ଦେଶରେ ପ୍ରଥମ ମହିଳା 'କୋବ୍ରା' କମାଣ୍ଡର ଡ଼. ସଞ୍ଜୁକ୍ତା ପରାଶର
ଆସାମର 'ଆଇରନ୍ ଲେଡ଼ି' ଭାବେ ପରିଚିତ ତଥା ବରିଷ୍ଠ ଆଇପିଏସ୍ ଅଧିକାରୀ ଡ଼. ସଞ୍ଜୁକ୍ତା ପରାଶର କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ (ସିଆପିଏଫ) ର 'କୋବ୍ରା' ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହା ସହିତ ସେ ଏହି ସ୍ୱତନ୍ତ୍ର ବାହିନୀର ନେତୃତ୍ୱ ନେବାରେ ଦେଶର ପ୍ରଥମ ମହିଳା କମାଣ୍ଡର ହେବାର ଗୌରବ ଅର୍ଜନ କରିଛନ୍ତି।
ସଞ୍ଜୁକ୍ତା ପରାଶର ୨୦୦୬ ବ୍ୟାଚ୍ର ଆଇପିଏସ୍ ଅଧିକାରୀ ଅଟନ୍ତି। ୨୦୦୬ ସିଭିଲ୍ ସର୍ଭିସେସ୍ ପରୀକ୍ଷାରେ ସେ ସର୍ବଭାରତୀୟ ସ୍ତରରେ ୮୫ତମ ରାଙ୍କ୍ ହାସଲ କରିଥିଲେ। ସେ ଦିଲ୍ଲୀର ଇନ୍ଦ୍ରପ୍ରସ୍ଥ କଲେଜରୁ ରାଜନୀତି ବିଜ୍ଞାନରେ ସ୍ନାତକ ଏବଂ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟରୁ ଇଣ୍ଟରନ୍ୟାସନାଲ ରିଲେସନରେ ଉଚ୍ଚଶିକ୍ଷା ଗ୍ରହଣ କରିଛନ୍ତି।
ସଞ୍ଜୁକ୍ତା ପରାଶରଙ୍କୁ ସିଆପିଏଫରେ ଇନ୍ସପେକ୍ଟର ଜେନେରାଲ୍ (ଆଇଜି) ଭାବେ ନିଯୁକ୍ତି ଦିଆଯାଇଛି ଏବଂ ସେ କୋବ୍ରା ୟୁନିଟ୍ର କମାଣ୍ଡ ଦାୟିତ୍ୱ ସମ୍ଭାଳିଛନ୍ତି। କୋବ୍ରା ବାହିନୀ ହେଉଛି ସିଆପିଏଫର ଏକ ଅତ୍ୟନ୍ତ କୁଶଳୀ ଏବଂ ସ୍ୱତନ୍ତ୍ର କମାଣ୍ଡୋ ବାହିନୀ, ଯାହାକୁ ମୁଖ୍ୟତଃ ଜଙ୍ଗଲ ଯୁଦ୍ଧ ଏବଂ ଗରିଲା ଯୁଦ୍ଧ ତଥା ନକ୍ସଲ ବିରୋଧୀ ଅଭିଯାନ ପାଇଁ ଗଠନ କରାଯାଇଛି।
ସଞ୍ଜୁକ୍ତା ପରାଶରଙ୍କୁ ଆସାମରେ ଉଗ୍ରବାଦ ବିରୋଧୀ ଅଭିଜାନ ଏବଂ ସମ୍ବେଦନଶୀଳ କ୍ଷେତ୍ରମାନଙ୍କରେ ସଫଳତାର ସହ କାମ କରିବାର ଦୀର୍ଘକାଳୀନ ଅଭିଜ୍ଞତା ରହିଛି। ଘନ ଜଙ୍ଗଲ ଏବଂ କଠିନ ପରିସ୍ଥିତିରେ ଆଇନ ଶୃଙ୍ଖଳା ରକ୍ଷା କରିବାରେ ତାଙ୍କର ପାରଦର୍ଶିତା ପାଇଁ ତାଙ୍କୁ ଆସାମର 'ଆଇରନ୍ ଲେଡ଼ି' କୁହାଯାଏ।
Powered by Froala Editor