ରାଷ୍ଟ୍ରପତିଙ୍କୁ ଅସମ୍ମାନ, ଟିଏମସିକୁ ନିନ୍ଦା କଲେ ମୋଦୀ
ପଶ୍ଚିମବଙ୍ଗ ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଏବେ ରାଜନୀତି ସରଗରମ ହୋଇଛି। ସିଲିଗୁଡ଼ିରେ ଆୟୋଜିତ ଆନ୍ତର୍ଜାତୀୟ ସାନ୍ତାଳ ସମ୍ମିଳନୀ ପାଇଁ ଉପଯୁକ୍ତ ସ୍ଥାନ ଯୋଗାଇ ନ ଦେବା ଏବଂ ପ୍ରୋଟୋକଲ ପାଳନ କରାଯାଇ ନ ଥିବା ଅଭିଯୋଗ କରି ରାଷ୍ଟ୍ରପତି ନିଜେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟିଏମସି ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପଶ୍ଚିମବଙ୍ଗ ଗସ୍ତ ସମୟରେ ଘୋର ଅସମ୍ମାନ ପ୍ରଦର୍ଶନ ଘଟଣାରେ ସମାଲୋଚନା କରିଛନ୍ତି ମୋଦୀ। “ଏକ୍ସ”ରେ ସମାଲୋଚନା କରିଥିଲା ବେଳେ ଖୋଲା ମୈଦାନରେ ନିନ୍ଦା କରିଛନ୍ତି।
ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ନୂଆଦିଲ୍ଲୀରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ରାଷ୍ଟ୍ରପତି ସାନ୍ତାଳୀ ସମ୍ପ୍ରଦାୟର ଏକ ପ୍ରମୁଖ ଉତ୍ସବରେ ଯୋଗଦେବା ପାଇଁ ବଙ୍ଗଳା ଯାଇଥିଲେ। କିନ୍ତୁ ରାଷ୍ଟ୍ରପତିଙ୍କୁ ସମ୍ମାନିତ କରିବା ପରିବର୍ତ୍ତେ ଟିଏମସି ଏହି କାର୍ଯ୍ୟକ୍ରମକୁ ବର୍ଜନ କରିଥିଲା। ଆଜି ଦେଶ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରୁଥିବା ସମୟରେ, ଏହା ଗଭୀର ଭାବରେ ଚିନ୍ତାଜନକ ଯେ ପଶ୍ଚିମବଙ୍ଗର ଟିଏମସି ସରକାର ଭାରତର ମାନ୍ୟବର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ଘୋର ଅସମ୍ମାନ ପ୍ରଦର୍ଶନ କରିଛନ୍ତି। ଏହି କାର୍ଯ୍ୟକ୍ରମର ବିଶେଷ ଗୁରୁତ୍ୱ ରହିଛି କାରଣ ରାଷ୍ଟ୍ରପତି ନିଜେ ଆଦିବାସୀ ପୃଷ୍ଠଭୂମିରୁ ଆସିଛନ୍ତି ଏବଂ ସାନ୍ତାଳୀ ସମ୍ପ୍ରଦାୟର କଲ୍ୟାଣ ପାଇଁ ନିରନ୍ତର ଚିନ୍ତା ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ଆହୁରି ଅଭିଯୋଗ କରିଛନ୍ତି ଯେ, ରାଜ୍ୟ ସରକାରଙ୍କ କାର୍ଯ୍ୟ ଏହି କାର୍ଯ୍ୟକ୍ରମର କୁପରିଚାଳନା କରିଥିଲା। ଏହା ରାଷ୍ଟ୍ରପତି, ସମ୍ବିଧାନ ଏବଂ ଗଣତାନ୍ତ୍ରିକ ପରମ୍ପରାର ଅପମାନ ଥିଲା ବୋଲି ମୋଦୀ କହିଛନ୍ତି।
ତେବେ ରାଷ୍ଟ୍ରପତି କହିଥିଲେ ଯେ,”ମୁଁ ମଧ୍ୟ ବଙ୍ଗଳାର ଝିଅ ଏବଂ ମମତା ଦିଦି ମୋ ଭଉଣୀ ଭଳି। କିନ୍ତୁ ପ୍ରଶାସନ ସମ୍ମିଳନୀ ପାଇଁ ଏମିତି ଏକ ଦୂର ସ୍ଥାନ ବାଛିଲେ ଯେଉଁଠାକୁ ସାନ୍ତାଳ ଲୋକମାନେ ଆସିପାରିଲେ ନାହିଁ। ରାଷ୍ଟ୍ରପତି ଆସିବା ସମୟରେ ମୁଖ୍ୟମନ୍ତ୍ରୀ କିମ୍ବା ମନ୍ତ୍ରୀମାନେ ଉପସ୍ଥିତ ରହିବା ଉଚିତ, କିନ୍ତୁ ସେମାନେ ଆସିଲେ ନାହିଁ।”
ଅପରପକ୍ଷେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଷ୍ଟ୍ରପତିଙ୍କ ବୟାନକୁ ଭାଜପା ପ୍ରୟୋଜିତ ବୋଲି କହିଛନ୍ତି। ସେ କହିଛନ୍ତି, “ମ୍ୟାଡାମ, ଆପଣ ଦେଶର ନମ୍ବର ୧ ପଦବୀରେ ଅଛନ୍ତି, ନିର୍ବାଚନ ସମୟରେ ଭାଜପା କହିବା ଅନୁଯାୟୀ ରାଜନୀତି କରନ୍ତୁ ନାହିଁ।”ଯେତେବେଳେ ମଧ୍ୟପ୍ରଦେଶ କିମ୍ବା ଛତିଶଗଡ଼ରେ ଆଦିବାସୀଙ୍କ ଉପରେ ଅତ୍ୟାଚାର ହୁଏ, ସେତେବେଳେ ରାଷ୍ଟ୍ରପତି କାହିଁକି ଚୁପ ରୁହନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି।
Powered by Froala Editor