୧୦୦% ଇଥାନଲ ଯାନ ଚଳାଚଳ ଲାଗି ମଞ୍ଜୁରି
ଦେଶରେ ୧୦୦% ଇଥାନଲ ଇନ୍ଧନ ବିଶିଷ୍ଟ ଯାନ ଚଳାଚଳ ଲାଗି କେନ୍ଦ୍ର ସରକାର ମଞ୍ଜୁରି ପ୍ରଦାନ କରିଛନ୍ତି । ଅଶୋଧିତ ତେଲ ଆମଦାନି କ୍ଷେତ୍ରରେ ନିର୍ଭରତା କମାଇବା ଏବଂ ପରିବହନ କ୍ଷେତ୍ରରେ ପ୍ରଦୂଷଣକୁ କମାଇବା ଏହାର ଲକ୍ଷ୍ୟ । କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଶନିବାର ନାଗପୁରରେ ଏ ନେଇ ସୂଚନା ଦେଇଛନ୍ତି ।
ପରିବହନ କ୍ଷେତ୍ରରେ ପ୍ରଦୂଷଣ ରୋକିବା ଲାଗି ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ଗତ ସପ୍ତାହରେ ଫ୍ଲେକ୍ସ ଫୁଏଲ ଯାନ ଲାଗି ଇ-୮୫ ଇନ୍ଧନ ଲଞ୍ଚ ହୋଇଛି । ଦିଲ୍ଲୀରେ ଏହି ଇନ୍ଧନର ମୂଲ୍ୟ ଲିଟର ପିଛା ୮୨.୧୨ ଟଙ୍କା ରହିଛି । ଦିଲ୍ଲୀରେ ବିକ୍ରି ହେଉଥିବା ଇ-୨୦ ପେଟ୍ରୋଲ ତୁଳନାରେ ଏହାର ମୂଲ୍ୟ ୨୦ ଟଙ୍କା ଶସ୍ତା । ଇ-୮୫ ବର୍ଗର ଇନ୍ଧନରେ ଇଥାନଲର ମାତ୍ରା ୮୫% ଏବଂ ପେଟ୍ରୋଲର ମାତ୍ରା ୧୫% । ୧୦୦% ଇଥାନଲକୁ ମଞ୍ଜୁରି ମିଳିବା ଯୋଗୁ ଅକ୍ଷୟ ଶକ୍ତି ଏବଂ ଜୈବ ଇନ୍ଧନ କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ଯୋଡ଼ିବ ।
ନୀତିନ ଗଡକରୀ କହିଛନ୍ତି ଯେ, ଦେଶର ଅଟୋମୋବାଇଲ କ୍ଷେତ୍ର ଏହି ପରିବର୍ତ୍ତନକୁ ଗ୍ରହଣ କରିଛି। ଅନେକ ବଡ଼ ବଡ଼ କମ୍ପାନି ଶତ ପ୍ରତିଶତ ଇଥାନଲରେ ଚାଲୁଥିବା ଗାଡ଼ି ବଜାରକୁ ଛାଡ଼ିବା ଲାଗି ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ଟୟୋଟା, ସୁଜୁକି, ଏମ୍ଜି, ହ୍ୟୁଣ୍ଡାଇ ସହ ଅନ୍ୟ କମ୍ପାନି ଗୁଡିକ ୬ ସପ୍ତାହ ମଧ୍ୟରେ ଘରୋଇ ବଜାରରେ ନୂଆ ମଡେଲ ମାନ ଲଞ୍ଚ କରିବାକୁ ଯାଉଛନ୍ତି । ଇଥାନଲ ପେଟ୍ରୋଲ ତୁଳନାରେ ଶସ୍ତା ଏବଂ ସ୍ଥାୟୀ ବିକଳ୍ପ ଭାବେ ଉଭା ହୋଇଛି । ଏଥିଲାଗି ବୃହତ ପରିମାଣର ବିଦେଶୀ ମୁଦ୍ରା ଖର୍ଚ୍ଚ କରିବାକୁ ପଡ଼ୁଛି । ଫଳରେ ବିଦେଶୀ ମୁଦ୍ରା ଭଣ୍ଡାର ଉପରେ ଏହା ଚାପ ସୃଷ୍ଟି କରୁଛି । ଶତ ପ୍ରତିଶତ ଇଥାନଲ ଇନ୍ଧନ ଆସିଲେ ସାଧାରଣ ଲୋକଙ୍କୁ ମହଙ୍ଗା ପେଟ୍ରୋଲରୁ ଚାପମୁକ୍ତ କରିବ ।
Powered by Froala Editor