ଭକ୍ତ ନିବାସରେ କକ୍ଷ ବୁକିଂ ନାମରେ ୱେବ୍ସାଇଟ ଖୋଲି ହେଉଛି ଠକେଇ
ପୁରୀ : ଶ୍ରୀକ୍ଷେତ୍ରରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ଅଧୀନରେ ଥିବା ୪ଟି ଭକ୍ତ ନିବାସରେ କକ୍ଷ ବୁକିଂ ନାମରେ ନକଲି ୱେବ୍ସାଇଟ ଖୋଲି ଠକେଇ ହେଉଥିବା ଶ୍ରୀମନ୍ଦିର ପ୍ରଶାସନକୁ ସୂଚନା ମିଳିଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ କ୍ରାଇମବ୍ରାଞ୍ଚ ଡିଜିଙ୍କୁ ଏନେଇ ଜଣାଇବା ସହ ସାଇବର ଠକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଲିଖିତ ଭାବେ ଅନୁରୋଧ କରିଛନ୍ତି।
ସୂଚନା ମୁତାବକ, ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁ ଏବଂ ପର୍ଯ୍ୟଟକଙ୍କ ରହଣି ପାଇଁ ମଠ, ଧର୍ମଶାଳା, ସରକାରୀ ଏବଂ ଘରୋଇ ହୋଟେଲ ଓ ଅତିଥି ଭବନ ରହିଛି। ଶ୍ରଦ୍ଧାଳୁଙ୍କ ଶ୍ରୀକ୍ଷେତ୍ରରେ ରହଣି ବ୍ୟବସ୍ଥାକୁ ଅଧିକ ବ୍ୟବସ୍ଥିତ ଢଙ୍ଗରେ ପରିଚାଳନା ପାଇଁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ୪ଟି ଭକ୍ତ ନିବାସ ପ୍ରତିଷ୍ଠା କରାଯାଇଛି; କିନ୍ତୁ ଏହି ଭକ୍ତ ନିବାସ ନାମରେ କିଛି ସାଇବର ଅପରାଧୀ ବିଭିନ୍ନ ନକଲି ୱେବ୍ସାଇଟ ଖୋଲି ପ୍ରତ୍ୟେକ ଦିନ ପର୍ଯ୍ୟଟକଙ୍କୁ କକ୍ଷ ବୁକିଂ ନାମରେ ଠକୁଥିବା ଜଣାପଡ଼ିଛି। ଏନେଇ ବିଭିନ୍ନ ଥାନାରେ ଏକାଧିକ ସାଇବର ମାମଲା ହୋଇଛି। ଏହି ୪ଟି ଭକ୍ତ ନିବାସରେ ପର୍ଯ୍ୟଟକଙ୍କ ବୁକିଂ ପାଇଁ କେବଳ ସଞ୍ଚାର (ଅନଲାଇନ) ମାଧ୍ୟମରେ ବ୍ୟବସ୍ଥା ରହିଛି। ଅଫଲାଇନ ବ୍ୟବସ୍ଥା ନାହିଁ କହିଲେ ଚଳେ। ଫଳରେ ପ୍ରତ୍ୟେକ ଦିନ ପୁରୀ ବୁଲିବାକୁ ଆସୁଥିବା ପର୍ଯ୍ୟଟକ ସଞ୍ଚାର ମାଧ୍ୟମରେ ଭକ୍ତ ନିବାସ ବୁକିଂ ବେଳେ ଠକେଇର ଶିକାର ହେଉଛନ୍ତି। ବର୍ତ୍ତମାନ ଭକ୍ତ ନିବାସ ସହ ବିଭିନ୍ନ ହୋଟେଲର ଏକାଧିକ ନକଲି ସାଇଟ ସଞ୍ଚାର ମାଧ୍ୟମରେ ଘୂରି ବୁଲୁଛି। କେହି ପର୍ଯ୍ୟଟକ ପୁରୀ ବୁଲିବାକୁ ଆସିବାକୁ ଚାହିଁଲେ ସଞ୍ଚାର ମାଧ୍ୟମରେ ପ୍ରଥମେ ବିଭିନ୍ନ ହୋଟେଲ ଏବଂ ଭକ୍ତ ନିବାସ କକ୍ଷ ସମ୍ପର୍କରେ ସ୍ଥିତି ପରଖିବାକୁ ଚାହୁଁଛନ୍ତି। ନକଲି ସାଇଟରେ କ୍ଲିକ୍ କରିବା ମାତ୍ରେ ଠକଙ୍କ ହାବୁଡ଼ରେ ପଡ଼ୁଛନ୍ତି। ଠକମାନେ ପର୍ଯ୍ୟଟକଙ୍କୁ ପ୍ରଥମେ ଭରସାରେ ନେଇଥାନ୍ତି। ପରେ ତାଙ୍କ ଦ୍ବାରା ଦିଆଯାଇଥିବା ଫୋନ ନମ୍ବରରେ ସଞ୍ଚାର ମାଧ୍ୟମରେ ଟଙ୍କା ଦେବାକୁ କହିଥାନ୍ତି। ନକଲି ୱେବ୍ସାଇଟ ସହ ନକଲି ବ୍ୟାଙ୍କ ଜମାଖାତା ଖୋଲାଯାଇ ସଞ୍ଚାର ମାଧ୍ୟମରେ ଟଙ୍କା ଦେଣନେଣ ହେଉଥିବା ସୂଚନା ମିଳିଛି। ସାଇବର ଅପରାଧୀମାନେ କକ୍ଷର ଦର ବହୁତ କମ୍ ରହିଥିବା କହି ପ୍ରଥମେ ପର୍ଯ୍ୟଟକଙ୍କ ମନରେ ବିଶ୍ବାସ ଜନ୍ମାଇଥାନ୍ତି। ଟଙ୍କା ପାଇବା ପରେ ସାଇବର ଠକମାନେ ଆଉ ଧରାଛୁଆଁ ଦେଇନଥାନ୍ତି। ଯାତ୍ରୀ ଶସ୍ତାରେ କକ୍ଷ ପାଇବା ଆଶାରେ ବହୁତ ସହଜରେ ଠକେଇର ଶିକାର ହୋଇଥାନ୍ତି।
Powered by Froala Editor