୪ ଦିନ ପ୍ରବଳ ଶୀତ, ଜି. ଉଦୟଗିରି ରାଜ୍ୟର ସବୁଠୁ ଥଣ୍ଡା ଅଞ୍ଚଳ
ଭୁବନେଶ୍ୱର: ଆସନ୍ତା ୪ ଦିନ ଯାଏ ରାଜ୍ୟରେ ପ୍ରବଳ ଶୀତ ଅନୁଭୂତ ହେବ । ଦେହ, ହାତ ଥରାଇ ଦେବ । ୧୦ରୁ ଅଧିକ ସ୍ଥାନର ପାରଦ ୧୨ ଡିଗ୍ରୀ ତଳକୁ ଖସିପାରେ । ଫୁଲବାଣୀରେ ୯ ଡିଗ୍ରୀ ରହିବ । ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଦକ୍ଷିଣ ଓଡ଼ିଶାରେ ପ୍ରବଳ ଶୀତ ଅନୁଭୂତ ହେବ । ପାଣିପାଗ ବିଭାଗ ଏଭଳି ଆକଳନ କରିଛି । ୪ ଦିନ ପରେ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ବଢ଼ିପାରେ । ତଥାପି ଥଣ୍ଡା କମିବନି ବୋଲି ପୂର୍ବାନୁମାନ କରାଯାଇଛି । କନ୍ଧମାଳ ଜିଲ୍ଲାର ଜି. ଉଦୟଗିରି ରାଜ୍ୟର ସବୁଠୁ ଥଣ୍ଡା ଅଞ୍ଚଳ ପାଲଟିଛି ।
ଏଠାରେ ପାରଦ ୫.୮ ଡିଗ୍ରୀ ରେକର୍ଡ ହୋଇଥିଲା । ଚଳିତ ଶୀତ ଋତୁରେ ଏହା ସବୁଠୁ କମ୍ ରାତି ତାପମାତ୍ରା । ଜି ଉଦୟଗିରି ପରେ ସେମିଳିଗୁଡ଼ାରେ ପାରଦ ସର୍ବନିମ୍ନ ସ୍ତରକୁ ଖସିଥିଲା । ଏଠାରେ ରାତି ତାପମାତ୍ରା ଥିଲା ୭.୪ ଡିଗ୍ରୀ । ୧୩ ସହରରେ ରାତି ତାପମାତ୍ରା ୧୨ ଡିଗ୍ରୀ ତଳକୁ ଖସି ଆସିଥିଲା । ଦାରିଙ୍ଗିବାଡ଼ିରେ ୮ ଡିଗ୍ରୀ, ଫୁଲବାଣୀରେ ୯, ରାଉରକେଲାରେ ୧୦.୨, ଝାରସୁଗୁଡ଼ାରେ ୧୦.୬, ଅନୁଗୁଳରେ ୧୦.୬, କେନ୍ଦୁଝରରେ ୧୦.୮, ଚିପିଲିମାରେ ୧୧,କିରେଇରେ ୧୧.୩, ଭବାନୀପାଟଣାରେ ୧୧.୪, କୋରାପୁଟରେ ୧୧.୫ ଓ ନବରଙ୍ଗପୁରରେ ୧୧.୬ ଡିଗ୍ରୀ ରେକର୍ଡ ହୋଇଥିଲା ।ଫୁଲବାଣୀରେ ରାତି ତାପମାତ୍ରା ସ୍ୱାଭାବିକଠାରୁ ୪.୨ ଡିଗ୍ରୀ ଖସିଛି । ଅନୁଗୁଳରେ ସ୍ୱାଭାବିକଠାରୁ ୭.୨ ଡିଗ୍ରୀ, ଝାରସୁଗୁଡ଼ାରେ ୬.୫ ଡିଗ୍ରୀ ଓ କେନ୍ଦୁଝରରେ ୪.୯ ଡିଗ୍ରୀ ତାପମାତ୍ରା କମ୍ ରେକର୍ଡ ହୋଇଛି । ଗୋପାଳପୁରରେ ରାତି ତାପମାତ୍ରା ୧୫.୭ ଡିଗ୍ରୀ ଥିବାବେଳେ ଏଠାରେ ସ୍ୱାଭାବିକଠାରୁ ୪.୯ ଡିଗ୍ରୀ ଖସିଛି । ଟିଟିଲାଗଡ଼ରେ ୧୪.୨ ଡିଗ୍ରୀ ରହିଥିଲା ଓ ସ୍ୱାଭାବିକଠାରୁ ୪.୫ ଡିଗ୍ରୀ କମିଥିଲା । ଚାନ୍ଦବାଲିରେ ୧୫.୮ ଡିଗ୍ରୀ ଥିବାବେଳେ ସ୍ୱାଭାବିକଠାରୁ ୩.୯ ଡିଗ୍ରୀ ଖସିଛି । ହୀରାକୁଦରେ ୧୫.୩ ଥିବାବେଳେ ସ୍ୱାଭାବିକଠାରୁ ୩.୨ ଡିଗ୍ରୀ ଖସିଛି ପାରଦ । ପୁରୀରେ ପାରଦ ୧୭.୮ ଡିଗ୍ରୀ ଥିଲା ଓ ସ୍ୱାଭାବିକଠାରୁ ୩.୫ ଡିଗ୍ରୀ କମିଛି ।ଟ୍ୱିନ୍ ସିଟି କଟକ ଓ ଭୁବନେଶ୍ୱରରେ ମଧ୍ୟ ପ୍ରବଳ ଥଣ୍ଡା ଓ ଶୀତଲହରୀ ଅନୁଭୂତ ହୋଇଛି ।
Powered by Froala Editor