ପ୍ରଫୁଲ୍ଲ ସାମଲଙ୍କ ରାଜନୈତିକ ଭବିଷ୍ୟତ: ଭଦ୍ରକରେ ବାପା ଗଡ଼ ଜଗିଥିବାବେଳେ ଗଡ଼ ଦୋହଲାଇଲେ ଦୁଇ ପୁଅ
ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା ଟାଣୁଆ ବିଜେଡି ନେତା ପ୍ରଫୁଲ୍ଲ ସାମଲଙ୍କ ରାଜନୈତିକ ଭବିଷ୍ୟତକୁ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଛି। ଭଦ୍ରକରେ ବିଜେଡିକୁ ସଙ୍ଗଠିତ କରି ରଖିବା ନିମନ୍ତେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଶ୍ରୀ ସାମଲଙ୍କୁ ଗୁରୁଦାୟିତ୍ବ ଦେଇଥିଲେ। ପ୍ରଫୁଲ୍ଲ ଏହି ଦାୟିତ୍ବ ଠିକ୍ ଭାବେ ନିର୍ବାହ କରିପାରିବେ ବୋଲି ନବୀନ ଭରସା ରଖିଥିଲେ; କିନ୍ତୁ ପ୍ରଫୁଲ୍ଲ ନବୀନଙ୍କ ଭରସା ରଖି ପାରିଲେନି। ଭଦ୍ରକ ବିଜେଡିକୁ ମଜଭୁତ କରିବା ତ ଦୂରର କଥା ପ୍ରଫୁଲ୍ଲଙ୍କ ଘରୁ ବିଦ୍ରୋହର ସୂତ୍ରପାତ ହେଲା। ପ୍ରଫୁଲ୍ଲଙ୍କ ଦୁଇପୁଅ ପ୍ରୟାସକାନ୍ତି, ପ୍ରଣିତକାନ୍ତି, ସମ୍ପର୍କୀୟ ଭଉଣୀ ଊର୍ମିଳା ନାୟକ ବିଜେପିକୁ ଚାଲିଗଲେ। କେବଳ ପ୍ରଫୁଲ୍ଲଙ୍କ ପରିବାର ସଦସ୍ୟ ପଦ୍ମ ଧରିଲେନି ବରଂ ସେମାନଙ୍କ ନେତୃତ୍ବରେ ୪ ବ୍ଲକ୍ ଅଧ୍ୟକ୍ଷ, ବହୁ ସରପଞ୍ଚ ଏବଂ ସମିତି ସଭ୍ୟ ବିଜେପିରେ ସାମିଲ ହୋଇଛନ୍ତି। ଭଦ୍ରକରେ ବାପା ଗଡ଼ ଜଗିଥିବାବେଳେ ପୁଅ ଗଡ଼ ଦୋହଲାଇ ଦେଇଛନ୍ତି। ଭଦ୍ରକରେ ବିଜେଡିର ସଙ୍ଗଠନକୁ ଦୁର୍ବଳ କରିବା ପଛରେ ଏକ ସୁଚିନ୍ତିତ ରଣନୀତି ରହିଥିବା ଜିଲାବ୍ୟାପୀ ଚର୍ଚ୍ଚା ଜୋର୍ ଧରିଛି। ଦୁଇପୁଅଙ୍କ ରାଜନୈତିକ ଭବିଷ୍ୟତ ପାଇଁ ପ୍ରଫୁଲ୍ଲ ଏପରି ଗୋଟିଚାଳନା କରିଥିବା ବିଜେଡି କର୍ମୀଙ୍କ ମହଲରେ ଆଲୋଚନା ହେଉଛି। ଏଥିପାଇଁ ଦେଢ଼ବର୍ଷ ତଳୁ ଯୋଜନା ହୋଇଥିବା କୁହାଯାଉଛି।
ସୂଚନା ଅନୁଯାୟୀ, ଭଦ୍ରକରେ ବିଜେଡି ସଙ୍ଗଠନର ଏଭଳି ଅବସ୍ଥା ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି କରିଛି।
ଭଦ୍ରକ ବିଜେଡି ସଙ୍ଗଠନରେ ଅସ୍ଥିରତା ସୃଷ୍ଟି କରିବାକୁ ଯୋଜନା ପୂର୍ବରୁ ହୋଇଥିଲା। ୨୦୨୪ ନିର୍ବାଚନ ପୂର୍ବରୁ ପ୍ରଫୁଲ୍ଲଙ୍କ ଘରେ ଇଡି ଚଢ଼ଉ କରିବା, ପୁଅ ପ୍ରୟାସକାନ୍ତିଙ୍କୁ ଇଡି ଜେରା କରିବା, ପରବର୍ତ୍ତୀ ସମୟରେ ଇଡି ନରମ ଆଭିମୁଖ୍ୟ ଆପଣାଇବା ଏବଂ ବିଧାନସଭା ନିର୍ବାଚନ ପରେ ପ୍ରୟାସକାନ୍ତି ମନମୋହନଙ୍କ ନିକଟତର ହେବା ସହ ଦୁଇ ସାମଲ ପରିବାର ମଧ୍ୟରେ ନିବିଡ଼ତା ସୃଷ୍ଟି ହୋଇଥିଲା। ଏସବୁ ଘଟଣାକ୍ରମରୁ ସ୍ପଷ୍ଟ ଭାବେ କୁହାଯାଇପାରେ କି, ଦେଢ଼ବର୍ଷ ତଳୁ ଅର୍ଥାତ ରାଜ୍ୟରେ ବିଜେପି ସରକାର ଆସିବା ପରଠୁ ଭଦ୍ରକରେ ବିଜେଡି ଗଡ଼କୁ ଦୁର୍ବଳ କରିବାକୁ ରଣନୀତି କରାଯାଇଥିଲା।
ଗତ କିଛିମାସ ତଳେ ରାଜ୍ୟସଭାରେ ୱାକଫ ସଂଶୋଧନ ବିଧେୟକ ପ୍ରସଙ୍ଗରେ ବିଜେଡିର ଦ୍ବନ୍ଦ୍ବାତ୍ମକ ଆଭିମୁଖ୍ୟକୁ ନେଇ ପ୍ରଫୁଲ୍ଲ ପ୍ରଶ୍ନ ଉଠାଇବା ସହ ସାଂସଦ ଡ. ସସ୍ମିିତ ପାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ନବୀନଙ୍କୁ ଚିଠି ଲେଖିଥିଲେ। ଦଳର ମଙ୍ଗଳ ପାଇଁ ପରାମର୍ଶ ଦେଉଥିବା ଏହି ବରିଷ୍ଠ ନେତାଙ୍କ ନିଜ ଘରେ ବିଦ୍ରୋହର ସୂତ୍ରପାତ ହେବା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଛି। ଗୁରୁତ୍ବପୂର୍ଣ୍ଣ କଥା ହେଲା- ଦୁଇ ପୁଅ ବିଜେପି ଯିବା ପେର ପ୍ରଫୁଲ୍ଲ ଆଗକୁ ରାଜନୀତିରେ ସକ୍ରିୟ ରହିବେ କି ନାହିଁ; ସେନେଇ ପ୍ରଶ୍ନ ଉଠୁଛି। ନବୀନଙ୍କ ଭରସା ଭାଙ୍ଗିଥିବାରୁ ଦଳ ଆଉ ତାଙ୍କୁ ବିଶ୍ବାସକୁ ନେଇନପାରେ। ସେ ନିଜେ ଅନ୍ୟଦଳକୁ ଯିବେନି ବୋଲି ସ୍ପଷ୍ଟ କରିସାରିଛନ୍ତି। ଏଭଳି ସ୍ଥିତିରେ ରାଜନୀତିରୁ ସନ୍ନ୍ୟାସ ନେଇ ପ୍ରଫୁଲ୍ଲ ନିଜ ଭାବମୂର୍ତ୍ତି ରକ୍ଷା କରିପାରନ୍ତି ବୋଲି ରାଜନୈତିକ ସ୍ତରରେ ଚର୍ଚ୍ଚା ହେଉଛି।
ପ୍ରଫୁଲ୍ଲଙ୍କ ବଡ଼ ପୁଅ ତଥା ଭଦ୍ରକ ମ୍ୟୁନିସିପାଲିଟିର ପୂର୍ବତନ ଅଧ୍ୟକ୍ଷ ପ୍ରୟାସକାନ୍ତି ଗତ ମେ’ ମାସରେ ବିଜେଡିରୁ ଇସ୍ତଫା ଦେବା ସହ ରାଜନୀତିରୁ ସନ୍ନ୍ୟାସ ନେବେ ବୋଲି ଘୋଷଣା କରିଥିଲେ। ଗତ ସପ୍ତାହରେ ତାଙ୍କ ପିଉସୀ ତଥା ପ୍ରଫୁଲ୍ଲଙ୍କ ଭଉଣୀ ଭଦ୍ରକ ପଞ୍ଚାୟତ ସମିତି ଅଧ୍ୟକ୍ଷା ଊର୍ମିଳା ନାୟକଙ୍କ ସମେତ ବନ୍ତ, ଭଣ୍ଡାରିପୋଖରୀ ବ୍ଲକ୍ ଅଧ୍ୟକ୍ଷ ବିଜେଡିରୁ ଇସ୍ତଫା ଦେଇଥିଲେ। ଏହାର ଦୁଇଦିନ ପରେ ବାସୁଦେବପୁର ବ୍ଲକ୍ ଅଧ୍ୟକ୍ଷ ନଗେନ୍ଦ୍ର ପ୍ରସାଦ ବିଶ୍ବାଳ ବିଜେଡି ଛାଡ଼ିଥିଲେ। ବିଜେଡିର ଭଦ୍ରକ ଜିଲା ସଙ୍ଗଠନରେ ଏଭଳି ହଲଚଲ୍ ପରେ ଗତ ୧ ତାରିଖରେ ନବୀନ ନିବାସ ଡାକରାରେ ଭଦ୍ରକର ସବୁ ବରିଷ୍ଠ ନେତା ଓ ବିଧାୟକ ଏକାଠି ହୋଇଥିଲେ। ସଭାପତିଙ୍କ ସହ ସମସ୍ତଙ୍କର ଆଲୋଚନା ହୋଇଥିଲା। ଏକାଠି ହୋଇ କାମ କରିବାକୁ ନବୀନ ପରାମର୍ଶ ଦେବା ସହ ପ୍ରଫୁଲ୍ଲଙ୍କ ଉପରେ ଏହି ଗୁରୁଦାୟିତ୍ବ ନ୍ୟସ୍ତ କରିଥିଲେ। ବିଡ଼ମ୍ବନା ଯେ, ସେହି ପ୍ରଫୁଲ୍ଲ ସାମଲଙ୍କ ପରିବାରର ସଦସ୍ୟଙ୍କ ନେତୃତ୍ବରେ ହିଁ ବିଜେଡି ଗଡ଼ର ପତନ ଆରମ୍ଭ ହୋଇଛି।
Powered by Froala Editor