ତାଲିବାନ ଶାନ୍ତ ପଡ଼ିଲା, ଆକ୍ରମଣ ବନ୍ଦ

ଶନିବାର ବିଳମ୍ବିତ ରାତିରେ ଆଫଗାନିସ୍ତାନ ପାକିସ୍ତାନ ଉପରେ ଆକ୍ରମଣ କରିଥିଲା। ରାତିସାରା ଚାଲିଥିବା ସୀମାପାର କାର୍ଯ୍ୟାନୁଷ୍ଠାନରେ ଆଫଗାନିସ୍ତାନ ଏବେ ୫୮ ଜଣ ପାକିସ୍ତାନୀ ସୈନିକଙ୍କୁ ହତ୍ୟା କରିଥିବା ଦାବି କରିଛି। ଏହା ସହିତ ତାଲିବାନ ପାକିସ୍ତାନର କେତେକ ସେନା ପୋଷ୍ଟକୁ ଅକ୍ତିଆର କରିନେଇଛି ।
ଏହି ଘଟଣା ପରେ ପାକିସ୍ତାନ ଓ ତାଲିବାନ ମଧ୍ୟରେ ଏକ ବଡ଼ ସଂଘର୍ଷର ଆଶଙ୍କା ବଢିଯାଇଛି । ତେବେ ଦୁଇ ପ୍ରଭାବଶାଳୀ ମୁସଲିମ ରାଷ୍ଟ୍ର ସାଉଦି ଆରବ ଓ କତରର ହସ୍ତକ୍ଷେପ ପରେ ତାଲିବାନ ଶାନ୍ତ ପଡ଼ିଛି ଓ ପାକିସ୍ତାନ ଉପରେ ଆକ୍ରମଣ ବନ୍ଦ କରିଛି ।
ତାଲିବାନ ସରକାରଙ୍କ ମୁଖ୍ୟ ମୁଖପାତ୍ର ଜାବିହୁଲ୍ଲା ମୁଜାହିଦ କହିଛନ୍ତି ଯେ ଆଫଗାନ ସେନା ୨୫ଟି ପାକିସ୍ତାନୀ ସେନା ପୋଷ୍ଟ କବଜା କରିଛି, ୫୮ ଜଣ ପାକିସ୍ତାନୀ ସୈନିକଙ୍କୁ ହତ୍ୟା କରିଛି ଏବଂ ୩୦ ଜଣ ଆହତ ହୋଇଛନ୍ତି। ଶନିବାର ରାତିରେ ଆଫଗାନିସ୍ତାନ ପାକିସ୍ତାନ ଉପରେ ଆକ୍ରମଣ କରିଥିଲା। ପାକିସ୍ତାନ ବିରୁଦ୍ଧରେ ଏହି କାର୍ଯ୍ୟାନୁଷ୍ଠାନ ପରେ, ଆଫଗାନିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ମୌଲବୀ ମହମ୍ମଦ ୟାକୁବ ମୁଜାହିଦ ରବିବାର ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ।
ସେ କହିଥିଲେ, “ଆଫଗାନିସ୍ତାନରେ ସୁରକ୍ଷା ପରିସ୍ଥିତି ବର୍ତ୍ତମାନ ସନ୍ତୋଷଜନକ, କିନ୍ତୁ ପାକିସ୍ତାନୀ ସେନା ଭିତରେ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ଆଫଗାନିସ୍ତାନରେ ସୁରକ୍ଷାକୁ ଦୁର୍ବଳ କରିବା ଏବଂ ଅଶାନ୍ତି ପ୍ରସାର କରିବାକୁ ଚେଷ୍ଟା କରୁଛି।”
ଏହା ପୂର୍ବରୁ ସାଉଦି ଆରବ, କାତାର ଏବଂ ଇରାନ ଏହି ସଂଘର୍ଷ ଉପରେ ଗଭୀର ଚିନ୍ତା ପ୍ରକାଶ କରିଥିଲେ ଏବଂ ଉଭୟ ପକ୍ଷକୁ "ସଂଯମ, ଆଲୋଚନା ଏବଂ ବୁଝାମଣା" ପାଇଁ ନିବେଦନ କରିଥିଲେ।
Powered by Froala Editor