ପ୍ରସ୍ତୁତ ହୋଇପାରୁନି ଦିଅଁଙ୍କ ଭୋଗ, ଉପବାସରେ ଶ୍ରୀଲିଙ୍ଗରାଜ
ଭୁବନେଶ୍ବର: ଉପବାସରେ ମହାପ୍ରଭୁ ଶ୍ରୀଲିଙ୍ଗରାଜ। ସକାଳୁ ରୋଷହୋମ ହୋଇ ଦିଅଁଙ୍କ ଭୋଗ ପ୍ରସ୍ତୁତ ହୋଇପାରୁନି। ସମର୍ଥା ସେବାୟତ ଦିଅଁଙ୍କ ଭୋଗ ପ୍ରସ୍ତୁତ ପାଇଁ ବିରିବଟା, ଚୁନାକୁଟା ମହାସୁଆର ସେବାୟତଙ୍କୁ ଯୋଗାଇଥାନ୍ତି। ବୁଧବାର ସମର୍ଥା ନିଯୋଗର ବୁଲା ସମର୍ଥାଙ୍କ ନିଅଁଶ ପାଳିଥିଲା। ଉକ୍ତ ପାଳିକୁ ମନ୍ଦିର ପ୍ରଶାସନ ଯୋଗେନ୍ଦ୍ର ସମର୍ଥାଙ୍କ ଦ୍ବାରା କରିଥାଏ। ଏବେ ଯୋଗେନ୍ଦ୍ର ସମର୍ଥା ନିଅଂଶ ପାଳି କରିବାକୁ ମନା କରିବାରୁ ତାଙ୍କ ପାଳି କରିବାକୁ କେହି ରାଜି ହୋଇନଥିଲେ। ଫଳରେ ଦିଅଁଙ୍କ ନୀତିକାନ୍ତି ହୋଇପାରିନି। ମହାସୁଆର ସେବାୟତ ଭୋଗ ପ୍ରସ୍ତୁତ କରିପାରୁ ନାହାନ୍ତି। ଧର୍ମମାସ କାର୍ତ୍ତିକରେ ଦିଅଁ ସାରା ଦିନ ଉପବାସରେ ଅଛନ୍ତି। ମନ୍ଦିର ପ୍ରଶାସନ ସମର୍ଥା ସେବାୟତଙ୍କୁ ମନାଇ ଦିଅଁଙ୍କ ନୀତିକାନ୍ତି ସ୍ବାଭାବିକ କରିପାରୁନି। ପୂର୍ବରୁ ଅନେକ ସମୟରେ ପୂଜାପଣ୍ଡା, ବ୍ରାହ୍ମଣ ଓ ବଡୁ ନିଯୋଗ ସେବାୟତଙ୍କୁ ନେଇ ଦିଅଁଙ୍କ ନୀତି ବନ୍ଦ ହେଉଥିଲା। ଏବେ କିନ୍ତୁ ସମର୍ଥା ସେବାୟତଙ୍କ ନିଅଂଶ ପାଳିକୁ ନେଇ ଦିଅଁଙ୍କ ନୀତି ବନ୍ଦ ହୋଇଛି। ହବିଷିଆଳି ଓ ଶ୍ରଦ୍ଧାଳୁ ଲିଙ୍ଗରାଜ ମନ୍ଦିରରେ ଅବଢ଼ା ଟିକେ ନପାଇ ନିରାଶ ହୋଇ ଫେରିଛନ୍ତି।
ଅନ୍ୟପକ୍ଷରେ ମନ୍ଦିର ପ୍ରଶାସନ ନିଅଂଶ ପାଳି ସମ୍ପର୍କରେ ସମର୍ଥା ନିଯୋଗ ସହିତ ଆଲୋଚନା ନକରି ନିଜଆଡୁ ନିଷ୍ପତ୍ତି ନେଇଥିବାରୁ ନିଯୋଗ ତରଫରୁ ନୀତି ବନ୍ଦ କରାଯାଇ ନାହିଁ ବୋଲି ସମର୍ଥା ନିଯୋଗ ସମ୍ପାଦକ ପ୍ରଶାନ୍ତ କୁମାର ସମର୍ଥା କହିଛନ୍ତି। ଏସମ୍ପର୍କରେ ଅତିରିକ୍ତ ଜିଲାପାଳ ତଥା ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ରୁଦ୍ରନାରାୟଣ ମହାନ୍ତି କହିଛନ୍ତି, ନିଅଂଶ ପାଳି ଯୋଗେନ୍ଦ୍ର ସମର୍ଥା କରୁଥିଲେ। ଏବେ କିନ୍ତୁ କରିବାକୁ ମନା କରୁଛନ୍ତି। ସମର୍ଥା ସେବାୟତଙ୍କ ଏକ ଗୋଷ୍ଠୀ ତାଙ୍କ ନିଯୋଗ ବିରୋଧରେ ଯାଇ ଏଭଳି କରୁଛନ୍ତି। ସେ କହୁଛନ୍ତି ସିଂହଦ୍ବାର ସାମ୍ନାରେ ଦୋକାନ ଖୋଲିବାକୁ ମନ୍ଦିର ପ୍ରଶାସନ ଅନୁମତି ଦେଲେ ଦିଅଁଙ୍କ ନୀତି କରିବୁ। ଏଭଳି ମନ୍ଦିର ପ୍ରଶାସନ ସହିତ ବ୍ଲାକମେଲିଂ କରୁଛନ୍ତି। ତେଣୁ ଏସମ୍ପର୍କରେ ଆଲୋଚନା କରାଯାଉଛି।
Powered by Froala Editor