ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା: ୨ ବରିଷ୍ଠ ପୁଲିସ ଅଧିକାରୀଙ୍କୁ ତଦନ୍ତରେ ସାମିଲ
ବ୍ରହ୍ମପୁର: ରାଜ୍ୟ ଆଇନଜୀବୀ ପରିଷଦ ସଦସ୍ୟ ପୀତବାସ ପଣ୍ଡା ହତ୍ୟା ମାମଲାରେ ୨ ଅଭିଜ୍ଞ ପୁଲିସ ଅଧିକାରୀ ତନାଘନା ଆରମ୍ଭ କରିଛନ୍ତି। ପୂର୍ବରୁ ବ୍ରହ୍ମପୁର ସହରରେ ଅପରାଧ ଜଗତ ସହ ଜଡିତ ଥିବା ବ୍ୟକ୍ତି ସହ ବନ୍ଧୁକ ଯୋଗାଣ ଓ କାରବାରରେ ସଂପୃକ୍ତ ବ୍ୟକ୍ତିଙ୍କ ପୁରୁଣା ଫାଇଲ ଖୋଲା ଯାଇଥିବା କୁହାଯାଇଛି । ଏହି ହାଇ ପ୍ରୋଫାଇଲ ହତ୍ୟାର ତଦନ୍ତ ଅଧିକାରୀ ଭାବେ ଟାଉନ ଏସଡିପିଓ ରହିଥିବା ବେଳେ ବ୍ରହ୍ମପୁର ଆରକ୍ଷୀ ଅଧୀକ୍ଷକ ଡା. ସର୍ବଣା ବିବେକ ଏମ ତଦାରଖ କରୁଛନ୍ତି। ତଦନ୍ତ ପାଇଁ ବରିଷ୍ଠ ଓ କନିଷ୍ଠ ଅଧିକାରୀଙ୍କୁ ନେଇ ୬ଟି ଦଳ ଗଠନ ହୋଇଛି। ଏହାବାଦ ବ୍ରହ୍ମପୁର ପୁଲିସ ଜିଲାରେ ପୂର୍ବରୁ ବହୁବର୍ଷ ଧରି କାର୍ଯ୍ୟ କରି ସାରିଥିବା ୨ ବରିଷ୍ଠ ପୁଲିସ ଅଧିକାରୀଙ୍କୁ ତଦନ୍ତରେ ସାମିଲ କରାଯାଇଛି। ଗୋଳନ୍ଥରା ଥାନାରେ ବହୁ ବର୍ଷ ଧରି କାର୍ଯ୍ୟରତ ଆଲୋକ ଜେନା ବ୍ରହ୍ମପୁରର ଅତିରିକ୍ତ ଏସପି ଭାବେ ଗତକାଲି କାର୍ଯ୍ୟରେ ଯୋଗ ଦେଇ ତଦନ୍ତରେ ସାମିଲ ହୋଇଥିବା କୁହାଯାଉଛି। ସେହିପରି ବ୍ରହ୍ମପୁରର ଟାଉନ ଥାନା ଓ ବଡବଜାର ଥାନାରେ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରି ସାରିଥିବା ତଥା ବର୍ତ୍ତମାନ ଗଜପତି ଜିଲା ଆର ଉଦୟଗିରିର ଏସଡିପିଓ ଭାବେ ନିୟୋଜିତ ଥିବା ସୁରେଶ କୁମାର ତ୍ରିପାଠୀଙ୍କୁ ଦକ୍ଷିଣାଞ୍ଚଳ ଆଇଜିଙ୍କ ସ୍ବତନ୍ତ୍ର ନିର୍ଦେଶକ୍ରମରେ ବ୍ରହ୍ମପୁର ପୁଲିସ ଜିଲାକୁ ଅଣାଯାଇଛି। ଏହି ୨ ପୁଲିସ ଅଧିକାରୀଙ୍କ ପୂର୍ବ ଅଭିଜ୍ଞତାକୁ ନେଇ ପୀତବାସ ହତ୍ୟାର ଅପରାଧୀଙ୍କୁ ଚିହ୍ନଟ କରିବାକୁ ଉଦ୍ୟମ କରାଯାଉଥିବା କୁହାଯାଉଛି।
ପୀତବାସଙ୍କୁ ଯେଉଁ ୨ ଜଣ ବ୍ୟକ୍ତି ଗୁଳି କରିଥିଲେ ପୁଲିସ ସେମାନଙ୍କ ବିଷୟରେ ଜାଣି ସାରିଥିବା ଶୁଣିବାକୁ ମିଳୁଛି। ଏପରିକି ଏହି ହତ୍ୟାର ଷଡଯନ୍ତ୍ରକାରୀ କିଏ ସେ ବିଷୟରେ ମଧ୍ୟ ପୁଲିସ ଜାଣିସାରିଥିଲେ ମଧ୍ୟ ଗୁଳି ଫୁଟାଇଥିବା ବ୍ୟକ୍ତି ଓ ଷଡଯନ୍ତ୍ରକାରୀଙ୍କ ମଧ୍ୟରେ ଥିବା ସମ୍ପର୍କକୁ ପ୍ରମାଣିତ କରିବାକୁ ପୁଲିସ ଉଦ୍ୟମ ଚଳାଇଥିବା କୁହାଯାଉଛି। ବିଭିନ୍ନ କ୍ଷେତ୍ରର ୮୦ରୁ ଅଧିକ ଜଣଙ୍କୁ ପୁଲିସ ପଚରାଉଚରା କରିସାରିଛି। ଅନ୍ୟପକ୍ଷରେ ପୀତବାସ ହତ୍ୟାର ତଦନ୍ତ ବେଳେ ବାଲି ଓ ଜମି କାରବାର ସହ ଆଉ କିଛି ଭିନ୍ନ ଧରଣର ଦିଗ ମଧ୍ୟ ପୁଲିସ ସାମ୍ନାକୁ ଆସିଛି।
Powered by Froala Editor