ପ୍ରଶଂସା ସାଉଁଟି ଚାଲିଛି "ବର ବଧୂ'
ନବ ବିବାହିତ ସ୍ୱାମୀ-ସ୍ତ୍ରୀଙ୍କ ଜୀବନକୁ ନେଇ ନିର୍ମିତ ନିଚ୍ଛକ ଓଡ଼ିଆ ଚଳଚ୍ଚିତ୍ର "ବର ବଧୂ' ଦର୍ଶକଙ୍କ ହୃଦୟକୁ ଛୁଇଁଛି । ସେଥିପାଇଁ ସମସ୍ତଙ୍କ ସାମାଜିକ ଗଣମାଧ୍ୟମରେ ଶୁଭେଚ୍ଛା ଓ ଅଭିନନ୍ଦନ । ପାରିବାରିକ ସମ୍ବନ୍ଧର ସୂକ୍ଷ୍ମ ଭାବନା ଏବଂ ସମ୍ପର୍କର ସେତୁକୁ ସୁଦୃଢ଼ କରିବାର ଅନବରତ ପ୍ରୟାସକୁ ଆଧାର କରି ପ୍ରସ୍ତୁତ "ବର ବଧୂ' ର ଅନୁଭୂତି ଭାବପ୍ରବଣ କରିଛି ।
ବର୍ତ୍ତମାନ "ବର ବଧୂ' ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ସହ ପ୍ରଶଂସାର ଝଡ଼ ସୃଷ୍ଟି କରିଛି । ପ୍ରିମିୟର୍ ପରଠୁ ପୂରା ଟିମ୍କୁ ଯେଉଁ ପ୍ରଶଂସା ସାଉଁଟି ଚାଲିଛି ସେଥିରେ ଆଉ କୌଣସି ପ୍ରମାଣର ଆବଶ୍ୟକତା ନାହିଁ । ସମସ୍ତେ ବାଃ ବାଃ କହୁଛନ୍ତି । ଶୁଭାଶିଷ ଶର୍ମା, ସୂର୍ଯ୍ୟମୟୀ ମହାପାତ୍ର, ହର ରଥ ଓ ଭାସ୍ୱତୀ ବସୁଙ୍କ ନିଖୁଣ ଅଭିନୟ ସିନେମାକୁ ଅଧିକ ପ୍ରଭାବଶାଳୀ କରିଛି । ଓଡ଼ିଆ ପାରିବାରିକ ଜୀବନ, ପ୍ରେମ, ବେରୋଜଗାର ସମସ୍ୟା ଏବଂ ଆଚାର-ବିଚାର ଭରା ହୃଦୟସ୍ପର୍ଶୀ କାହାଣୀ ଦର୍ଶକଙ୍କୁ ନିଜ ପରିସ୍ଥିତି ସ୍ମରଣ କରାଇ ଭାବପ୍ରବଣ କରିଛି ।
ହଲ୍ରୁ ବାହାରିଲା ବେଳକୁ କାହାକୁ ପ୍ରଶଂସା କରିବେ କାହାକୁ ଛାଡ଼ିବେ ଭାବି ପାରୁନାହାନ୍ତି । ଦ ୟୁଜ୍ଫୁଲ୍ ଗାର୍ବେଜ କ୍ରିଏସନ୍ସ ବ୍ୟାନରରେ ଚନ୍ଦ୍ରମଣିଙ୍କ ପ୍ରଯୋଜିତ ଏବଂ ନିର୍ଦ୍ଦେଶକ ବିଶ୍ୱରଞ୍ଜନଙ୍କ ସୁଚିନ୍ତିତ ନିର୍ଦ୍ଦେଶନା ସିନେମାକୁ ସମ୍ବେଦନଶୀଳ ରୂପ ଦେଇଛି ।
ସିନେମାଟି ମୋଟ୍ ୬୦ ସ୍କ୍ରିନ୍ରୁ ଓଡ଼ିଶାରେ ୫୦ ଏବଂ ବାହାରେ ୧୦ଟି ସ୍କ୍ରିନ୍ରେ ସଫଳତାର ସହ ସୋ’ କରିଚାଲିଛି । ଗତ ୩ ଦିନ ମଧ୍ୟରେ ୨୫ ହଜାରରୁ ଅଧିକ ଦର୍ଶକ ସିନେମାକୁ ଦେଖିସାରିଲେଣି । ଦର୍ଶକଙ୍କ ଆଗ୍ରହ ଓ ଅନୁରୋଧରେ ରାଜ୍ୟ ଭିତରେ ଏବଂ ବାହାରେ ବିଭିନ୍ନ ସ୍ଥାନରେ ରିଲିଜ୍ ସାଙ୍ଗକୁ ବ୍ରହ୍ମପୁରରେ ସ୍ୱତନ୍ତ୍ର ମିଡ୍ନାଇଟ୍ ସୋ’ ହୋଇଛି ।
Powered by Froala Editor