୭୯ ବର୍ଷରେ ପାଦ ଥାପିଲେ ନବୀନ
ଭୁବନେଶ୍ବର: ପୂର୍ବତନ ମୁଖ୍ୟମନ୍ତ୍ରୀ, ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଗୁରୁବାର ୭୯ତମ ଜନ୍ମଦିନ। ଏଥର ନବୀନଙ୍କ ଜନ୍ମଦିନକୁ ବିଜେଡି ସାରା ରାଜ୍ୟରେ ନିରାଡ଼ମ୍ବର ଭାବେ ପାଳନ କରିବ। ଭୁବନେଶ୍ବର ଗଙ୍ଗନଗରରେ ଦଳ ପକ୍ଷରୁ ହେବାକୁ ଥିବା ଜନସମ୍ପର୍କ ପଦଯାତ୍ରା କାର୍ଯ୍ୟକ୍ରମରେ ନବୀନ ସାମିଲ ହେବେ। ସେଠାରେ କିଛି ସମୟ ରହି ପିଲାଙ୍କୁ ମିଷ୍ଟାନ୍ନ ବଣ୍ଟନ କରିବେ। ଏହାପରେ ସେ ଏସଓଏସ ଭିଲେଜ୍ ଯାଇ ଅନ୍ତେବାସୀଙ୍କୁ ମିଷ୍ଟାନ୍ନ ବଣ୍ଟନ କରିବେ।
୧୯୪୬ ଅକ୍ଟୋବର ୧୬ରେ କଟକରେ ଜନ୍ମ ଗ୍ରହଣ କରିଥିଲେ ନବୀନ। ପିତା ବିଜୁ ବାବୁଙ୍କ ମୃତ୍ୟୁ ପରେ ଆକସ୍ମିକ ଭାବେ ରାଜନୀତିରେ ପ୍ରବେଶ କରିଥିଲେ। ୧୯୯୭ରେ ବିଜେଡି ଗଠନ ହୋଇଥିଲା। ସାଂସଦ ଓ କେନ୍ଦ୍ରମନ୍ତ୍ରୀ ରହିବା ପରେ ନବୀନ ଲଗାତାର ୫ ଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇ ରେକର୍ଡ କରିଥିଲେ। ୨୪ ବର୍ଷ ଶାସନ କ୍ଷମତାରେ ରହିବା ପରେ ୨୦୨୪ ନିର୍ବାଚନରେ ବିଜେଡି କ୍ଷମତାଚ୍ୟୁତ ହୋଇଥିଲା। ଦୁଇଟି ଆସନରୁ ନିର୍ବାଚନ ଲଢ଼ୁଥିବା ନବୀନ ନିଜର ପାରମ୍ପରିକ ହିଞ୍ଜିଳି ଆସନରୁ ଜିତିଥିଲେ ବି କଣ୍ଟାବାଞ୍ଜି ଆସନରୁ ପରାଜିତ ହୋଇଥିଲେ।
Powered by Froala Editor