ଆଦାନୀଙ୍କ ବିରୋଧରେ ମାମଲା ପ୍ରକୃତରେ ମୋଦୀଙ୍କ ବିରୋଧରେ ବୋଲି କହିଲେ ରାହୁଲ
ନୂଆଦିଲ୍ଲୀ: ଆଜି ଲୋକସଭାର ବଜେଟ ଅଧିବେଶନରେ ଅଭିଭାଷଣ ରଖିଛନ୍ତି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ସେ ଏପଷ୍ଟିନ୍ ଫାଇଲ ଏବଂ ଆମେରିକାରେ ଆଦାନୀଙ୍କ ବିରୋଧରେ ଚାଲିଥିବା ମାମଲା ବିଷୟରେ କହିଛନ୍ତି । ଆଦାନୀଙ୍କ ବିରୋଧରେ ମାମଲା ପ୍ରକୃତରେ ମୋଦୀଙ୍କ ବିରୋଧରେ ବୋଲି ରାହୁଲ ଅଭିଯୋଗ କରିଛନ୍ତି । ଯାହାକି ବିଜେପିର ଆର୍ଥିକ ଢାଞ୍ଚାକୁ ଭାଙ୍ଗି ଦେବ।
କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ ତୁରନ୍ତ ରାହୁଲଙ୍କୁ ବାଧା ଦେଇଥିଲେ। ସେ କହିଥିଲେ, “ଆପଣ ଯାହା କହିଛନ୍ତି ତାହା ପ୍ରମାଣ କରନ୍ତୁ, ନଚେତ୍ ଆପଣଙ୍କ ବୟାନ ଗୃହରେ ରେକର୍ଡ କରାଯିବା ଉଚିତ୍ ନୁହେଁ।” କଂଗ୍ରେସ ନେତା ଉତ୍ତର ଦେଇଥିଲେ, “ମୁଁ ଏବେ ପ୍ରମାଣ ପ୍ରଦାନ କରିବି। ମୁଁ ତୁରନ୍ତ ସମସ୍ତ ପ୍ରମାଣ ପ୍ରଦାନ କରିବାକୁ ପ୍ରସ୍ତୁତ।” ତଥାପି, ବାଚସ୍ପତି ରାହୁଲଙ୍କୁ ଅଟକାଇଥିଲେ ଏବଂ କହିଥିଲେ, “ମୁଁ ପ୍ରମାଣ ମାଗି ନାହିଁ। ଆପଣ କହିବା ଜାରି ରଖନ୍ତୁ। ପରେ ପ୍ରମାଣ କରନ୍ତୁ।”
ରାହୁଲ ଆମେରିକା ସହିତ ବାଣିଜ୍ୟ ଚୁକ୍ତି, ଏପଷ୍ଟିନ୍ ଫାଇଲ ପ୍ରକାଶ ଏବଂ ବଜେଟ୍ ସମ୍ପର୍କରେ ମଧ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ। ରାହୁଲ କହିଥିଲେ, “ଆପଣ (କେନ୍ଦ୍ର ସରକାର) ଭାରତକୁ ବିକ୍ରି କରିଦେଇଛନ୍ତି। ଆପଣ ଆମର ଭାରତ ମାତାକୁ ବିକ୍ରି କରି ଲଜ୍ଜିତ ନୁହଁନ୍ତି କି?”
ରାହୁଲ ଗାନ୍ଧୀ ଗୃହ ବାହାରେ ଭାଷଣ ଦେଇ କହିଛନ୍ତି, “ମୁଁ କହିଛି ଯେ ମୁଁ ମୋର ଦାବିକୁ ପ୍ରମାଣ କରିବି। ଆମେରିକାର ନ୍ୟାୟ ବିଭାଗ ପାଖରେ ଏପଷ୍ଟିନ୍ ମାମଲା ସହିତ ଜଡିତ ଫାଇଲ ଅଛି, ଯେଉଁଥିରେ ହରଦୀପ ପୁରୀ ଏବଂ ଅନିଲ ଅମ୍ବାନୀଙ୍କ ନାମ ଅନ୍ତର୍ଭୁକ୍ତ। ଆଦାନୀଙ୍କ ବିରୁଦ୍ଧରେ ଏକ ମାମଲା ଚାଲିଛି। ତାଙ୍କୁ ସମନ ଜାରି କରାଯାଇଛି। ସେ ୧୮ ମାସ ଧରି ଏହାର ଉତ୍ତର ଦେଇନାହାଁନ୍ତି।”
ରାହୁଲ କହିଛନ୍ତି, “ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଯୋଗୁଁ ଶକ୍ତି ସୁରକ୍ଷା ବିପଦରେ ପଡ଼ିଛି। ସରକାର ଆମର ଶକ୍ତି ସୁରକ୍ଷାକୁ ଆମେରିକାକୁ ହସ୍ତାନ୍ତର କରିଛନ୍ତି। ଏହା ସମ୍ପୂର୍ଣ୍ଣ ଆତ୍ମସମର୍ପଣ।”
Powered by Froala Editor