ଆଉ ମାଗଣା ରହିବ ନାହିଁ ୨,୦୦୦ ଟଙ୍କାରୁ ଅଧିକ ମୂଲ୍ୟର ୟୁପିଆଇ ପେମେଣ୍ଟ୍
ନୂଆଦିଲ୍ଲୀ; ଡିଜିଟାଲ୍ ପେମେଣ୍ଟର ସବୁଠାରୁ ବଡ଼ ମାଧ୍ୟମ ପାଲଟିଥିବା UPI ଚାର୍ଜ ବ୍ୟବସ୍ଥାକୁ ନେଇ ଚର୍ଚ୍ଚା ବଢ଼ିଛି । ଗ୍ରାହକଙ୍କ ଦ୍ୱାରା ଦୋକାନୀଙ୍କୁ ୨,୦୦୦ ଟଙ୍କାରୁ ଅଧିକ ମୂଲ୍ୟର ୟୁପିଆଇ ପେମେଣ୍ଟ୍ ଆଉ ମାଗଣା ରହିବ ନାହିଁ । ଏହା ଉପରେ ୦.୪% ଏମ୍ଡିଆର୍ (ମର୍ଚ୍ଚାଣ୍ଟ ଡିସ୍କାଉଣ୍ଟ ରେଟ୍) ଗଣିବେ ବ୍ୟବସାୟୀ । ୟୁପିଆଇ ଷ୍ଟିୟରିଂ କମିଟି ପକ୍ଷରୁ ବସିଥିବା ଏକ ବୈଠକରେ ଏ ନିଷ୍ପତ୍ତି ନିଆଯାଇଛି । ଟ୍ରାଞ୍ଜାକ୍ସନ ପିଛା ସର୍ବୋଚ୍ଚ ଏମ୍ଡିଆର୍ ୩୦୦ ଟଙ୍କା ସ୍ଥର ହୋଇଛି । ଅର୍ଥାତ୍ ଯେତେ ବଡ଼ ଟ୍ରାଞ୍ଜାକ୍ସନ ହେଉ, ୩୦୦ ଟଙ୍କାରୁ ଅଧିକ ଏମ୍ଡିଆର୍ ନେଇପାରିବେ ନାହିଁ ବ୍ୟାଙ୍କ । ଯଦିଓ ସାଧାରଣ ଗ୍ରାହକ ଏହା ଦ୍ୱାରା ପ୍ରଭାବିତ ହେବେ ନାହିଁ, କ୍ଷୁଦ୍ର ବ୍ୟବସାୟୀଙ୍କ ଉପରେ ଏହାର ପ୍ରଭାବ ପଡ଼ିବ । ନୂଆ ନିୟମ ଅକ୍ଟୋବର ୧୫ରୁ ଲାଗୁ ହେବ ବୋଲି ଜଣାପଡ଼ିଛି ।
ଏହି ନିୟମ ଦ୍ୱାରା ଲୋକେ ପୁଣି ନଗଦ କାରବାର ଆଡ଼କୁ ଟାଣି ହୋଇପାରନ୍ତି ବୋଲି ଅନୁମାନ କରାଯାଉଛି । ୦.୪% ଏମ୍ଡିଆର୍ ହିସାବରେ ୭୫,୦୦୦ ଟଙ୍କାର ଏକ ଟ୍ରାଞ୍ଜାକ୍ସନରେ ଏମ୍ଡିଆର୍ ୩୦୦ ଟଙ୍କା ରହିବ । ଟ୍ରାଞ୍ଜାକ୍ସନ ମୂଲ୍ୟ ଏହାଠାରୁ ଯେତେ ଅଧିକ ହେଲେ ବି ୩୦୦ ଟଙ୍କାରୁ ଅଧିକ ଦେୟ ନିଆଯିବ ନାହିଁ । ନୂଆ ନିୟମକୁ ସରଳ ଭାଷାରେ ବୁଝିବାକୁ ଗଲେ ଜଣେ ବ୍ୟକ୍ତି ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଟଙ୍କା ପଠାଇବା ସମ୍ପୂର୍ଣ୍ଣ ମାଗଣା ରହିବ । ଗ୍ରାହକଙ୍କ ଦ୍ୱାରା ଦୋକାନୀଙ୍କୁ ୨୦୦୦ ଟଙ୍କା ପର୍ଯ୍ୟନ୍ତ ପେମେଣ୍ଟ ଏମ୍ଡିଆର୍ ମୁକ୍ତ ରହିବ । ଗ୍ରାହକ ଦୋକାନୀଙ୍କୁ ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ପେମେଣ୍ଟ କଲେ ବ୍ୟବସାୟୀ ୦.୪% ଏମ୍ଡିଆର୍ ବ୍ୟାଙ୍କକୁ ଦେବେ । ଏହି ଶୁଳ୍କର ସର୍ବୋଚ୍ଚ ସୀମା ୩୦୦ ଟଙ୍କା ।
ଏମ୍ଡିଆର୍ ହେଉଛି ଉକ୍ତ କମିଶନ, ଯାହାକୁ ଡିଜିଟାଲ ପେମେଣ୍ଟ ପ୍ରୋସେସିଂ ଲାଗି ମର୍ଚ୍ଚାଣ୍ଟ ବା ବ୍ୟବସାୟୀମାନେ ବ୍ୟାଙ୍କଗୁଡ଼ିକୁ ପୈଠ କରିଥାନ୍ତି । ୦.୪% ଫି’ ଅର୍ଥାତ ୟୁପିଆଇ ମାଧ୍ୟମରେ ପ୍ରତି ୨,୦୦୦ ଟଙ୍କା ପେମେଣ୍ଟରେ ୮ ଟଙ୍କା ଦେୟ ପଡ଼ିବ । ସେହିଭଳି ପ୍ରତି ୧୦,୦୦୦ ଟଙ୍କା ପେମେଣ୍ଟରେ ୪୦ ଟଙ୍କା ଫି’ ଲାଗୁ ହେବ । ତେବେ ନ୍ୟାସ୍ନାଲ ପେମେଣ୍ଟ୍ସ କର୍ପୋରେଶନ ଅଫ୍ ଇଣ୍ଡିଆ (ଏନ୍ପିସିଆଇ) କେତେକ ସେବା ପାଇଁ କିଛିଟା ରିହାତି ପ୍ରଦାନ କରିଛି । ସେଗୁଡ଼ିକ ହେଲା ଟେଲିକମ, ରେଳବାଇ, ଇନ୍ଧନ ଓ ବୀମା ଆଦି ବର୍ଗ । ଖାଉଟିମାନଙ୍କ ଉପରେ ଯେପରି କୌଣସି ପ୍ରଭାବ ପଡ଼ିବ ନାହିଁ ସେଥିପାଇଁ ଏନ୍ପିସିଆଇ ଏ ନିଷ୍ପତ୍ତି ନେଇଛି । ଏସବୁ ସେବା ପାଇଁ ଟ୍ରାଞ୍ଜାକ୍ସନ ପିଛା ଏମ୍ଡିଆର୍ ଫ୍ଲାଟ ୫ ଟଙ୍କା ଧାର୍ଯ୍ୟ କରାଯାଇଛି ।
ପୁଞ୍ଜି ବଜାର ଟ୍ରାଞ୍ଜାକ୍ସନ ପାଇଁ ଏମ୍ଡିଆର୍ ୦.୦୨% ଧାର୍ଯ୍ୟ କରାଯାଇଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ, ୨,୦୦୦ ଟଙ୍କା ପର୍ଯ୍ୟନ୍ତ ୟୁପିଆଇ ଟ୍ରାଞ୍ଜାକ୍ସନ କିମ୍ବା ରୁପେ ଡେବିଟ୍ କାର୍ଡ ଜରିଆରେ ଟ୍ରାଞ୍ଜାକ୍ସନ ଉପରେ ବ୍ୟାଙ୍କଗୁଡ଼ିକ କୌଣସି ଦେୟ ଲାଗୁ କରିପାରିବେ ନାହିଁ । ୦.୪% ବା ୪୦ ବେସିସ୍ ପଏଣ୍ଟର ଏମ୍ଡିଆର୍ ମାଧ୍ୟମରେ ଇକୋସିଷ୍ଟମ ବାର୍ଷିକ ୧୬,୦୦୦ କୋଟି ଟଙ୍କା ପର୍ଯ୍ୟନ୍ତ ରାଜସ୍ୱ ଆଦାୟ କରିପାରିବ ବୋଲି ଆକଳନ ରହିଛି ।ଟଙ୍କା ପଠାଇବା ବେଳେ ୧୦,୦୦୦ ଟଙ୍କା ପଠାଇଲେ ମଧ୍ୟ ପଠାଉଥିବା ବ୍ୟକ୍ତି କିମ୍ବା ଟଙ୍କା ପାଉଥିବା ବ୍ୟକ୍ତି କାହାକୁ ଚାର୍ଜ ଦେବାକୁ ପଡ଼ିବ ନାହିଁ। ଏଣୁ ଟଚଓରେ ଟଙ୍କା ପଠାଇବା ଏବଂ ଗ୍ରାହକ ଭାବେ ପେମେଣ୍ଟ କରିବା ଏବେ ବି ମାଗଣା।
ପ୍ରକାଶଯୋଗ୍ୟ, ସରକାର ୟୁପିଆଇକୁ ପ୍ରୋତ୍ସାହନ ଦେବା ପାଇଁ ଏବଂ ଏହାକୁ ମାଗଣା ରଖିବା ଲାଗି ୨୦୨୧-୨୨ରୁ ଏକ ପ୍ରୋତ୍ସାହନ ଯୋଜନା ଆରମ୍ଭ କରିଥିଲେ । ଏହା ଅଧୀନରେ ଗ୍ରାହକଙ୍କ ଦ୍ୱାରା କ୍ଷୁଦ୍ର ବ୍ୟବସାୟୀଙ୍କୁ କରାଯାଉଥିବା ୨,୦୦୦ ଟଙ୍କା ପର୍ଯ୍ୟନ୍ତ ୟୁପିଆଇ ପେମେଣ୍ଟ ଉପରେ ୦.୧୫% ପ୍ରୋତ୍ସାହନ ରାଶି ଦିଆଯାଉଥିଲା । ୨୦୨୪-୨୫ ସୁଦ୍ଧା ଏହା ଉପରେ ୮,୨୭୬ କୋଟି ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥିଲା । ଏବେ ୟୁପିଆଇ ଏମ୍ଡିଆର ଦ୍ୱାରା ଖୁଚୁରା ବ୍ୟବସାୟୀମାନେ ଅଧିକ ପ୍ରଭାବିତ ହେବେ ।
Powered by Froala Editor