ଦ୍ବାଦଶତମ ଦିନରେ ଭିତର ରତ୍ନଭଣ୍ଡାର ଗଣତିମଣତି
ପୁରୀ : ଦ୍ବାଦଶତମ ଦିନରେ ଭିତର ରତ୍ନଭଣ୍ଡାର ଗଣତିମଣତି କାର୍ଯ୍ୟ କଡ଼ା ସୁରକ୍ଷା ମଧ୍ୟରେ ହୋଇଛି। ପୂର୍ବରୁ ଚଳନ୍ତି ଓ ବାହାର ରତ୍ନଭଣ୍ଡାରର ଗଣତିମଣତି ଶେଷ ହୋଇଛି। ମଙ୍ଗଳବାର ଦ୍ବାଦଶତମ ଦିନରେ ଅଧିକୃତ ଅଧିକାରୀ ଏବଂ ଉଚ୍ଚସ୍ତରୀୟ କମିଟି ଅଧ୍ୟକ୍ଷଙ୍କ ଉପସ୍ଥିତିରେ ରତ୍ନ ଅଳଙ୍କାରର ଗଣତିମଣତି ହୋଇଛି। ପ୍ରାୟ ୩ ଘଣ୍ଟା ୨୭ ମିନିଟ ଧରି ମଙ୍ଗଳବାର ଗଣତି ପ୍ରକ୍ରିୟା ଚାଲିଥିଲା। ୧୯୭୮ ତାଲିକା ଅନୁଯାୟୀ ବର୍ତ୍ତମାନ ସମସ୍ତ ଅଳଙ୍କାରର ନିର୍ଭୁଲ ଚିହ୍ନଟ ଓ ଗଣତି କରାଯାଇ ଫଟୋଗ୍ରାଫି, ଭିଡ଼ିଓଗ୍ରାଫି ଏବଂ ୩-ଡି ମ୍ୟାପିଂ ସହ ସିନ୍ଦୁକରେ ରଖାଯାଉଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି।
ସୂଚନା ଅନୁଯାୟୀ; ବିଭିନ୍ନ ମୂଲ୍ୟବାନ ରତ୍ନ ଅଳଙ୍କାର ରହିଥିବା ଯୋଗୁଁଁ ଗଣତି ପ୍ରକ୍ରିୟା ସମୟସାପେକ୍ଷ ହେଉଛି। ପ୍ରତ୍ୟେକ ଅଳଙ୍କାରକୁ ସୁରକ୍ଷିତ ଭାବରେ ଚିହ୍ନିତ ରଙ୍ଗର ମୁଣିରେ ବା କପଡ଼ାରେ ରଖିବା ପରେ ତାକୁ ଷ୍ଟିଲ ବାକ୍ସରେ ଭର୍ତ୍ତି କରି ପୁଣି ସିନ୍ଦୁକରେ ରଖି ତାଲା ପକାଯାଉଛି। ଚଳିତ ମାସରେ ଆଉ ୬ ଦିନ ରତ୍ନ ଭଣ୍ଡାର ଗଣତି କାର୍ଯ୍ୟ ହେବ। ପରେ ଜୁନରେ ସ୍ନାନ ପୂର୍ଣ୍ଣିମା ପୂର୍ବରୁ ମଧ୍ୟ ଗଣତି କାର୍ଯ୍ୟ ହେବା ନେଇ କୌଣସି ଅସୁବିଧା ନ ଥିବା ଡ. ପାଢ଼ୀ କହିଛନ୍ତି।
Powered by Froala Editor