କୋଇଲା ଖଣିରେ ଭୟଙ୍କର ବିସ୍ଫୋରଣ, ୮୨ ମୃତ, ୯ ଶ୍ରମିକଙ୍କ ମିଳୁନି ପତ୍ତା
ବେଜିଂ: ଉତ୍ତର ଚୀନର ଶାଂସି ପ୍ରଦେଶର ଲିଉସେନ୍ୟୁ କୋଇଲା ଖଣିରେ ଭୟଙ୍କର ବିସ୍ଫୋରଣ। ଗ୍ୟାସ ବିସ୍ଫୋରଣରେ ୮୨ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୯ ଜଣ ଶ୍ରମିକଙ୍କ ପତ୍ତା ମିଳୁନି । ଆଗକୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି। ଏହା ଏକ ଦଶନ୍ଧି ମଧ୍ୟରେ ଦେଶର ସବୁଠାରୁ ଭୟଙ୍କର ଖଣି ଦୁର୍ଘଟଣା ମଧ୍ୟରୁ ଗୋଟିଏ। ସୂଚନା ପାଇବା ପରେ ତୁରନ୍ତ ଘଟଣାସ୍ଥଳରେ ଉଦ୍ଧାରକାରୀ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି।
ସୂଚନାଅନୁଯାୟୀ, ଚାଙ୍ଗଝି ସହରର ଲୁଶେନ୍ୟୁ କୋଇଲା ଖଣିରେ ଶୁକ୍ରବାର ରାତିରେ ବିସ୍ଫୋରଣ ଘଟିଥିଲା। ସେହି ସମୟରେ ଖଣି ଭିତରେ ପ୍ରାୟ ୨୫୦ ଜଣ ଶ୍ରମିକ କାମ କରୁଥିଲେ । ପ୍ରାୟ ସନ୍ଧ୍ୟା ୭ଟା ୩୦ ମିନିଟରେ ଏହି ବିସ୍ଫୋରଣ ଘଟିଥିଲା । ଆଜି ସକାଳେ ଡଜନ ଡଜନ ଶ୍ରମିକଙ୍କୁ ସୁରକ୍ଷିତ ଭାବରେ ବାହାର କରାଯାଇଥିଲା, କିନ୍ତୁ ଅନେକ ଭିତରେ ଫସି ରହିଥିଲେ । କିଛି ଶ୍ରମିକଙ୍କ ଅବସ୍ଥା ଗୁରୁତର ରହିଛି । ଭିତରେ ଫସି ରହିଥିବା ଲୋକଙ୍କ ପାଖକୁ ପହଞ୍ଚିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି ଉଦ୍ଧାର ଏବଂ ରିଲିଫ୍ ଦଳ ।
Powered by Froala Editor