ଭାରତୀୟ ନୌସେନା ଜାହାଜ ସହିତ ପାକିସ୍ତାନୀ ନୌସେନା ଜାହାଜର ଧକ୍କା
ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ଜଳସୀମାରେ ଭାରତୀୟ ନୌସେନା ଜାହାଜ ସହିତ ପାକିସ୍ତାନୀ ନୌସେନା ଜାହାଜର ଧକ୍କା ହେବା ଘଟଣାରେ ଭାରତ ବୁଧବାର ଦିନ ନୂଆଦିଲ୍ଲୀସ୍ଥିତ ପାକିସ୍ତାନର ସର୍ବୋଚ୍ଚ କୂଟନୀତିଜ୍ଞ (ଚାର୍ଜ ଡ’ ଆଫେୟାର୍ସ)ଙ୍କୁ ସମନ କରି କଡ଼ା ପ୍ରତିବାଦ ଜଣାଇଛି। ପାକିସ୍ତାନୀ ନୌସେନାର ଏପରି "ଗ୍ରହଣୀୟ ନୁହେଁ ଏବଂ ଅପେଷାଦାର ଆଚରଣ"କୁ ଭାରତ ପକ୍ଷରୁ ଦୃଡ଼ ନିନ୍ଦା କରାଯାଇଛି।
ବୈଦେଶିକ ମନ୍ତ୍ରଣାଳୟ (MEA) ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ, ଯଦିଓ ଏହି ଘଟଣାରେ କୌଣସି ବଡ଼ଧରଣର କ୍ଷତି ହୋଇନାହିଁ, ତଥାପି ପାକିସ୍ତାନୀ ନୌସେନା ଜାହାଜର ଏଭଳି ଆଚରଣ ଏପ୍ରିଲ୍ ୧୯୯୧ ର "ସାମରିକ ଅଭ୍ୟାସ, ମାନୁଭର ଏବଂ ସେନା ଗତିବିଧି ସମ୍ପର୍କରେ ଆଗୁଆ ସୂଚନା ଦେବା" ଚୁକ୍ତିର ଧାରା-୧୦ର ସିଧାସଳଖ ଉଲ୍ଲଂଘନ ଅଟେ।
ଭାରତ ପକ୍ଷରୁ ପାକିସ୍ତାନୀ କୂଟନୀତିଜ୍ଞଙ୍କୁ ପରାମର୍ଶ ଦିଆଯାଇଛି ଯେ, ସେମାନେ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ଅବଗତ କରାନ୍ତୁ ଯେ ଭବିଷ୍ୟତରେ ଏଭଳି ପୁନରାବୃତ୍ତି ଏଡ଼ାଇବା ପାଇଁ ସମସ୍ତ ସାମରିକ ବାହିନୀ ଯଥୋଚିତ ସତର୍କତା ଅବଲମ୍ବନ କରିବା ସହ ଦୁଇ ଦେଶ ମଧ୍ୟରେ ହୋଇଥିବା ଚୁକ୍ତିଗୁଡ଼ିକୁ ସମ୍ମାନ ଦେବା ଉଚିତ୍। ଏହାବ୍ୟତୀତ ଇସଲାମାବାଦସ୍ଥିତ ଭାରତୀୟ ଦୂତାବାସର ଅଧିକାରୀଙ୍କୁ ମଧ୍ୟ ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟରେ ଏନେଇ ଏକ ଦୃଡ଼ ପ୍ରତିବାଦ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି।
Powered by Froala Editor