ଶୀତଳଭଣ୍ଡାରରେ ପଡ଼ିରହିଛି କୃଷି ଇକୋ ଟୁରିଜିମ ଯୋଜନା
କୋରାପୁଟ: ୨୦୨୧ ମସିହାରେ କୋରାପୁଟ ଜିଲାରେ କୃଷି ଇକୋ ଟୁରିଜିମ ପାଇଁ କରାଯାଇଥିବା ଯୋଜନା ଏବେ ମଧ୍ୟ ଶୀତଳଭଣ୍ଡାରରେ ପଡ଼ିଛି। ଏହି ପ୍ରକଳ୍ପ ନିମନ୍ତେ ଜିଲା କୃଷି ବିଭାଗ ପକ୍ଷରୁ ସେମିଳିଗୁଡ଼ାର ଜାନିଗୁଡା ସ୍ଥିତ ମିଶ୍ରିତ କୃଷି ଫାର୍ମରେ ୩୮ ଏକର ଜମିକୁ ଚିହ୍ନଟ କରାଯାଇଥିଲା। କୋରାପୁଟ ଜିଲାର ପର୍ଯ୍ୟଟନ ସମ୍ଭାରକୁ ଆଖି ଆଗରେ ରଖି ପର୍ଯ୍ୟଟକ ଏଠାରେ ରାତି ରହିବା ସହ ବୁଲିବା ପାଇଁ ସେହି ସମୟରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ପରବ-୨୦୨୪ ମହୋତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କୋରାପୁଟ ଜିଲାର ପର୍ଯ୍ୟଟନ ଓ କୃଷିକୁ ସଂଯୋଗ କରି ଏକ କୃଷି ଇକୋ ଟୁରିଜିମ୍ ପ୍ରକଳ୍ପ କୋରାପୁଟ ଜିଲାରେ କରାଯିବ ବୋଲି ମଧ୍ୟ ଘୋଷଣା କରିଥିଲେ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମଧ୍ୟ ଏଥିରେ ସହମତ ପ୍ରକାଶ କରି ଜିଲାରେ ଏକ କୃଷି ଇକୋ ଟୁରିଜିମ୍ କରାଯିବ ବୋଲି ଘୋଷଣା କରିଥିଲେ। ଫଳରେ ୨୦୨୧ ମସିହାର ପ୍ରସ୍ତାବିତ ଏହି ପ୍ରକଳ୍ପ ପୁନର୍ବାର ଉଜ୍ଜୀବିତ ହୋଇଥିଲା।
ଏହି ଜମିରେ କୃଷି ସମ୍ବନ୍ଧୀୟ ବିଭିନ୍ନ ବିଭାଗ ପକ୍ଷରୁ ଏଠାରେ ଉଦ୍ୟାନ, ମତ୍ସ୍ୟ, ପ୍ରାଣୀ ସମ୍ପଦ, କଫି ବୋର୍ଡ ଓ କୃଷି ବିଭାଗ ନିଜ ନିଜର ଉତ୍ପାଦ ପ୍ରସ୍ତୁତ କରିବାର ଯୋଜନା ସହିତ ଶିଶୁ ଉଦ୍ୟାନ, ରାତି ବିତାଇବା ପାଇଁ ଉନ୍ନତମାନର କଟେଜ, ତାଲିମ ହଲ, ହଷ୍ଟେଲ ପାଇଁ ଯୋଜନା କରାଯାଇଥିଲା। ଏହି ମିଶ୍ରିତ କୃଷି ଫାର୍ମରେ ବିସ୍ତୀର୍ଣ୍ଣ ପାହାଡ଼ିଆ ଜମି ରହିଥିବା ଯୋଗୁଁ ଏଠାରେ ଉନ୍ନତମାନର କଫି ଗଛ, ପାଇନ ସହିତ ସିଲଭର ଓକ ଏବଂ ଗୋଲମରିଚ ଗଛ ଲାଗିବ ବୋଲି ମଧ୍ୟ ସିଦ୍ଧାନ୍ତ ହୋଇଥିଲା। ସେହିପରି ଗ୍ରୀନ ହାଉସ, ମହୁ ଚାଷ, ବିଭିନ୍ନ କିସମର ଫୁଲ ବଗିଚା, ପଲି ହାଉସ, ନୂତନ କିସମର ବିଭିନ୍ନ ବିହନ ଉତ୍ପାଦନ ଇତ୍ୟାଦି ପ୍ରସ୍ତାବ ରହିଥିଲା। ପ୍ରାଣୀ ସମ୍ପଦ, ଉଦ୍ୟାନ, କଫି ବୋର୍ଡ, କୃଷି, ମତ୍ସ୍ୟ ବିଭାଗ ପକ୍ଷରୁ ପ୍ରଯୁକ୍ତି ବିଦ୍ୟା ପ୍ରୟୋଗ କରି ସଫଳ ରୂପାୟନ ପର୍ଯ୍ୟଟକଙ୍କୁ ପ୍ରଦର୍ଶନ କରିବାକୁ ମଧ୍ୟ ସ୍ଥିର ହୋଇଥିଲା। ଜିଲାର ପର୍ଯ୍ୟଟନ କ୍ଷେତ୍ର ବିସ୍ତାରିତ ହେବା ସହ ସ୍ଥାନୀୟ ଯୁବକ ଯୁବତୀ କର୍ମନିଯୁକ୍ତି ପାଇପାରନ୍ତେ ଏବଂ ଲୋପ ପାଇଯାଉଥିବା ପଶୁପାଳନ, ଉଦ୍ୟାନ କୃଷି, ମତ୍ସ୍ୟ ଚାଷ ଏବଂ ଚାଷ ସମ୍ପର୍କରେ ପର୍ଯ୍ୟଟକଙ୍କୁ ସଚେତନ କରାଯାଇ ପାରନ୍ତା। ପ୍ରସ୍ତାବିତ କୃଷି ଇକୋ ଟୁରିଜିମ୍ ପ୍ରକଳ୍ପକୁ ସରକାର ଶୀଘ୍ର କାର୍ଯ୍ୟକାରୀ କରିବାକୁ ବିଭିନ୍ନ ମହଲରେ ଦାବି ହୋଇଛି।
Powered by Froala Editor