କ୍ରାନ୍ତି ନା ବିଭ୍ରାନ୍ତି : ଭୂତଳ ଜଳ ଶେଷ କରିଦେବ ଇଥାନଲ
ଭାରତରେ ପେଟ୍ରୋଲର ବିକଳ୍ପ ରୂପେ ଇଥାନଲ୍କୁ ‘କ୍ରାନ୍ତି’ ବୋଲି କୁହାଯାଉଛି । କିନ୍ତୁ ବାସ୍ତବରେ ଏହା ଉର୍ଜ୍ଜା ସୁରକ୍ଷା ନାଁରେ ଏକ ବଡ଼ ‘ନୀତିଗତ ପ୍ରତାରଣା’ । ଇଥାନଲ୍ ମିଶ୍ରଣ ଭାରତର ଜଳ ସଙ୍କଟକୁ ଭୟଙ୍କର କରିପାରେ, କାରଣ ଏହାର ଅଧିକାଂଶ କଞ୍ଚାମାଲ ଯଥା- ଆଖୁ ଓ ମକା ଚାଷରେ ଅତ୍ୟଧିକ ପାଣି ଖର୍ଚ୍ଚ ହୁଏ ।
ଇଥାନଲ୍ ମିଶ୍ରଣକୁ ପ୍ରୋତ୍ସାହନ ଏକ ଗମ୍ଭୀର ଚିନ୍ତାଜନକ ବିଷୟ । ନୀତି ଆୟୋଗର କମ୍ପୋଜିଟ୍ ୱାଟର ମ୍ୟାନେଜ୍ମେଣ୍ଟ ଇଣ୍ଡେକ୍ସ (ସିଡବ୍ଲ୍ୟୁଏମ୍ଆଇ) ଚେତାବନୀ ଦେଇଛି, ୨୦୩୦ ମସିହା ସୁଦ୍ଧା ଦିଲ୍ଲୀ, ବେଙ୍ଗାଲୁରୁ ଓ ଚେନ୍ନାଇ ସମେତ ୨୧ ପ୍ରମୁଖ ସହରରେ ଭୂତଳ ଜଳ ଶୂନ୍ୟ ହୋଇଯିବ । ଭାରତର ମୋଟ୍ ଇଥାନଲ୍ ଉତ୍ପାଦନ କ୍ଷମତା ୧,୮୨୨ କୋଟି ଲିଟର, ଯାହାର ଏକ ବଡ଼ ଅଂଶ ସେହି ରାଜ୍ୟମାନଙ୍କରେ କେନ୍ଦ୍ରିତ, ଯେଉଁମାନେ ପୂର୍ବରୁ ଜଳ ସଙ୍କଟର ସମ୍ମୁଖୀନ ହେଉଛନ୍ତି ।
ଅଶୋଧିତ ତୈଳ ଆମଦାନି ଉପରେ ଭାରତର ନିର୍ଭରଶୀଳତା ହ୍ରାସ କରିବା ଲାଗି ପେଟ୍ରୋଲରେ ଏକ ଉଦ୍ଭିଦ-ଭିତ୍ତିକ ଆଲ୍କହଲ୍ ମିଶ୍ରଣ କରାଯାଏ, ଯାହାକୁ ଇଥାନଲ୍ କୁହାଯାଏ । ଦେଶ ଏହି କାର୍ଯ୍ୟକ୍ରମକୁ ଯୁଦ୍ଧକାଳୀନ ଭିତ୍ତିରେ ବଢ଼ାଉଛି । ଚାଉଳ ଏହାର ଏକ ପ୍ରମୁଖ କଞ୍ଚାମାଲ ହୋଇଛି । ୨୦୨୪-୨୫ରେ ଇଥାନଲ୍ ଉତ୍ପାଦନ ଲାଗି ସରକାର ୫୨ ଲକ୍ଷ ଟନ୍ ଚାଉଳ ଆବଣ୍ଟନ କରିଥିଲେ । ଏବେ ୨୦୨୫-୨୬ରେ ୯୦ ଲକ୍ଷ ଟନ୍ ଲକ୍ଷ୍ୟ ରଖିଛନ୍ତି ।
ଏହି ଶସ୍ୟର ଉପଲବ୍ଧତା ପାଇଁ ସାଧାରଣ ଆବଣ୍ଟନ ବ୍ୟବସ୍ଥା ଅଧୀନରେ ଗରିବଙ୍କୁ ଭଙ୍ଗା ଚାଉଳ ବିତରଣ ୨୫ ପ୍ରତିଶତରୁ ୧୦ ପ୍ରତିଶତ କରିବାକୁ ସରକାର ଯୋଜନା କରୁଛନ୍ତି । ଏହା ଜରିଆରେ ସଞ୍ଚୟ ସିଧାସଳଖ ଡିଷ୍ଟିଲେରୀକୁ ସ୍ଥାନାନ୍ତରିତ ହେବ, ଯାହା ଦ୍ୱାରା ଇଥାନଲ୍ ମିଶ୍ରଣକୁ ସୁଗମ କରିବାରେ ଏହାର ଉପଯୋଗ ହୋଇପାରିବ ।
ଖାଦ୍ୟ ସଚିବ ସଂଜୀବ ଚୋପ୍ରାଙ୍କ ଅନୁସାରେ, ଚାଉଳରୁ ୧ ଲିଟର ଇଥାନଲ୍ ଉତ୍ପାଦନ ପାଇଁ ପ୍ରାୟ ୧୦,୭୯୦ ଲିଟର ପାଣି ଆବଶ୍ୟକ । ଏଥିରେ ଚାଷ ସମୟରେ ଜଳସେଚନ ନିମନ୍ତେ ଆବଶ୍ୟକ ପାଣି ମଧ୍ୟ ଅନ୍ତର୍ଭୁକ୍ତ । ସଂଜୀବ ୨୦୨୪ରେ ଦିଲ୍ଲୀରେ ଏକ ବୈଶ୍ୱିକ ସମ୍ମିଳନୀରେ ଏହି ତଥ୍ୟ ପ୍ରଦାନ କରିଥିଲେ । ଏହା ତୁଳନାରେ ମକାରୁ ୧ ଲିଟର ଇଥାନଲ୍ ଉତ୍ପାଦନ ନିମନ୍ତେ ୪,୬୭୦ ଲିଟର ପାଣି ଏବଂ ଆଖୁ ପାଇଁ ୩,୬୩୦ ଲିଟର ପାଣି ଆବଶ୍ୟକ । ୧ କିଲୋ ଚାଉଳ ଉତ୍ପାଦନ ଲାଗି ପ୍ରାୟ ୩୦୦୦ ଲିଟର ପାଣି ଆବଶ୍ୟକ । କିନ୍ତୁ ୧ ଟନ୍ ଚାଉଳରୁ ମାତ୍ର ୪୭୦ ଲିଟର ଇଥାନଲ୍ ମିଳେ । ଏହା ଚାଉଳକୁ ଅନ୍ୟତମ ସର୍ବାଧିକ ଜଳ ଖର୍ଚ୍ଚ କରୁଥିବା ଇନ୍ଧନର ଉତ୍ସ କରେ । ଇଥାନଲ୍ ମିଲ୍ ଉତ୍ତମ ପରିଚାଳନା ନ ହେଲେ ଭୂପୃଷ୍ଠ ଓ ଭୂଜଳ ଦୂଷିତ ହୋଇପାରେ ।
Powered by Froala Editor