ଅପରେସନ୍ ବ୍ଲୁ ଷ୍ଟାରର ପ୍ରତିଶୋଧ ପୂର୍ବକ ଇନ୍ଦିରାଙ୍କୁ କରାଗଲା ହତ୍ୟା: ପି ଚିଦମ୍ବରମ୍

ନୂଆଦିଲ୍ଲୀ: ପଞ୍ଜାବର ସ୍ବର୍ଣ୍ଣ ମନ୍ଦିରକୁ ଦଖଲ କରିବା ଲାଗି ୧୯୮୪ ମସିହାରେ ଇନ୍ଦିରା ଗାନ୍ଧୀଙ୍କ ନେତୃତ୍ବାଧୀନ ସରକାର ଯେଉଁ ଅଭିଯାନ ‘ଅପରେସନ୍ ବ୍ଲୁ-ଷ୍ଟାର’ କରିଥିଲେ ତାହା ଏକ ଭୁଲ୍ ନିଷ୍ପତ୍ତି ଥିଲା। ଆଉ ଏହି ଭୁଲ୍ ନିଷ୍ପତ୍ତି ପାଇଁ ଇନ୍ଦିରା ଗାନ୍ଧୀଙ୍କୁ ତାଙ୍କ ଜୀବନ ଦେବାକୁ ପଡିଥିଲା ବୋଲି ବରିଷ୍ଠ କଂଗ୍ରେସ ନେତା ପି ଚିଦମ୍ବରମ୍ କହିଛନ୍ତି। ଶନିବାର ଖୁସୱନ୍ତ ସିଂହ ସାହିତ୍ୟ ଉତ୍ସବ ୨୦୨୫ରେ ଯୋଗ ଦେଇ ଚିଦମ୍ବରମ୍ କହିଛନ୍ତି ଯେ ‘ଅପରେସନ୍ ବ୍ଲୁ ଷ୍ଟାର’ ପାଇଁ ସେନା, ପୁଲିସ, ଗୁଇନ୍ଦା ଓ ସାଧାରଣ ପ୍ରଶାସନ ମିଳିତ ଭାବେ ନିଷ୍ପତ୍ତି ନେଇଥିଲେ। ନିଷ୍ପତ୍ତି ଆଧାରରେ ୧୯୮୪ ଜୁନ୍ ୧ରୁ ୧୦ ତାରିଖ ପର୍ଯ୍ୟନ୍ତ ହୋଇଥିବା ସ୍ବର୍ଣ୍ଣ ମନ୍ଦିରରେ ସଶସ୍ତ୍ର ସେନା ପ୍ରବେଶ କରି ଶିଖ ଆତଙ୍କବାଦୀଙ୍କୁ ନିପାତ କରିଥିଲେ। ଜୁନ୍ ୬ରେ ଇନ୍ଦିରା ଗାନ୍ଧୀ ସେନାକୁ ସ୍ବର୍ଣ୍ଣ ମନ୍ଦିରରେ ପ୍ରବେଶ ଲାଗି ନିର୍ଦେଶ ଦେଇଥିଲେ।
ଜର୍ଣ୍ଣେଲ ସିଂହ ଭିନ୍ଦ୍ରନୱାଲେଙ୍କ ନେତୃତ୍ବରେ ଶିଖ୍ ଆତଙ୍କବାଦୀମାନେ ଚଳାଇଥିବା ଆତଙ୍କବାଦକୁ ଦମନ କରିବା ଲାଗି ଇନ୍ଦିରା ଏହି ନିର୍ଦେଶ ଦେଇଥିଲେ। ସ୍ବର୍ଣ୍ଣ ମନ୍ଦିରରେ ଶିଖ ଆତଙ୍କବାଦୀମାନେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଲୁଚାଇ ରଖିଥିଲେ। ଏଠାରେ ଅନେକ ଆତଙ୍କବାଦୀ ଆତ୍ମଗୋପନ କରିଥିଲେ। ‘ଅପରେସନ୍ ବ୍ଲୁ ଷ୍ଟାର’ର କିଛି ମାସ ପରେ ୧୯୮୪ ଅକ୍ଟୋବର ୩୧ରେ ଇନ୍ଦିରା ଗାନ୍ଧୀଙ୍କୁ ହତ୍ୟା କରାଯାଇଥିଲା। ଅପରେସନ୍ ବ୍ଲୁ ଷ୍ଟାରର ପ୍ରତିଶୋଧ ନେବା ପୂର୍ବକ ଇନ୍ଦିରାଙ୍କୁ ତାଙ୍କର ଦୁଇ ଜଣ ଅଙ୍ଗରକ୍ଷୀ ବିୟନ୍ତ ସିଂହ ଓ ସତୱନ୍ତ ସିଂହ ଗୁଳିକରି ହତ୍ୟା କରିଥିଲେ।
ଚିଦମ୍ବରମ୍ଙ୍କ ଆଜିର ଏହି ମନ୍ତବ୍ୟକୁ ନେଇ କଂଗ୍ରେସ ନେତୃବୃନ୍ଦ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। କଂଗ୍ରେସ ନେତା ରସିଦ୍ ଆଲଭି କହିଛନ୍ତି ଯେ ଚିଦମ୍ବରମଙ୍କୁ ଏପରି ମନ୍ତବ୍ୟ ଦେବାକୁ ବାଧ୍ୟ କରାଯାଉଛି। କାରଣ ତାଙ୍କ ବିରୋଧରେ ଅନେକ ମାମଲା ରହିଛି। ମାମଲାରେ ଗିରଫ ହେବାର ଭୟରେ ସେ ଏପରି ଦଳ ବିରୋଧୀ ମନ୍ତବ୍ୟ ଦେଉଛନ୍ତି। ତେବେ କଂଗ୍ରେସ ଦଳ ଠାରୁ ସବୁକିଛି ହାସଲ କରିଥିବା ଚିଦମ୍ବରମ୍ ଏପରି ମନ୍ତବ୍ୟ ଦେବା ସମୟରେ ସତର୍କ ରହିବା ଦରକାର।
Powered by Froala Editor