ବ୍ଲେଡ୍ରେ ରକ୍ତାକ୍ତ କଲା, ବାଡି ପୂରାଇ ଅନ୍ତବୁଜୁଳା ବାହାର କରିଦେଲା

ଯୁକ୍ତିତର୍କରୁ ଗଣ୍ଡଗୋଳ । ଆଉ ହାତାହାତିରେ ଜଣେ ବ୍ୟକ୍ତି ନିଶାରେ ଗଣେଶ ପାତ୍ର ନାମକ ଯୁବକକୁ ବ୍ଲେଡରେ ଆକ୍ରମଣ କରିଛି । ଆକ୍ରମଣରେ ଯୁବକର ପେଟରୁ ଅନ୍ତବୁଜୁଳା ବାହାରି ଯାଇଛି । ଏ ଘଟଣା ବ୍ରହ୍ମପୁର ସଦର ଥାନା ପଲ୍ଲିଗାଁରେ ଘଟିଛି । ଗଣେଶ ପାତ୍ର ଗୁରୁତର ହୋଇ ଏମ୍କେସିଜିରେ ଚିକିତ୍ସିତ ହେଉଛନ୍ତି ।
ଯୋଗିଆପଲ୍ଲି ଗ୍ରାମର ଗଣେଶ କାମ ସାରି ନିଜ ଘରକୁ ଫେରୁଥିବା ବେଳେ ପଲ୍ଲୀଗାଁ ନିକଟରେ ରଜନୀକାନ୍ତ ମହାନ୍ତି ମଦ୍ୟପ ଅବସ୍ଥାରେ ତାଙ୍କୁ ଅଟକାଇଥିଲେ। ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଏହି ସମୟରେ ହଠାତ୍ ରଜନିକାନ୍ତ ହାତରେ ଧରିଥିବା ଏକ ବ୍ଲେଡ ସାହାଯ୍ୟରେ ଗଣେଶଙ୍କ ପେଟକୁ କାଟି ଦେଇଥିଲା। ଗଣେଶଙ୍କ ପେଟରୁ ପ୍ରଚୁର ରକ୍ତ ବାହାରିବା ସହ ସେ ତଳେ ପଡ଼ିଯାଇଥିଲେ। ଏହି ସମୟରେ ରଜନିକାନ୍ତ ଏକ ବାଡି ଆଣି ଉକ୍ତ କଟା ସ୍ଥାନରେ ପୁରାଇ ଦେଇ ଅନ୍ତବୁଜୁଳା ବାହାର କରିଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।
ରକ୍ତାକ୍ତ ଅବସ୍ଥାରେ ଗଣେଶ ତଳେ ପଡ଼ି ଚିିତ୍କାର କରୁଥିବା ବେଳେ ସଦରଥାନା ପୁଲିସ କୌଣସି ସୂତ୍ରରୁ ଖବର ପାଇ ତୁରନ୍ତ ସେଠାରେ ପହଞ୍ଚି ଗୁରୁତର ଗଣେଶଙ୍କୁ ଏମକେସିଜି ଆଣି ଭର୍ତ୍ତି କରିଥିଲେ। ସେଠାରେ ତାଙ୍କ ଚିକିତ୍ସା ଆରମ୍ଭ ହୋଇଥିଲା। ଗୋଟିଏ ଦିନ ପରେ ପେଟରେ ଅସ୍ତ୍ରୋପଚାର ହେବା ସମୟରେ ରକ୍ତର ଅଭାବ ଥିବା ଯୋଗୁଁ ଗଣେଶଙ୍କୁ ପୁଲିସ ପକ୍ଷରୁ ୪ ବୋତଲ ରକ୍ତ ଯୋଗାଡ କରାଯାଇଥିଲା। ବର୍ତ୍ତମାନ ଗଣେଶଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍ ଥିବା କୁହାଯାଇଛି। ଗଣେଶ ଜଣେ ଗରୀବ ଶ୍ରେଣୀର ବ୍ୟକ୍ତି ହୋଇଥିବା ଯୋଗୁଁ ରେଡକ୍ରସ୍ରୁ ମଧ୍ୟ ଉକ୍ତ ପରିବାରକୁ ପୁଲିସ ସହଯୋଗରେ ୨୫ ହଜାର ଟଙ୍କା ପ୍ରଦାନ କରାଯାଇଛି।
ସୂଚନାଯୋଗ୍ୟ ଯେ, ଅଭିଯୁକ୍ତ ରଜନିକାନ୍ତଙ୍କ ପାଇଁ ବ୍ଲେଡରେ କୌଣସି ବ୍ୟକ୍ତିଙ୍କୁ ଆକ୍ରମଣ କରିବା ପ୍ରଥମ ନୁହେଁ, ପୂର୍ବରୁ ସେ ବଡବଜାର ଥାନା ଏବଂ ସଦରଥାନା ଅଞ୍ଚଳରେ ଦୁଇ ଜଣ ଲୋକଙ୍କୁ ମଧ୍ୟ ବ୍ଲେଡରେ ଆକ୍ରମଣ କରି ରକ୍ତାକ୍ତ କରିଦେଇଥିଲେ।
Powered by Froala Editor