ଚୌଦ୍ୱାର ଜେଲରୁ ଚମ୍ପଟ ମାରିଥିବା କଏଦୀର ଆଜି ଶେଷ ହେବ ରିମାଣ୍ଡ ଅବଧି
ଚୌଦ୍ବାର : ଚୌଦ୍ୱାର ଜେଲରୁ ଚମ୍ପଟ ମାରିଥିବା ବିହାରୀ କଏଦୀ ମଧୁକାନ୍ତ ରାଣାଙ୍କୁ ଗିରଫ ପରେ ମଙ୍ଗଳବାର ଚୌଦ୍ୱାର ପୁଲିସ ୬ ଦିନିଆ ରିମାଣ୍ଡରେ ନେଇଥିଲା। ଆଜି ରିମାଣ୍ଡ ଶେଷ ହେଉଛି। ଅଜ୍ଞାତ ସ୍ଥାନରେ ରଖି ପୁଲିସ ମଧୁକାନ୍ତଙ୍କୁ ପଚରାଉଚରା କରୁଛି। ତାଠାରୁ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିଥିବା ବିଶେଷସୂତ୍ରରୁ ଜଣାପଡ଼ିଛି। ସୂଚନାଯୋଗ୍ୟ, ମଧୁକାନ୍ତ ଜେଲ୍ରୁ ଫେରାର ହୋଇ ବୃନ୍ଦାବନରେ ଏକ ମଠରେ କାର୍ଯ୍ୟ କରୁଥିଲା। ଗତ ୧୪ ତାରିଖରେ ମଧୁକାନ୍ତକୁ ସେଠାରୁ ଗିରଫ କରାଯାଇ ଚୌଦ୍ବାର ଜେଲର ୩ ନମ୍ୱର ସେଲ୍ରେ ରଖାଯାଇଥିଲା। ୭ଦିନ ପାଇଁ ରିମାଣ୍ଡରେ ଆଣିବା ପାଇଁ ପୁଲିସ କୋର୍ଟରେ ଆବେଦନ କରିଥିଲା। ଗତ ୧୭ ତାରିଖରେ କୋର୍ଟ ୬ଦିନ ରିମାଣ୍ଡ ମଞ୍ଜୁର କରିଥିଲେ। ପୁଲିସ ରିମାଣ୍ଡରେ ନେବା ପୂର୍ବରୁ ୩ ଦିନ ମଧୁକାନ୍ତ ଚୌଦ୍ବାର ଜେଲରେ ରହିଥିଲା। ଏହି ସମୟର ଜେଲ୍ରେ ତାକୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। ଏନେଇ କଟକ ଡିସିପି ଜେଲ କର୍ତ୍ତୃପକ୍ଷଙ୍କୁ ତାଗିଦ କରିଥିବା ଜଣାପଡ଼ିଛି। ତେବେ ଅଭିଯୋଗ ସଂକ୍ରାନ୍ତରେ ଜେଲ ଅଧୀକ୍ଷକ ସୁଜିତ ରାଉଳଙ୍କୁ ପଚାରିବାରୁ ମାଡ଼ ଘଟଣାକୁ ସେ ଅସ୍ବୀକାର କରିଛନ୍ତି।
ବିଶ୍ବସ୍ତ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଘଟଣାଦିନ ମଧୁକାନ୍ତ ଓ ଅନ୍ୟତମ ଫେରାର ରାଜା ସାହାଣୀ ଜେଲ୍ ପାଚେରି ଡେଇଁ ଚାରବାଟିଆ ଷ୍ଟେସନ ଯାଇଥିଲେ। ସେଠାରୁ ପୁରୀ ଅଭିମୁଖେ ଯିବା ପରେ ଦୁଇଜଣ ଭିନ୍ନ ଦିଗରେ ଯାତ୍ରା କରିଥିଲେ। ମଧୁକାନ୍ତ ସେଠାରୁ ବୃନ୍ଦାବନ ଅଭିମୁଖେ ଯିବା ସମୟରେ ରାଜା ଜଣେ ବ୍ୟକ୍ତି ଠାରୁ ଟଙ୍କା ଲୁଟ୍ କରି କିଛି ଟଙ୍କା ମଧୁକାନ୍ତକୁ ଦେଇଥିଲା। ମଧୁକାନ୍ତ ବୃନ୍ଦାବନରେ ପହଞ୍ଚି ଏକ ମଠରେ ନିଜ ନାମ ବାସୁ ପାଣ୍ଡେ ନାମରେ ପରିଚୟ ଦେଇ କର୍ମଚାରୀ ଭାବେ କାମ କରୁଥିଲା। ଭାଲେଣ୍ଟାଇନ୍ ଡେ’ ପୂର୍ବରୁ ନିଜ ପ୍ରେମିକା ସହିତ ମଧୁକାନ୍ତ ଯୋଗାଯୋଗ କରିଥିଲା। ପୂର୍ବରୁ ପୁଲିସ ଦୁଇ ଜେଲ ଫେରାର କଏଦୀଙ୍କ ସମ୍ପର୍କୀୟ ମାନଙ୍କ ଉପରେ ତୀକ୍ଷ୍ମ ନଜର ରଖିଥିଲା। ପ୍ରେମିକା ସହିତ ଯୋଗାଯୋଗର ସୁରାକ ପୁଲିସ ହାତରେ ଲାଗିବା ପରେ ମଧୁକାନ୍ତ ଠିକଣାକୁ ଠାବ କରି ସେଠାରୁ ଗିରଫ କରିବାରେ ପୁଲିସ ସକ୍ଷମ ହୋଇଥିଲା।
Powered by Froala Editor