ଏମିତି ସିନ୍ ଦେଖି ତାତିଲେ ଦର୍ଶକ, ଷ୍ଟେଜ୍କୁ ଫିଙ୍ଗିଲେ ବୋତଲ

ଯେତେବେଳେ ଦର୍ଶକ କୌଣସି ନାଟକକୁ ପସନ୍ଦ କରନ୍ତି ସେମାନେ ତାଳି ମାରନ୍ତି। ବେଳେ ବେଳେ ଅଭିନୟ ଯାଦୁ ଏମିତି ଥାଏ ଏକ ମିଛ କାଳ୍ପନିକ ଘଟଣାକୁ ସତ ମାନିନେଇ ଅଭିନେତା ଅଭିନେତ୍ରୀଙ୍କୁ ଗାଳି ଦିଅନ୍ତି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ କିଆକଟା ଗାଁରେ ।
ଜୀବନ୍ତ ଅଭିନୟକୁ ତାଳି ନୁହେଁ, ବୋତଲ ମାଡ଼ କରି ସାର୍ଟିଫିକେଟ୍ ଦେଇଛନ୍ତି ଦର୍ଶକ । ମାଆ ଆଉ ପୁଅଙ୍କର ଅଭିନୟ ଏତେ ମର୍ମସ୍ପର୍ଶୀ ଥିଲା ଯେ, କୋହ ରୋକି ପାରିନଥିଲେ ଦର୍ଶକ । ମଞ୍ଚ ଅଭିନୟକୁ ସତ ଭାବି ରାଗରେ ନାୟକଙ୍କ ଉପରକୁ ବୋତଲ ଫିଙ୍ଗିଥିଲେ ।
କିଆକଟା ଗାଁରେ ଲକ୍ଷ୍ମୀ ପୂଜା ଅବସରରେ ନାଟକ ଅଧା ରାତିର ସାଥୀ ମଞ୍ଚସ୍ଥ ହେଉଥିଲା । ଏକ ଦୃଶ୍ୟରେ ନାୟକ ପ୍ରରୋଚିତ ହୋଇ ନିଜ ମାଆଙ୍କୁ ବୃଦ୍ଧାଶ୍ରମକୁ ଟାଣିଟାଣି ନେଉଥିଲେ । ଏହି ଅଭିନୟରେ ବିଭୋର ହୋଇ ଏହାକୁ ସତ ମାନିନେଇଥିଲେ ଦର୍ଶକ । ରାଗରେ ନାୟକଙ୍କ ଉପରକୁ ବୋତଲ ଫିଙ୍ଗିବାକୁ ବି ପଛାଇନଥିଲେ । ଭିଡିଓଟି ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି ।
Powered by Froala Editor