ଆଉ ୪ ଦିନ କାଳବୈଶାଖୀ, ୧୫ ଯାଏ ପାଗରେ ପରିବର୍ତ୍ତନ ନାହିଁ
ଭୁବନେଶ୍ୱର: ରାଜ୍ୟରେ ଏବେ କାଳବୈଶାଖୀ ଜନିତ ବର୍ଷା ଜାରି ରହିଛି । ଆସନ୍ତା ୧୫ ଯାଏ ପାଗରେ ବିଶେଷ ପରିବର୍ତ୍ତନ ନାହିଁ । ରାଜ୍ୟରେ ତାତି କମିବ ଓ ପାଗ ଥଣ୍ଡା ରହିବ । ଗତକାଲି ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର କୋରାପୁଟ ଜିଲ୍ଲା ଲମତାପୁଟଠାରେ ସର୍ବାଧିକ ୮୦ ମିମି ବର୍ଷା ରେକର୍ଡ ହୋଇଛି । ସେହିପରି କଳାହାଣ୍ଡି ଲାଞ୍ଜିଗଡ଼ରେ ୩୦ ମିମି, କନ୍ଧମାଳ ନୂଆଗାଁ ଓ ଗଜପତି ଜିଲ୍ଲା ଆର ଉଦୟଗିରିରେ ୨୦ ମିମି ଲେଖାଏଁ ଏବଂ ରାୟଗଡ଼ାଠାରେ ୧୦ ମିମି ବର୍ଷା ହୋଇଯାଇଛି । ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ କାଳବୈଶାଖୀ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଏ ନେଇ ଏସଆରସି ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖି ସତର୍କ ରହିବାକୁ ଓ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ପରାମର୍ଶ ଦେଇଛନ୍ତି ।
ପାଣିପାଗ କେନ୍ଦ୍ରର ସୂଚନା ମୁତାବକ କନ୍ଧମାଳ, ବୌଦ୍ଧ, ଅନୁଗୁଳ, ଢେ଼ଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ମାଲକାନଗିରି, କୋରାପୁଟ, ନୂଆପଡ଼ା, ନବରଙ୍ଗପୁର ଓ କଳାହାଣ୍ଡି ଆଦି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ । ପବନର ବେଗ ଘଣ୍ଟାପ୍ରତି ୩୦ ରୁ ୪୦ ମିମି ପର୍ଯ୍ୟନ୍ତ ରହିବ । ସେହିଭଳି ୧୩ ତାରିଖ ଦିନ ମାଲକାନଗିରି, ରାୟଗଡ଼ା, କୋରାପୁଟ, କନ୍ଧମାଳ, ମୟୂରଭଞ୍ଜ ଓ ବାଲେଶ୍ୱର ଆଦି ଜିଲ୍ଲାରେ ଏବଂ ୧୪ ତାରିଖ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ନବରଙ୍ଗପୁର ଆଦି ଜିଲ୍ଲାରେ ଝଡ଼ବର୍ଷା ହେବ । ୧୫ ତାରିଖ ଦିନ ପବନରେ ବେଗ ବଢ଼ିବ ।