ଚୀନ ଉପରେ ଅତିରିକ୍ତ ୧୦୦% ଶୁଳ୍କ ଲଗାଇଲା ଆମେରିକା

ଚୀନର ସମସ୍ତ ଆମଦାନି ଉପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୧୦୦ ପ୍ରତିଶତ ଅତିରିକ୍ତ ଶୁଳ୍କ ଲଗାଇବାକୁ ଘୋଷଣା କରିଛନ୍ତି। ଟ୍ରମ୍ପ କହିଛନ୍ତି ଯେ ମୂଲ୍ୟବାନ ବିରଳ ଖଣିଜ ପଦାର୍ଥ ପାଇଁ ବେଜିଂ ପକ୍ଷରୁ କରାଯାଇଥିବା ନୂତନ ରପ୍ତାନି ନିୟନ୍ତ୍ରଣର ପ୍ରତିଶୋଧ ସ୍ୱରୂପ ଆମେରିକା ଆସନ୍ତା ନଭେମ୍ବର ମାସରୁ ଚୀନରୁ ଆମଦାନୀ ଉପରେ ଅତିରିକ୍ତ ୧୦୦% ଶୁଳ୍କ ଲାଗୁ କରିବ।
ଏଥିସହିତ ଆମେରିକାରେ ନିର୍ମାଣ ହେଉଥିବା ଗୁରୁତ୍ବପୂର୍ଣ୍ଣ ସଫ୍ଟୱେର ଚୀନକୁ ରପ୍ତାନି ଉପରେ କଟକଣା ଲଗାଇଛନ୍ତି। ଆସନ୍ତା ନଭେମ୍ବର ୧ରୁ ଏହା କାର୍ଯ୍ୟକାରୀ ହେବ। ଟ୍ରମ୍ପଙ୍କ ଏହି ଘୋଷଣା ପରେ ବିଶ୍ବର ସବୁଠୁ ବଡ଼ ଦୁଇଟି ଅର୍ଥନୀତି ମଧ୍ୟରେ ବାଣିଜ୍ୟ ଲଢ଼େଇ ଆଗାମୀ ଦିନରେ ଅଧିକ ତୀବ୍ରତର ହେବ ବୋଲି ଆଶଙ୍କା କରାଯାଉଛି। ଟ୍ରମ୍ପଙ୍କ ଦ୍ବାରା ନୂଆକରି ଘୋଷଣା କରାଯାଇଥିବା ଶୁଳ୍କ ଲାଗୁ ହେଲେ ଚୀନ ଉପରେ ଆମେରିକାର ଶୁଳ୍କ ପ୍ରାୟ ୧୩୦ ପ୍ରତିଶତ ସ୍ତରରେ ପହଞ୍ଚିବ।
ଅନ୍ୟପକ୍ଷରେ ଶ୍ରୀ ଟ୍ରମ୍ପ କହିଛନ୍ତି, ଯଦି ଚୀନ୍ ଏହାର ରପ୍ତାନି ନିୟନ୍ତ୍ରଣକୁ ପ୍ରତ୍ୟାହାର କରେ ତେବେ ସେ ଶୁଳ୍କ ପ୍ରତ୍ୟାହାର କରିପାରିବେ। ପୂର୍ବ ଏକ ପୋଷ୍ଟରେ, ରାଷ୍ଟ୍ରପତି ଟ୍ରମ୍ପ ଏହି ସପ୍ତାହରେ ବେଜିଂର ବିରଳ ଖଣିଜ ପଦାର୍ଥ ରପ୍ତାନି ପାଇଁ ନିୟମ କଠୋର କରିବା ନୀତିକୁ ସମାଲୋଚନା କରି କହିଥିଲେ, ଚୀନ ବିଶ୍ୱକୁ ବନ୍ଦୀ କରି ରଖିବାକୁ ଚେଷ୍ଟା କରୁଛି।
Powered by Froala Editor