ଶୁକ୍ରୁ ସହ ଆତ୍ମସମର୍ପଣ କରିଥିବା ୪ ମାଓବାଦୀଙ୍କୁ ଉତ୍ତରୀୟ ଦେଇ ସ୍ବାଗତ
ଫୁଲବାଣୀ: ଫୁଲବାଣୀ ରିଜର୍ଭ ପୋଲିସ ଗ୍ରାଉଣ୍ଡରେ ମାଓ ନେତା ଶୁକ୍ରୁ। ଆତ୍ମସମର୍ପଣ ପରେ ଆଜି ଶୁକ୍ରୁ ସହ ଆତ୍ମସମର୍ପଣ କରିଥିବା ଅନ୍ୟ ୪ ମାଓବାଦୀଙ୍କୁ ଫୁଲ ଏବଂ ଉତ୍ତରୀୟ ଦେଇ ସ୍ବାଗତ କରାଯାଇଛି। ଆଣ୍ଟି ନକ୍ସଲ ଅପରେସନ ଏଡିଜି ସଞ୍ଜୀବ ପଣ୍ଡା ଏବଂ ଜିଲ୍ଲାର ଅନ୍ୟ ବରିଷ୍ଠ ପୋଲିସ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।
ସୂଚନା ଅନୁଯାୟୀ ଗତକାଲି ମାଓ ସଂଗଠନର ମୋଷ୍ଟ ୱାଣ୍ଟେଡ ଶୁକ୍ରୁ ସମେତ ୫ଜଣ ମାଓବାଦୀ କନ୍ଧମାଳ ପୁଲିସ ନିକଟରେ ଆତ୍ମସର୍ମପଣ କରିଥିଲେ। ଶୁକ୍ରୁଙ୍କ ମୁଣ୍ଡ ଉପରେ ରହିଥିଲା ୫୫ ଲକ୍ଷ ଟଙ୍କାର ପୁରସ୍କାର ରାଶି । ସେମାନଙ୍କ ମଧ୍ୟରେ ଦୁଇଜଣ ଓଡ଼ିଶାର ଓ ତିନିଜଣ ଛତିଶଗଡ଼ର ବୋଲି ସୂଚନା ମିଳିଥିଲା ।
ସାଥୀ ନକ୍ସଲ ନେତା ଅନ୍ୱେଷ ଓରଫ ରେଣୁଙ୍କୁ ହତ୍ୟା କରି ଗତ ମାସରେ ସେ ଚର୍ଚ୍ଚାରେ ଥିଲା। ଅନ୍ୱେଷ ଆତ୍ମସମର୍ପଣ କରିବାକୁ ଚାହୁଁଥିବା ବେଳେ ଶୁକ୍ରୁ ଓ ତା’ ସାଥୀମାନେ ତାଙ୍କୁ ମାରି ପୋତି ଦେଇଥିଲେ ବୋଲି ପୁଲିସ କହିଥିଲା। ଆତ୍ମସମର୍ପଣ ପାଇଁ ଶୁକ୍ରୁଙ୍କୁ ଆହ୍ବାନ ଦେଇଥିଲା ଓଡ଼ିଶା ପୁଲିସ।
ଡିଭିଜନାଲ କମିଟି ସଦସ୍ୟ ସିଲା ଓରଫ ନାଗମଣି, ଏରିଆ କମିଟି ସଦସ୍ୟ ରଞ୍ଜିତା, ମଙ୍ଗୁ, ସନ୍ତୋଷ, ସନ୍ଧ୍ୟା, ସୁଷମା ମୁଣ୍ଡ ଉପରେ ୨୧ ଲକ୍ଷ ଟଙ୍କା ଲେଖାଏଁ ଅର୍ଥ ରାଶି ରହିଛି। ପାର୍ଟି ସଦସ୍ୟ ଜାନି ଓ ଅନ୍ୟ ୩ ମାଓବାଦୀଙ୍କ ମୁଣ୍ଡ ଉପରେ ୨ ଲକ୍ଷ ୭୫ହଜାର ଟଙ୍କା ଲେଖାଏଁ ଅର୍ଥ ରାଶି ରହିଛି। ଏମାନଙ୍କ ମଧ୍ୟରୁ ଶୁକ୍ରୁ ସମେତ ୫ଜଣ ଆତ୍ମସମର୍ପଣ କରିଥିବା ବେଳେ ଅଧିକାଂଶ ଫେରାର ଅଛନ୍ତି। ସେମାନଙ୍କୁ ଧରିବାକୁ ଏବେ କନ୍ଧମାଳ ଜଙ୍ଗଲରେ ଘେରାବନ୍ଦୀ କରି କମ୍ବିଂ ଅପରେସନ୍ କରାଯାଉଛି।
Powered by Froala Editor