୧୦୦ ଥର ଉଠ୍ବସ୍ ହେଲେ ଛାତ୍ରୀ, ଚାଲିଗଲା ଜୀବନ
କଠୋର ଦଣ୍ଡ ପାଇଁ ଚାଲିଗଲା ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କ ଜୀବନ। ୧୦୦ ଥର ବସ ଉଠ ହୋଇ ମହାରାଷ୍ଟ୍ରର ଜଣେ ୧୨ ବର୍ଷର ଛାତ୍ରୀଙ୍କ ଜୀବନ ଯାଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି ମହାରାଷ୍ଟ୍ର ପାଲଘର ଜିଲ୍ଲା ଭାସାଇର ସତୀଭାଲିରେ। ଏହାପରେ ଛାତ୍ରୀଙ୍କର ମାଆ ଶିକ୍ଷକଙ୍କ ଅମାନୁଷିକ ଦଣ୍ଡକୁ ଦୋଷାରୋପ କରିଥିବାରୁ ମାମଲାରେ ତଦନ୍ତ ଆରମ୍ଭ ହୋଇଛି।
ଭାସାଇର ସତୀଭାଲିର ଶ୍ରୀ ହନୁମନ୍ତ ବିଦ୍ୟା ମନ୍ଦିର ହାଇସ୍କୁଲରେ ପଢୁଥିବା ଷଷ୍ଠ ଶ୍ରେଣୀ ଛାତ୍ରୀ କାଜଲ ଗୋଣ୍ଡ ଶିଶୁ ଦିବସ କାର୍ୟ୍ୟକ୍ରମ ଆରମ୍ଭ ହେବାର ୧୦ ମିନିଟ ବିଳମ୍ବରେ ପହଞ୍ଚିଥିଲେ। ବିଳମ୍ବରେ ପହଞ୍ଚିଥିବାରୁ ଶିକ୍ଷକ ତାଙ୍କୁ ଦଣ୍ଡିତ କରିବା ପାଇଁ ୧୦୦ ଥର ବସ ଉଠ ହେବାକୁ କହିଥିଲେ ବୋଲି ଅଭିଯୋଗ ହୋଇଛି। ବସ ଉଠ ସମାପ୍ତ କରିବାର କିଛି ସମୟ ପରେ, ସେ ତାଙ୍କ ପିଠିର ତଳ ଭାଗରେ ପ୍ରବଳ ଯନ୍ତ୍ରଣା ଅନୁଭବ କରିଥିଲେ।
ଘରକୁ ଫେରିବା ପରେ ପିଠିରେ ଅଧିକ ଯନ୍ତ୍ରଣା ଅନୁଭବ ହେବାରୁ ପରିବାର ଲୋକ ସଙ୍ଗେ ସଙ୍ଗେ ତାଙ୍କୁ ନିକଟରେ ଥିବା ନାଳାସୋପରା ମେଡିକାଲକୁ ନେଇଥିଲେ। ମାତ୍ର ଦେହ ଅଧିକ ଖରାପ ହେବାରୁ କାଜଲକୁ ମୁମ୍ବାଇରେ ଥିବା ଜେଜେ ମେଡିକାଲକୁ ସ୍ଥାନାନ୍ତରଣ କରାଯାଇଥିଲା। ମାତ୍ର ସେଠାରେ ଚିକିତ୍ସା ଚାଲିଥିବା ସମୟରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା।
ଭାସାଇର ଏମଏନଏସ ନେତା ସଚିନ ମୋରେ କହିଛନ୍ତି ଯେ ଝିଅଟିର ପୂର୍ବରୁ ସ୍ୱାସ୍ଥ୍ୟ ସମସ୍ୟା ଥିଲା, ତଥାପି ତାକୁ ଦଣ୍ଡ ଦିଆଯାଇଛି। ତେବେ ମୃତ ଛାତ୍ରୀ ଜଣଙ୍କୁ କେତେ ଥର ଉଠବସ କରାଯାଇଥିଲା ତାହା ସ୍ପଷ୍ଟ ହୋଇ ନାହିଁ। ତେଣୁ ଦଣ୍ଡ ଯୋଗୁ ଯେ ସିଧାସଳଖ ଛାତ୍ରୀଙ୍କରର ମୃତ୍ୟୁ ହୋଇଛି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ ବୋଲି ସ୍କୁଲର ଜଣେ ଶିକ୍ଷକ କହିଛନ୍ତି।।
ବର୍ତ୍ତମାନ ଶିକ୍ଷକ ଓ ବିଦ୍ୟାଳୟ ବିରୋଧରେ କଡା ଆକ୍ସନ ନେବା ପାଇଁ ଅଭିଭାବକ ମାନେ ଦାବି କରିଛନ୍ତି।
Powered by Froala Editor