ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ପରୀକ୍ଷା ବାତିଲ ପ୍ରସଙ୍ଗ: ସମାଲୋଚନା କଲା ବିଜେଡ଼ି
ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି ପରୀକ୍ଷା ବାତିଲ ହେବା ପ୍ରସଙ୍ଗରେ ରାଜ୍ୟ ବିଜେପି ସରକାରଙ୍କୁ ସମାଲୋଚନା କରିଛି ବିଜେଡି। ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଯୁବ ବିଜେଡି ସଭାପତି ଚିନ୍ମୟ ସାହୁ ଓ ଛାତ୍ର ବିଜେଡି ସଭାନେତ୍ରୀ ଈପ୍ସିତା ସାହୁ କହିଛନ୍ତି, ରାଜ୍ୟରେ ତ୍ରୁଟିଶୂନ୍ୟ ପରୀକ୍ଷା କରାଇବାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ବିଜେପି କ୍ଷମତାସୀନ ହେବାର ୧୮ ମାସରେ ୧୮ରୁ ଅଧିକ ପରୀକ୍ଷା ବାତିଲ ହୋଇଛି। ଏହା ରାଜ୍ୟ ସରକାରଙ୍କ ବିଫଳତା ଓ ଅପାରଗତାକୁ ପଦାରେ ପକାଉଛି।
ଶ୍ରୀମତୀ ସାହୁ କହିଲେ, ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ରାଜ୍ୟ ବିଜେପି ସରକାର ଏକ ନୂତନ କୀର୍ତ୍ତିମାନ ସ୍ଥାପିତ କରିଛନ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ। ରାଜ୍ୟ ସରକାରଙ୍କ ଏହି ୧୮ମାସ କେବଳ ପ୍ରଚାର ସର୍ବସ୍ବ ହୋଇଛି। ରାଜ୍ୟର ଯୁବବର୍ଗ ଚାକିରିଟିଏ ହାସଲ କରିବା ଲକ୍ଷ୍ୟରେ ଅକ୍ଳାନ୍ତ ପରିଶ୍ରମ କରି ହଲ୍ରେ ପହଞ୍ଚିଲା ବେଳକୁ ପରୀକ୍ଷା ବାତିଲ ହୋଇଯାଉଛି। ପରୀକ୍ଷା ବିଭ୍ରାଟକୁ ରୋକିବା ପାଇଁ ସରକାର ଗୋଟିଏ ଆଇନ ଆଣିଥିଲେ। ଏହି ଆଇନ କେଉଁଠି ଅଛି, ତା’ର ସ୍ଥିତି କ’ଣ କେହି ଜାଣି ନାହାନ୍ତି। ରାଜ୍ୟର ଯୁବବର୍ଗ ଏ ସରକାରକୁ ଆଗାମୀ ଦିନରେ ଉଚିତ ଜବାବ ଦେବେ। ବିଜେପି ସରକାରଙ୍କ ଦ୍ୱାରା ଓଡ଼ିଶା ପ୍ରଶ୍ନପତ୍ର ପ୍ରଘଟ କ୍ଷେତ୍ରରେ ନିଶ୍ଚିତ ଭାବେ ଏକ ନମ୍ବର ସ୍ଥାନ ହାସଲ କରିବ। ରାଜ୍ୟର ଯୁବବର୍ଗଙ୍କ ସ୍ବର ହେବା ସହ ଯୁବ ଓ ଛାତ୍ର ବିଜେଡି ଖୁବ୍ଶୀଘ୍ର ଏ ପ୍ରସଙ୍ଗରେ ରାସ୍ତାକୁ ଓହ୍ଲାଇବ।
Powered by Froala Editor