ଦୁଇ ସପ୍ତାହରେ ୨ କୋଟି ଜମା କରିବେ ରାଜପାଲ
ଚେକ୍ ବାଉନ୍ସ ମାମଲାରେ ଅଭିନେତା ତଥା ନିର୍ଦ୍ଦେଶକ ରାଜପାଲ ଯାଦବଙ୍କୁ ସୁପ୍ରିମକୋର୍ଟ ଶେଷ ସୁଯୋଗ ଦେଇଛନ୍ତି। ଦୁଇ ସପ୍ତାହ ମଧ୍ୟରେ ୨ କୋଟି ଟଙ୍କା ସୁପ୍ରିମକୋର୍ଟ ରେଜିଷ୍ଟ୍ରିରେ ଜମା କରିବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ତାଙ୍କ ପାସପୋର୍ଟ ମଧ୍ୟ ଜମା କରିବାକୁ କୁହାଯାଇଛି। ଏହି ମାମଲା ଜଣେ ବ୍ୟକ୍ତିଗତ ଅଭିଯୋଗକାରୀଙ୍କ ସହ ଜଡ଼ିତ। ମୁରଲୀ ପ୍ରଡକ୍ସନ୍ସର ମାଲିକଙ୍କୁ ରାଜପାଲ ଯାଦବ ୫ କୋଟି ଟଙ୍କା ଦେବାକୁ ବାକି ରଖିଥିବା ଅଭିଯୋଗ ହୋଇଛି।
ପ୍ରଧାନ ବିଚାରପତି (ସିଜେଆଇ) ସୂର୍ଯ୍ୟକାନ୍ତ ଶୁଣାଣି ସମୟରେ ରାଜପାଲଙ୍କ ପୂର୍ବ ଆଭିମୁଖ୍ୟକୁ ନେଇ କଠୋର ଟିପ୍ପଣୀ କରିଥିଲେ। ସେ କହିଥିଲେ ଯେ, ରାଜପାଲ ଯାଦବ ବଲିଉଡ୍ରେ ଡ୍ରାମା ଓ ଅଭିନୟ ପାଇଁ ପରିଚିତ, କିନ୍ତୁ ଅଦାଲତରେ ମଧ୍ୟ ସେଭଳି ଆଚରଣ କରୁଛନ୍ତି। ତେବେ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ରାଜପାଲ ଯାଦବଙ୍କୁ ଗିରଫଦାରିରୁ ଆଶ୍ୱସ୍ତି ମିଳିଛି। ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୫ରେ ହେବ।
ଭାରତର ପ୍ରଧାନ ବିଚାରପତି ସୂର୍ଯ୍ୟ କାନ୍ତଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ କହିଛନ୍ତି ଯେ, ଏହି ମାମଲାରେ ଅଭିନେତାଙ୍କ ପୂର୍ବ ଆଚରଣ ଭରସା ସୃଷ୍ଟି କରୁନାହିଁ। ତେବେ ରାଜପାଲଙ୍କ ଓକିଲ ଦୁଇ ସପ୍ତାହ ମଧ୍ୟରେ ଅତି କମ୍ରେ ୨ କୋଟି ଟଙ୍କା ଜମା କରିବେ ଏବଂ ବାକି ରାଶି ପାଇଁ ଜାମିନଦାର ଦେବେ ବୋଲି ଆଶ୍ୱାସନା ଦେବା ପରେ ସର୍ବୋଚ୍ଚ ଅଦାଲତ ତାଙ୍କୁ ଏହି ସମୟ ଦେଇଥିଲେ।
ସୂଚନାଯୋଗ୍ୟ, ଏହି ଚେକ୍ ବାଉନ୍ସ ମାମଲାରେ ଗତ ତିନି ବର୍ଷ ମଧ୍ୟରେ ହାଇକୋର୍ଟଠାରୁ ଆରମ୍ଭ କରି ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ପ୍ରାୟ ୧୫ ଥର ଶୁଣାଣି ହୋଇଛି। ପ୍ରତ୍ୟେକ ଥର ଅଦାଲତ ଟଙ୍କା ପରିଶୋଧ କିମ୍ବା ମାମଲାରେ ବୁଝାମଣା କରିବାକୁ ପରାମର୍ଶ ଦେଇଥିଲେ। ତେବେ ରାଜପାଲ ଯାଦବ ପୂର୍ବରୁ ଦିଆଯାଇଥିବା ଅଦାଲତଙ୍କ ନିର୍ଦ୍ଦେଶ ସମ୍ପୂର୍ଣ୍ଣ ଭାବେ ପାଳନ କରିନଥିବା ଅଭିଯୋଗ ରହିଛି।
Powered by Froala Editor