କ୍ରିକେଟ୍ ମ୍ୟାଚ୍: କ୍ରୁଟ୍ ପକ୍ଷରୁ ଚଳାଚଳ କରିବ ସ୍ୱତନ୍ତ୍ର ବସ୍
ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା ଭାରତ ବନାମ ଦକ୍ଷିଣ ଆଫ୍ରିକା ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍କୁ ଲକ୍ଷ୍ୟ କରି କ୍ରୁଟ୍ ପକ୍ଷରୁ ସ୍ୱତନ୍ତ୍ର ବସ୍ ଚଳାଚଳ କରିବ। ଏକାଧିକ ସ୍ଥାନରୁ ଚଳାଚଳ ହେବାକୁ ଥିବା ଏହି ସଟଲ ବସ୍ ସେବା କଟକ ବାରବାଟୀ ଷ୍ଟାଡିୟମ ନିକଟରେ ପହଞ୍ଚିବ। କଟକ ରେଳ ଷ୍ଟେସନରୁ ସିଏନ୍ବିଟି ଏବଂ ବାରବାଟୀ ଷ୍ଟାଡିୟମ ଅଞ୍ଚଳରେ ଜନଗହଳି ପରିସ୍ଥିତିକୁ ଆଧାର କରି ବସ୍ ଚଳାଚଳ କରିବ।
ବାରବାଟୀ ଷ୍ଟାଡିୟମରୁ କଟକ ରେଳଷ୍ଟେସନ୍କୁ ଯିବା ବସ୍ ଗଡଗଡ଼ିଆ ଘାଟ, ଚହଟା ଘାଟ, ସତୀଚୌରା, ଜୁଡିସିଆଲ ଏକାଡେମୀ, ସିଏନ୍ବିଟି, ବାଦାମବାଡ଼ି, ଲିଙ୍କ ରୋଡ୍ ଏବଂ ଓଏମପି ଛକ ରୁଟ୍ ମଧ୍ୟ ଦେଇ ରେଳଷ୍ଟେସନ୍ ଯାଏଁ ଚଳାଚଳ କରିବ। ସଟଲ ସେବାର ନିର୍ଦ୍ଧାରିତ ଭଡ଼ା ୨୦ ଟଙ୍କା ରହିବ। ସେହିପରି ଭୁବନେଶ୍ୱରରୁ ଯାତ୍ରା କରୁଥିବା ଦର୍ଶକଙ୍କ ପାଇଁ ମ୍ୟାଚ୍ ଶେଷ ପରେ ଦୁଇଟି ଅସ୍ଥାୟୀ ସ୍ୱତନ୍ତ୍ର ରୁଟ୍ ପରିଚାଳନା ହେବ। ରୁଟ୍ ନମ୍ବର ୧ରେ ବାରବାଟୀ ଷ୍ଟାଡିୟମରୁ ବିଏସ୍ଏବିଟି ଓ ବରମୁଣ୍ଡା ପର୍ଯ୍ୟନ୍ତ ଚାଲିବ। ଏହା ଜୁଡିସିଆଲ ଏକାଡେମୀ, ନନ୍ଦନକାନନ ଏବଂ ଜୟଦେବ ବିହାର ଦେଇ ଗଡ଼ିବ। ରୁଟ୍ ୨ରେ ବାରବାଟୀ ଷ୍ଟାଡିୟମରୁ ଭୁବନେଶ୍ବର ରେଳଷ୍ଟେସନ ଯିବ। ସିଏନ୍ବିଟି, ଲିଙ୍କ ରୋଡ୍, ଜାତୀୟ ରାଜପଥ ଦେଇ ଯିବ।
ଉଭୟ ରୁଟ୍ ପାଇଁ ଏକ ନିର୍ଦ୍ଧାରିତ ମୂଲ୍ୟ ୪୦ ଟଙ୍କା ରହିବ। ବସ୍ଗୁଡିକ ପ୍ରତି ୨୦ ମିନିଟ୍ ଅନ୍ତରରେ ଚଳାଚଳ କରିବ। ଏହି ସ୍ୱତନ୍ତ୍ର ସେବା ବ୍ୟତୀତ ଭୁବନେଶ୍ୱର ଏବଂ କଟକ ମଧ୍ୟରେ ପରିଚାଳିତ ଆମ ବସ୍ ରୁଟ୍ ପୂର୍ବଭଳି ଚାଲୁ ରହିବ। ଏହି ରୁଟ୍ ସିଏନ୍ବିଟି, ଜୁଡିସିଆଲ୍ ଏକାଡେମୀ, ବାରବାଟୀ ଷ୍ଟାଡିୟମ ଏବଂ କଟକ ରେଳଷ୍ଟେସନ ଭଳି ପ୍ରମୁଖ ସ୍ଥାନରେ ସହଜରେ ପହଞ୍ଚି ହେବ। ରୁଟ୍ ୧୦ରେ ମନୁ ବିଶ୍ୱବିଦ୍ୟାଳୟରୁ ଭୁବନେଶ୍ବର ବିମାନବନ୍ଦର, ରୁଟ୍ ୧୫ରେ ସିଏନ୍ବିଟିରୁ ଉତ୍କଳ ହସ୍ପିଟାଲ, ରୁଟ୍ ୧୬ରେ ଶ୍ରୀଶ୍ରୀ ବିଶ୍ୱବିଦ୍ୟାଳୟରୁ ଭୁବନେଶ୍ୱର ରେଳଷ୍ଟେସନ, ରୁଟ୍ ୧୭ରେ ବାରବାଟୀ ଷ୍ଟାଡିୟମରୁ ଭୁବନେଶ୍ବର ବିମାନବନ୍ଦର, ରୁଟ୍ ୧୮ରେ ଜଗତପୁରରୁ ବରମୁଣ୍ଡାରେ ପହଞ୍ଚିବ।
ରୁଟ୍ ୧୯ରେ ମହାନଦୀ ବିହାରରୁ ଏମ୍ସ, ରୁଟ୍ ୮୨ରେ ଏସିବି ମେଡିକାଲରୁ ବିମାନବନ୍ଦର ରୁଟ୍ ଗୁଡ଼ିକରେ ମଧ୍ୟ ଦୈନନ୍ଦିନ ଭଳି ଯାତ୍ରୀଙ୍କୁ ସେବା ଜାରି ରହିବ।
Powered by Froala Editor