ଥଲାପତି ବିଜୟ ଶପଥ ନେଇ ଆଶଙ୍କା, ୧୧୮ ବିଧାୟକଙ୍କ ତାଲିକା ଧରି ଆସିବାକୁ କହିଲେ ରାଜ୍ୟପାଳ
ଅଭିନେତାରୁ ରାଜନେତା ପାଲଟିଥିବା ବିଜୟଙ୍କ ଦଳ ଟିଭିକେ (ତାମିଲଗା ଭେଟ୍ରି କାଝାଗମ୍) ତାମିଲନାଡ଼ୁରେ ଏକକ ବୃହତ୍ତମ ଦଳ ହେବା ପରେ ବିଜୟ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ବନାଥନ ଆର୍ଲେକରଙ୍କୁ ଭେଟି ସରକାର ଗଠନ ପାଇଁ ଦାବି କରିଛନ୍ତି। ବିଜୟ ରାଜ୍ୟପାଳଙ୍କୁ ଭେଟିଥିବାବେଳେ ତାଙ୍କ ସହ ଦଳୀୟ ନେତା ଏନ୍ ଆନନ୍ଦ, ଆଧବ ଅର୍ଜୁନ, କେଏ ସେଙ୍ଗୋତେୟାନ, ସିଟି ନିର୍ମଳ କୁମାର ଏବଂ ଅନ୍ୟମାନେ ଥିଲେ।
କଂଗ୍ରେସ ଦଳ ଟିଭିକେକୁ ସମର୍ଥନ ଘୋଷଣା କରିବା ପରେ ବିଜୟ ରାଜ୍ୟପାଳଙ୍କ ନିକଟରେ ୧୧୨ ବିଧାୟକଙ୍କ ସମର୍ଥନ ସହ ସରକାର ଗଠନ ପାଇଁ ଦାବି କରିଛନ୍ତି। ଟିଭିକେ ୧୦୮ଟି ସିଟରେ ଜିତିଥିବା ବେଳେ ସଂଖ୍ୟା ଗରିଷ୍ଠତା ପାଇଁ ୧୧୮ ଆବଶ୍ୟକ।
ଆଉ ୧୦ଟି ସିଟରୁ କଂଗ୍ରେସର ୫ ବିଧାୟକ ସମର୍ଥନ କରିଥିଲେ। ହେଲେ ରାଜ୍ୟପାଳଙ୍କୁ ସରକାର ଗଠନ ନେଇ ଦାବି ଜଣାଇବା ବେଳେ ବିଜୟ ଏସମ୍ପର୍କରେ ଅବଗତ କରିନାହାନ୍ତି। ତାସହ ବାମ ଦଳରୁ ଥିବା ଦୁଇ ବିଧାୟକ କଂଗ୍ରେସ ସହ ଏକାଠି ହେବାକୁ ରାଜି ହୋଇନଥିବା ଚର୍ଚ୍ଚା ହେଉଛି।
ମିଳିଥିବା ସୂଚନାନୁଯାୟୀ, ରାଜ୍ୟପାଳ ଏଯାବତ ଟିଭିକେ ପାଖରେ ସଂଖ୍ୟାଗରିଷ୍ଠତା ଥିବା କଥାକୁ ଗ୍ରହଣ କରିନାହାନ୍ତି। ରାଜ୍ୟପାଳ ବିଜୟଙ୍କୁ ୧୧୮ ସଂଖ୍ୟା ସହ ଆସିବା ପାଇଁ କହିଥିବା ଜଣାପଡ଼ିଛି। ଏସବୁ ଭିତରେ ବିଜୟଙ୍କୁ ଚକମା ଦେବାକୁ DMK-AIDMK ଏକାଠି ହୋଇପାରନ୍ତି। ଏନେଇ ଉଭୟ ଦଳ କଥାବାର୍ତ୍ତା ବି ଆରମ୍ଭ କରିଛନ୍ତି। ସେପଟେ ନୂଆ ସରକାର ଗଠନ ପୂର୍ବରୁ ଭାଙ୍ଗିଲା ତାମିଲନାଡୁ ବିଧାନସଭା। ୧୬ ତମ ବିଧାନସଭା ଭଙ୍ଗ କରିଛନ୍ତି ରାଜ୍ୟପାଳ। ମେ ୫ ତାରିଖରୁ ବିଧାନସଭା ଭଙ୍ଗ ହୋଇଥିବା ନେଇ ତାମିଲନାଡୁ ଲୋକଭବନ ପକ୍ଷରୁ ସୂଚନା ଦିଆଯାଇଛି।
Powered by Froala Editor