ରାହୁଲଙ୍କ ଡାକରାରେ ଦିଲ୍ଲୀରେ କଂଗ୍ରେସର ତୁଙ୍ଗ ନେତା
ଭୁବନେଶ୍ବର : ରାହୁଲଙ୍କ ଡାକରାରେ ଦିଲ୍ଲୀରେ ରାଜ୍ୟ କଂଗ୍ରେସର ତୁଙ୍ଗ ନେତାମାନେ ପହଞ୍ଚିଛନ୍ତିି। ଭୋଟ ଚୋରିକୁ ନେଇ ରବିବାର ଦିଲ୍ଲୀର ରାମଲୀଳା ମଇଦାନରେ ହେବାକୁ ଥିବା ଜନ ଆନ୍ଦୋଳନରେ ନେତାମାନେ ସାମିଲ ହେବେ। ଗୋଟିଏ ପଟେ ବରିଷ୍ଠ କଂଗ୍ରେସ ନେତା ମହମ୍ମଦ ମୋକିମଙ୍କ ଚିଠିକୁ ନେଇ ରାଜ୍ୟ କଂଗ୍ରେସରେ ଝଡ଼ ସୃଷ୍ଟି ହୋଇଥିବା ବେଳେ ଦିଲ୍ଲୀରେ କଂଗ୍ରେସ ନେତା ଏକଜୁଟ ହେବା ଭିନ୍ନ କିଛି ଇସାରା ଦେଉଛି।
ଦଳୀୟ ସଙ୍ଗଠନରେ ସୁଧାର ଆଣିବାକୁ କଂଗ୍ରେସର ସର୍ବୋଚ୍ଚ ନେତ୍ରୀ ସୋନିଆ ଗାନ୍ଧୀଙ୍କୁ ମୋକିମ ଲେଖିଥିବା ଚିଠିକୁ ନେଇ ଦଳରେ କମ୍ପନ ସୃଷ୍ଟି ହୋଇଛି। ଦେଶ ତଥା ରାଜ୍ୟରେ ଦଳର ବିଫଳତା ପାଇଁ ସେ ଏଆଇସିସିର ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତିକୁ ଦାୟୀ କରିଛନ୍ତି। ଯୁବବର୍ଗଙ୍କୁ ଦଳରେ ପ୍ରାଧାନ୍ୟ ଦିଆଯାଉନି ବୋଲି ସିଧାସଳଖ ଆକ୍ଷେପ କରିଥିବା ବେଳେ ପୂର୍ବତନ ପିସିସି ସଭାପତି ଶରତ ପଟ୍ଟନାୟକ ଓ ଏବେକାର ପିିସିସି ସଭାପତି ଭକ୍ତ ଦାସଙ୍କୁ ନିଶାଣ କରିଥିଲେ। ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ କାର୍ଯ୍ୟଶୈଳୀକୁ ନେଇ ବି ପ୍ରଶ୍ନ କରିଥିଲେ। ଚିଠିକୁ ନେଇ ମୋକିମଙ୍କ ସପକ୍ଷ ଓ ବିରୋଧରେ ରାଜ୍ୟ କଂଗ୍ରେସର ବହୁ ନେତା ସ୍ବର ଉଠାଇଛନ୍ତି। ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉ ବୋଲି ଭକ୍ତଙ୍କ ସମର୍ଥକ ଦାବି କରୁଛନ୍ତି। ଏଣେ ମୋକିମଙ୍କ ଚିଠିକୁ ନେଇ ରାଜ୍ୟ କଂଗ୍ରେସରେ ଆଲୋଡ଼ନ ସୃଷ୍ଟି ହୋଇଥିବା ବେଳେ ଅନ୍ୟପକ୍ଷରେ ଭୋଟ ଚୋରି ଅବସରରେ ଓଡ଼ିଶା ନେତା ଦିଲ୍ଲୀରେ ଏକାଠି ହେବା ଅନେକ କିଛି ଚର୍ଚ୍ଚାକୁ ବଢ଼ାଇଛି।
Powered by Froala Editor