ଆତ୍ମସମର୍ପଣ କରିବ ଟପ୍ ମାଓ ନେତା ପାପା ରାଓ
୨୦୨୪ରୁ ଆରମ୍ଭ ହୋଇଥିବା ନକ୍ସଲ ଦମନ ଅଭିଯାନର ଶେଷ ସମୟ ଚଳିତ ମାର୍ଚ୍ଚ ୩୧ ତାରିଖ ରହିଛି। ଏହି ସମୟରେ ମାଓବାଦୀ ସଙ୍ଗଠନକୁ ଏକ ବଡ଼ ଝଟ୍କା ଲାଗିଛି। ମୋଷ୍ଟ ୱାଣ୍ଟେଡ ଟପ୍ ମାଓବାଦୀ ନେତା ପାପା ରାଓ ମଙ୍ଗଳବାର ଛତିଶଗଡ଼ ବିଜାପୁର ପୋଲିସ ନିକଟରେ ଆତ୍ମସମର୍ପଣ କରିବାକୁ ଯାଉଛି। ଏପରିକି ତାଙ୍କ ସହ ଅନ୍ୟ ୧୭ଜଣ ଟପ୍ ମାଓବାଦୀ ନେତା ଆତ୍ମସମର୍ପଣ କରିଥିବା ଜଣାପଡିଛି।
ଖବର ଲେଖାଯିବା ବେଳକୁ ଇନ୍ଦ୍ରାବତୀ ଟାଇଗର ରିଜର୍ଭ ଜଂଗଲରୁ ପାପା ରାଓ ଓ ତାଂକ ସାଥୀ ବାହାରି ପଡ଼ିଥିଲେ। ଛତିଶଗଡର ଗୃହମନ୍ତ୍ରୀ ବିଜୟ ଶର୍ମା ଏହାକୁ ସ୍ବୀକାର କରିବା ସହ ସେ ଗତ ୩ ଦଶନ୍ଧି ଧରି ନକ୍ସଲ ସଂଗଠନର ସକ୍ରିୟ ଭୁମିକା ଗ୍ରହଣ କରିବା ସହ ବହୁ ହିଂସାରେ ଜଡିତ ଥିବା କହିଥିଲେ।
ସରକାରଙ୍କର ପୁନର୍ବାସ ନୀତି ଏବଂ ଲଗାତାର ଅପରେସନରେ ଭୟ କରି ଏମାନେ ସଂଗଠନ ଛାଡୁଥିବା ପ୍ରକାଶ କରିଛନ୍ତି। ପାପା ରାଓ ନାମରେ ସରକାର ୨୫ ଲକ୍ଷ ଟଂକାର ପୁରସ୍କାର ଘୋଷଣା କରିଛନ୍ତି। ଆଉ ୭ ଦିନ ମଧ୍ୟରେ ଜଂଗଲରୁ ସମସ୍ତ ନକ୍ସଲ ଫେରି ଆସିବା ନେଇ ଗୃହମନ୍ତ୍ରୀ ଶ୍ରୀ ଶର୍ମା ଆଶା ପ୍ରକଟ କରିଛନ୍ତି।
ପାପା ରାଓ ଓଡ଼ିଶା, ମହାରାଷ୍ଟ୍ର ଏବଂ ଛତିଶଗଡ଼ରେ ସକ୍ରିୟ ରହି ମାଓବାଦୀ କାର୍ଯ୍ୟକଳାପରେ ଜଡିତ ଥିଲେ। ଏପରିକି ୨୦୧୦ ଦନ୍ତେୱାଡାରେ ହୋଇଥିବା ମାଓବାଦୀ ଆକ୍ରମଣରେ ୭୬ଜଣ ସିଆରପିଏଫ ଯବାନ ଶହୀଦ ହେବା ସହ ଅନେକ ଆହତ ହୋଇଥିଲେ। ଏହି ଘଟଣାରେ ମାଓବାଦୀ ନେତା ପାପା ରାଓଙ୍କ ବଡ଼ ସମ୍ପୃକ୍ତି ରହିଥିଲା। ଅନ୍ୟପକ୍ଷେ ତାଙ୍କ ସ୍ତ୍ରୀ ଉର୍ମିଲା ମଧ୍ୟ ସକ୍ରିୟ ଏବଂ ପ୍ରଭାବଶାଳୀ ମାଓବାଦୀ ନେତା ଥିଲେ। ୨୦୨୫ ନଭେମ୍ୱର ୧୩ରେ ଇନ୍ଦ୍ରାବତୀ ଜାତୀୟ ଉଦ୍ୟାନ ଭିତରେ ସୁରକ୍ଷା ବାହିନୀଙ୍କ ଏନ୍କାଉଣ୍ଟରରେ ଉର୍ମିଲା ନିହତ ହୋଇଥିଲେ।
Powered by Froala Editor