ପାଠ ପଢିବାକୁ ବାପାମା’ କଲେ ତାଗିଦ୍, ସହିନପାରି ଝୁଲି ପଡିଲା ନାବାଳକ ପୁଅ
କେନ୍ଦୁଝର: ସାମାନ୍ୟ ପାଠ ପଢ଼ିବା ପାଇଁ ବାପାମା’ଙ୍କ ତାଗିଦ୍ ଜଣେ ନାବାଳକର ଜୀବନ ନେଇଯାଇଛି। କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ କୁଣ୍ଡଳା ପଞ୍ଚାୟତ ଫୁଲପାହାଡ଼ି ଗ୍ରାମରେ ଏଭଳି ଏକ ଦୁଃଖଦ ଘଟଣା ଘଟିଛି। ମୃତ ନାବାଳକ ଜଣକ ହେଲେ ଗୋପୀନାଥ ମୁଣ୍ଡାଙ୍କ ୧୬ ବର୍ଷୀୟ ପୁଅ ରାଜେଶ ମୁଣ୍ଡା।
ରାଜେଶ ନବମ ଶ୍ରେଣୀରେ ପଢ଼ୁଥିଲେ। ପରିବାର ଲୋକଙ୍କ ସୂଚନା ଅନୁସାରେ, ପାଠ ପଢ଼ିବା ପାଇଁ ଘର ଲୋକେ ତାଙ୍କୁ ତାଗିଦ୍ କରିଥିଲେ। ଏଥିରେ ମର୍ମାହତ ହୋଇ ରାଜେଶ ଗତକାଲି ଅପରାହ୍ନ ପ୍ରାୟ ୨ଟା ସମୟରେ ଘରୁ ବାହାରକୁ ଚାଲିଯାଇଥିଲେ। ସନ୍ଧ୍ୟା ସମୟରେ ଗ୍ରାମବାସୀ ଶୌଚ ପାଇଁ ପୋଖରୀ କୂଳକୁ ଯାଇଥିବା ବେଳେ ଏକ କେନ୍ଦୁ ଗଛରେ ରାଜେଶଙ୍କୁ ଝୁଲୁଥିବା ଅବସ୍ଥାରେ ଦେଖିବାକୁ ପାଇଥିଲେ।
ଖବର ପାଇ ପରିବାର ଲୋକେ ତୁରନ୍ତ ରାଜେଶଙ୍କୁ ଉଦ୍ଧାର କରି ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
Powered by Froala Editor