ସୁନା ଆମଦାନୀ ୩୦ ପ୍ରତିଶତ ହ୍ରାସ
ଅଗଷ୍ଟ ମାସରେ ଭାରତର ସୁନା ଆମଦାନୀ ବାର୍ଷିକ ଆଧାରରେ ପ୍ରାୟ ୩୦ ପ୍ରତିଶତ ହ୍ରାସ ପାଇଛି। ଏହି ହ୍ରାସକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହୱାନ ସହିତ ସରକାରଙ୍କ ନୀତିଗତ ନିଷ୍ପତ୍ତି ସହ ଯୋଡ଼ି ଦେଖାଯାଉଛି। ବିଶେଷଜ୍ଞଙ୍କ ମତରେ, ସୁନା ଆମଦାନୀ କମିବା ପଛରେ କେବଳ ଗୋଟିଏ କାରଣ ନାହିଁ। ସୁନାର ରେକର୍ଡ ଦର ଏବଂ କଷ୍ଟମ ଡ୍ୟୁଟି ବୃଦ୍ଧି ମଧ୍ୟ ଏହାର ପ୍ରମୁଖ କାରଣ ବୋଲି କୁହାଯାଉଛି।କେନ୍ଦ୍ର ସରକାର ମେ’ ମାସରେ ସୁନା ଓ ରୁପା ଉପରେ କଷ୍ଟମ ଡ୍ୟୁଟି ବଢ଼ାଇ ୧୫ ପ୍ରତିଶତ କରିଥିଲେ। ଫଳରେ ବିଦେଶରୁ ସୁନା ଆମଦାନୀ କରିବା ମହଙ୍ଗା ହୋଇଛି।
ମେ’ ମାସରେ ଭାରତ ପ୍ରାୟ ୨୯.୪ ଟନ ସୁନା ଆମଦାନୀ କରିଥିଲା। ଗତବର୍ଷର ସମାନ ସମୟ ତୁଳନାରେ ଏହା ପ୍ରାୟ ୪ ପ୍ରତିଶତ କମ ଥିଲା। ଏହାପରେ ଆମଦାନୀ ହ୍ରାସର ଗତି ଆହୁରି ବଢ଼ିଥିଲା। ଜୁନରେ ସୁନା ଆମଦାନୀ ପ୍ରାୟ ୨୦ ପ୍ରତିଶତ, ଜୁଲାଇରେ ୨୩.୭ ପ୍ରତିଶତ ଏବଂ ଅଗଷ୍ଟରେ ପ୍ରାୟ ୩୦ ପ୍ରତିଶତ କମିଥିବା ଜଣାପଡ଼ିଛି। ତେବେ କେବଳ ପ୍ରଧାନମନ୍ତ୍ରୀଙ୍କ ଆହୱାନ ଯୋଗୁ ହିଁ ଆମଦାନୀ କମିଛି ବୋଲି ତଥ୍ୟରୁ ସ୍ପଷ୍ଟ ହେଉନାହିଁ।
ପ୍ରତିବର୍ଷ ଭାରତ ପ୍ରାୟ ୭୦୦ରୁ ୯୦୦ ଟନ ସୁନା ଆମଦାନୀ କରିଥାଏ। ଏଥିପାଇଁ ବହୁ ପରିମାଣର ବିଦେଶୀ ମୁଦ୍ରା ଖର୍ଚ୍ଚ ହୋଇଥାଏ। ଏହା ଦେଶର ବାଣିଜ୍ୟିକ ନିଅଣ୍ଟ ଏବଂ ଚାଲୁ ଖାତା ନିଅଣ୍ଟ (CAD) ଉପରେ ମଧ୍ୟ ପ୍ରଭାବ ପକାଇଥାଏ।
Powered by Froala Editor