ଦୁର୍ଗାପୁର ଗଣ ଦୁଷ୍କର୍ମ ଘଟଣା: ପୀଡିତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି

କଲକାତା: ପଶ୍ଚିମବଙ୍ଗର ଦୁର୍ଗାପୁର ସହରରେ ଶୁକ୍ରବାର ବାଲେଶ୍ବର ଜିଲା ଜଳେଶ୍ବର ଅଞ୍ଚଳର ଜଣେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣ ଦୁଷ୍କର୍ମ ଘଟଣାରେ ପଶ୍ଚିମବଙ୍ଗ ପୁଲିସ ରବିବାର ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏମାନେ ହେଲେ ଶେଖ ରିୟାଜୁଦ୍ଦିନ, ଶେଖ ଫିର୍ଦୋସ, ଶେଖ ନସିମୁଦ୍ଦିନ ଏବଂ ଶେଖ୍ ସୋଫିକୁଲ। ଏମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଆସାନସୋଲ-ଦୁର୍ଗାପୁର ଡିସିପି ଅଭିଷେକ ଗୁପ୍ତା ସୂଚନା ଦେଇଛନ୍ତି। ପୀଡିତା ଅନ୍ୟ ରାଜ୍ୟର ବାସିନ୍ଦା ହୋଇଥିଲେ ସୁଦ୍ଧା ତାଙ୍କୁ ଉଚିତ ନ୍ୟାୟ ପ୍ରଦାନ କରାଯିବ ଏବଂ ଦୋଷୀଙ୍କୁ କଠୋର ଦଣ୍ଡରେ ଦଣ୍ଡିତ କରାଯିବ ବୋଲି ସେ କହିଛନ୍ତି।
ପୁଲିସ ଇତିମଧ୍ୟରେ ଆଇକ୍ୟୁ ସିଟି ମେଡିକାଲ କଲେଜର କର୍ମଚାରୀ ଓ ଅନ୍ୟମାନଙ୍କୁ ମଧ୍ୟ ଜେରା କରୁଛି। ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ପୀଡିତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଘଟୁଥିବା ପୁଲିସ କହିଛି। ତେବେ ଏହି ଘଟଣାକୁ ନେଇ ସାମାଜିକ ଗଣମାଧ୍ୟମରେ ଅପପ୍ରଚାର ନ କରିବାକୁ ପୁଲିସ ପକ୍ଷରୁ ଜନସାଧାରଣଙ୍କୁ ନିବେଦନ କରାଯାଇଛି। ଇତିମଧ୍ୟରେ ଜାତୀୟ ମହିଳା କମିସନ (ଏନ୍ସିଡବ୍ଲ୍ୟୁ) ସଦସ୍ୟା ଅର୍ଚ୍ଚନା ମଜୁମଦାର ରବିବାର ଡାକ୍ତରଖାନାରେ ପୀଡିତାଙ୍କୁ ଭେଟିଛନ୍ତି। ପୀଡିତାଙ୍କ ପୁରୁଷ ବନ୍ଧୁଙ୍କୁ ବର୍ତ୍ତମାନ ପୁଲିସ ଜେରା କରୁଛି ବୋଲି ଅର୍ଚ୍ଚନା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ପାଞ୍ଚଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ (ଏଟିଆର) ଦାଖଲ କରିବାକୁ ମହିଳା କମିସନଙ୍କ ପକ୍ଷରୁ ଦୁର୍ଗାପୁର ପୁଲିସକୁ ନିର୍ଦେଶ ଦିଆଯାଇଛି।
ଅପରପକ୍ଷରେ କଲେଜ କର୍ତ୍ତୃପକ୍ଷ ସିସିଟିଭି ଫୁଟେଜ୍କୁ ଅନୁଧ୍ୟାନ କରି ଗଣମାଧ୍ୟମକୁ କହିଛନ୍ତି ଯେ, ପୀଡିତା ଓ ତାଙ୍କର ପୁରୁଷ ବନ୍ଧୁ ଶୁକ୍ରବାର ରାତି ୭ଟା ୫୮ ମିନିଟେର ରାତ୍ରିଭୋଜନ ପାଇଁ କ୍ୟାମ୍ପସ ବାହାରକୁ ଯାଇଥିଲେ। ରାତି ୮ଟା ୪୨ ମିନିଟରେ ସେମାନଙ୍କ ମଧ୍ୟରୁ ଜଣେ ଫେରିଆସି କଲେଜର ମୁଖ୍ୟ ଫାଟକ ନିକଟରେ ୫/୬ ମିନିଟ ବୁଲାବୁଲି କରିଥିଲେ। ୮ଟା ୪୮ରେ ସେ ପୁଣି କ୍ୟାମ୍ପସ ବାହାରକୁ ଯାଇଥିଲେ। ପୀଡିତା ଓ ବନ୍ଧୁ ଜଣକ ରାତି ୯ଟା ୨୯ ମିନିଟରେ କଲେଜ କ୍ୟାମ୍ପସ୍କୁ ଫେରିଥିବାବେଳେ ୯ଟା ୩୧ ମିନିଟରେ ପୀଡିତା ଜଣକ ଛାତ୍ରୀ ନିବାସକୁ ପ୍ରବେଶ କରିଥିଲେ।
Powered by Froala Editor