ପଥର ଖଣିରୁ ଯୁବକଙ୍କ ମୃତଦେହ ଉଦ୍ଧାର
ରଣପୁର : ନୟାଗଡ଼ ଜିଲା ରଣପୁର ବ୍ଲକ ଅନ୍ତର୍ଗତ ରାଇପଡ଼ା ଗାଁ ରାସ୍ତା ନିକଟ ଏକ ପରିତ୍ୟକ୍ତ କଳା ମୁଗୁନି ପଥର ଖଣିରୁ ଜଣେ ଯୁବକଙ୍କ ମୃତଦେହ ରବିବାର ଉଦ୍ଧାର କରାଯାଇଛି। ସେ ତିନିଦିନ ହେଲା ନିଖୋଜ ଥିଲେ। ଏହି ଯୁବକଙ୍କୁ କେହି ହତ୍ୟା କରି ଉକ୍ତ ଖଣିରେ ଫିଙ୍ଗି ଦେଇଥିବା ପୁଲିସ ସନ୍ଦେହ କରୁଛି। ଅପରପକ୍ଷରେ ନୂଆପଡ଼ା ଅଞ୍ଚଳରେ ବେଆଇନ ଭାବେ କଳା ମୁଗୁନି ପଥର ଖଣି ଚାଲୁଥିବାବେଳେ ସ୍ଥାନୀୟ ଯୁବଗୋଷ୍ଠୀ ଏହାକୁ ବିରୋଧ କରୁଥିବାରୁ ଖଣି ମାଫିଆମାନେ ଏହି ଯୁବକଙ୍କୁ ହତ୍ୟା କରିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।
ରଣପୁର ବ୍ଲକ ଅନ୍ତର୍ଗତ କେରେଣ୍ଡାଟାଙ୍ଗୀ ପଞ୍ଚାୟତ ଅଧୀନ ନୂଆପଡ଼ା ଗାଁର ସ୍ବର୍ଗତ ନରେନ୍ଦ୍ର ପ୍ରଧାନ(ନକୁଳ)ଙ୍କ ସାନ ପୁଅ ପ୍ରତାପ କୁମାର ପାଟ୍ଟଶାଣୀ ଗତ ଶୁକ୍ରବାର ଠାରୁ ଘରୁ କେଉଁଆଡେ ଯାଇ ଆଉ ଫେରି ନଥିଲେ। ପରିବାର ଲୋକେ ଚାରିଆଡ଼େ ଖୋଜାଖୋଜି କରି ନିରାଶ ହେବା ପରେ ଚାନ୍ଦପୁର ଥାନାରେ ନିଖୋଜ ନେଇ ଅଭିଯୋଗ କରିଥିଲେ। ହେଲେ ରବିବାର ସକାଳ ସାଢ଼େ ୭ଟାରେ ଉକ୍ତ ଖଣି ଅଞ୍ଚଳରେ ଜଣେ ଯୁବକଙ୍କ ମୃତଦେହ ପଡ଼ିଥିବା ଜଣାପଡ଼ିଥିଲା। ଏହା ପ୍ରତାପଙ୍କର ବୋଲି ଚିହ୍ନଟ କରାଯାଇଥିଲା। ପୁଲିସ ସେଠାରେ ପହଞ୍ଚି ଶବ ଉଦ୍ଧାର କରିଥିଲା। ପରେ ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ ଜାରି ରହିଛି। ଏହି ଘଟଣାରେ କେରେଣ୍ଡାଟାଙ୍ଗୀ ଓ ବାହାର ଅଞ୍ଚଳର ଦୁଇ ସନ୍ଦିଗ୍ଧଙ୍କୁ ପୁଲିସ ଉଠାଇ ଆଣି ଥାନାରେ ଅଟକ ରଖି ପଚରାଉଚରା କରୁଥିବା ଆଇଆଇସି ଅଭୟ ବେହେରା ପ୍ରକାଶ କରିଛନ୍ତି।
Powered by Froala Editor