାଇଁ ଜିଲା ପ୍ରଶାସନ ସର୍ବେକ୍ଷଣ ସହ ସ୍ଥାନ ନିରୂପଣ କରିସାରିଛି। ନେରେଡିବାଲସା ଜଗନ୍ନାଥ ମନ୍ଦିର ସମ୍ମୁଖରେ ଗୋଟିଏ, ଫଗୁଣ ସିନେରୀ ହରମାଣ୍ଡାଙ୍ଗି ଛକରେ ଗୋଟିଏ ଓ ଦେଓମାଳି ପର୍ଯ୍ୟଟନସ୍ଥଳୀ ପାଦଦେଶରେ ଥିବା ମାଥାଲାମ୍ବ ଛକରେ ଗୋଟିଏ, ଏହିପରି ୩ଟି ତନଖି ଫାଟକ ନିର୍ମାଣ କରାଯିବ। ପ୍ରତ୍ୟେକ ତନଖି ଫାଟକ ନିର୍ମାଣ ପାଇଁ ୧୦ ସେଣ୍ଟ ଜମି ଏବଂ ୧୫ ଲକ୍ଷ ଟଙ୍କା ବ୍ୟୟ ଅଟକଳ ହୋଇଛି। ଏହି ପ୍ରସ୍ତାବିତ ଚେକ୍ପୋଷ୍ଟ୍ ନିର୍ମାଣ କାର୍ଯ୍ୟ ଖୁବ୍ ଶୀଘ୍ର ଆରମ୍ଭ ହେବ ବୋଲି ତହସିଲଦାର ଦେବେନ୍ଦ୍ର ବାହାଦୁର ସିଂ ଧାରୁଆ ସୂଚନା ଦେଇଛନ୍ତି। ଇତିମଧ୍ୟରେ ପୁଲିସ ଏବଂ ପ୍ରଶାସନର ମିଳିତ ଉଦ୍ୟମରେ ସ୍ଥାନ ନିରୂପଣ ସହ ପ୍ରସ୍ତାବିତ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ଓ ବ୍ୟୟ ଅଟକଳ ପ୍ରସ୍ତୁତ ହୋଇଛି। ଗୃହ ବିଭାଗ ପକ୍ଷରୁ ଟେଣ୍ଡର ଆହ୍ୱାନ କରାଯାଇ ନିର୍ମାଣ କାର୍ଯ୍ୟ କରାଯିବ ବୋଲି ଜଣାପଡିଛି। କୋଟିଆ ସଦରରେ ୨୦୨୨ ମସିହାରୁ ଥାନା ପ୍ରତିଷ୍ଠା ହୋଇ ଥାନା ଅଧିକାରୀ ସମେତ ପୁଲିସ୍ ଫୋର୍ସ ମୁତୟନ ରହିଛନ୍ତି। ଆଉ ତିନିଟି ଚେକ୍ପୋଷ୍ଟ ନିର୍ମାଣ ହେଲେ କୋଟିଆ ପଞ୍ଚାୟତର ଚତୁଃପାର୍ଶ୍ବରେ ସୁରକ୍ଷା ବ୍ୟବସ୍ଥା କଡାକଡି ହୋଇପାରିବ ବୋଲି କୁହାଯାଇଛି।
ପ୍ରକାଶ ଥାଉ କି କୋଟିଆ ଓଡ଼ିଶାର ଅବିଚ୍ଛେଦ୍ୟ ଅଙ୍ଗ ହୋଇଥିବାବେଳେ ଆନ୍ଧ୍ର ଏହାକୁ ନିଜ ଅକ୍ତିଆରକୁ ନେବାକୁ ଆପ୍ରାଣ ଉଦ୍ୟମ ଜାରି ରଖିଛି।
Powered by Froala Editor