ଗାନ୍ଧୀ ମୈଦାନରେ ଶପଥ ନେବେ ନୀତିଶ କୁମାର
ବିହାରର ଦଶମ ମୁଖ୍ୟମନ୍ତ୍ରୀ ଭାବେ ଆଗାମୀ ଗୁରୁବାର ଶପଥ ନେବେ ନୀତିଶ କୁମାର ।ପାଟନାର ଗାନ୍ଧୀ ମୈଦାନରେ ରାଜ୍ୟର ନୂତନ ସରକାରଙ୍କ ଶପଥ ଗ୍ରହଣ ଉତ୍ସବ ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି। ସୋମବାର ଜିଲା ପ୍ରଶାସନ, ପୋଲିସ ବିଭାଗ, ନଗର ନିଗମ ଏବଂ ବିଭିନ୍ନ ଏଜେନ୍ସିଗୁଡ଼ିକର ଏକ ମିଳିତ ଦଳ ପ୍ରସ୍ତୁତି ସମୀକ୍ଷା କରିବା ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଏନଡିଏ ଶାସିତ ରାଜ୍ୟର ଅନେକ ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀଙ୍କ ଏହି ଉତ୍ସବରେ ଯୋଗଦେବେ । ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଏହି ଉତ୍ସବରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।
ଗୁରୁବାର ଦିନ ୧୧ ଟାରୁ ୧୨ଟା ମଧ୍ୟରେ ଶପଥ ସମାରୋହ ଉତ୍ସବ ଅନୁଷ୍ଠିତ ହେବ । ମିଳିଥିବା ସୂତ୍ର ଅନୁସାରେ ଶପଥ ସମାରୋହର ଗୋଟିଏ ଦିନ ପୂର୍ବରୁ ଅର୍ଥାତ ବୁଧବାର ନୀତିଶ କୁମାର ବିଧାୟକ ଦଳ ନେତା ଭାବରେ ନିର୍ବାଚିତ ହେବେ । ଏଥିପାଇଁ ଉତ୍ତର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କୁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଓ କେନ୍ଦ୍ରମନ୍ତ୍ରୀ ଅର୍ଜୁନରାମ ମେଘୱାଲ ଏବଂ ସାଧ୍ୱୀ ନିରଞ୍ଜନ ଜ୍ୟୋତିଙ୍କୁ କେନ୍ଦ୍ରୀୟ ସହ-ପର୍ଯ୍ୟବେକ୍ଷକ ଭାବରେ ନିଯୁକ୍ତ କରାଯାଇଛି ।
ପ୍ରଶାସନ କହିଛି ଯେ ଏକ ଭବ୍ୟ, ନିରାପଦ ଏବଂ ସଂଗଠିତ ଶପଥ ଗ୍ରହଣ ସମାରୋହ ସୁନିଶ୍ଚିତ କରିବା ପାଇଁ ସମସ୍ତ ବିଭାଗ ସମନ୍ବୟ ରକ୍ଷା କରି କାର୍ଯ୍ୟ କରୁଛନ୍ତି। ବିଭିନ୍ନ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତି, ରାଜନୈତିକ ଦଳର ପ୍ରତିନିଧି ଏବଂ ବହୁ ସଂଖ୍ୟାରେ ଲୋକ ଯୋଗଦେବାର ଆଶା କରାଯାଉଛି।
Powered by Froala Editor