କୃଷି ଏବଂ ଆନୁଷଙ୍ଗିକ କାର୍ଯ୍ୟ କେବଳ ଓଡିଶାର ନୁହେଁ, ସାରା ଦେଶର ପ୍ରମୁଖ ଜୀବିକା: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର:ଆଜି ଓୟୁଏଟି ସ୍ଥିତ କୃଷି ଶିକ୍ଷା ସଦନ ଠାରେ ପ୍ରଧାନମନ୍ତ୍ରୀ ଧନ-ଧାନ୍ୟ କୃଷି ଯୋଜନା ଏବଂ ଡାଲି ଜାତୀୟ ଫସଲରେ ଆତ୍ମନିର୍ଭରତା ମିଶନର ଶୁଭାରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ଵାରା ଦେଶର ୧୦୦ଟି ଜିଲ୍ଲାରେ ଏହି ଯୋଜନା ଆରମ୍ଭ କରାଯାଇଛି। ଏଥିସହିତ ରାଜ୍ୟର କନ୍ଧମାଳ, ମାଲକାନଗିରି, ସୁନ୍ଦରଗଡ ଓ ନୂଆପଡ଼ା ଜିଲ୍ଲାରେ ମଧ୍ୟ ଆଜି ଠାରୁ ପ୍ରଧାନମନ୍ତ୍ରୀ ଧନ-ଧାନ୍ୟ କୃଷି ଯୋଜନା କାର୍ଯ୍ୟକାରୀ କରାଗଲା । ଏହି ଯୋଜନାରେ ସାରା ଦେଶରେ ଆସନ୍ତା ୬ ବର୍ଷ ପାଇଁ ବର୍ଷକୁ ୨୪ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ଏବଂ ଦେଶର ୧.୭ କୋଟି କୃଷକ ଉପକୃତ ହେବେ ।
ଆଜି ପ୍ରଧାନମନ୍ତ୍ରୀ ସମ୍ୱଲପୁରର ବସନ୍ତପୁର ଠାରେ ୧୦୦ କୋଟି ଟଙ୍କା ବିନିଯୋଗରେ ଏକ ଅତ୍ୟାଧୁନିକ ସମନ୍ୱିତ ଆକ୍ୱା ପାର୍କ ଏବଂ ଭୁବନେଶ୍ୱରର ପାଣ୍ଡରା ଠାରେ ପ୍ରାୟ ୬୦ କୋଟି ଟଙ୍କାରେ ଅତ୍ୟାଧୁନିକ ମାଛ ମାର୍କେଟ ପାଇଁ ଭିତ୍ତିପ୍ରସ୍ତର ମଧ୍ୟ ସ୍ଥାପନ କରିଛନ୍ତି । ତେବେ ଏହି କାର୍ଯ୍ୟକ୍ରମରେ ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, କୃଷି ଏବଂ ଆନୁଷଙ୍ଗିକ କାର୍ଯ୍ୟ କେବଳ ଓଡିଶାର ନୁହେଁ, ସାରା ଦେଶର ପ୍ରମୁଖ ଜୀବିକା । ଗତ ୧୧ ବର୍ଷ ଭିତରେ ଆମ ଦେଶ ଅନେକ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହୋଇପାରିଛି ।
ଭୁବନେଶ୍ୱରର ପାଣ୍ଡରା ହୋଲସେଲ୍ ମାଛ ମାର୍କେଟ ପ୍ରକଳ୍ପ ଭୁବନେଶ୍ୱରର କେନ୍ଦ୍ରସ୍ଥଳରେ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ । ୫୯ କୋଟି ୧୩ ଲକ୍ଷ ଟଙ୍କା ବିନିଯୋଗରେ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା ଅଧୀନରେ ଏହା ନିର୍ମିତ ହେବ। ଏଥିରେ ୩୦ କୋଟି ଟଙ୍କା କେନ୍ଦ୍ର ସରକାର ଓ ୨୯ କୋଟି ୧୩ ଲକ୍ଷ ଟଙ୍କା ରାଜ୍ୟ ସରକାର ଖର୍ଚ୍ଚ କରିବେ । ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗ ଏବଂ ଭୁବନେଶ୍ୱର ମହାନଗର ନିଗମର ମିଳିତ ସହଯୋଗରେ କାର୍ଯ୍ୟକାରୀ ହେଉଥିବା ଏହି ମାର୍କେଟ ସିଧାସଳଖ ଭାବରେ ୧୪୩ ବ୍ୟବସାୟୀଙ୍କୁ ଉପକୃତ କରାଇବ ଓ ୨,୦୦୦ରୁ ଅଧିକ ଲୋକଙ୍କ ପାଇଁ ପରୋକ୍ଷ ରୋଜଗାର ମଧ୍ୟ ସୃଷ୍ଟି ହେବ । ଭୁବନେଶ୍ୱର ଓ କଟକର ଖାଉଟିମାନଙ୍କ ଚାହିଦାକୁ ପୂରଣ କରିବ । ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ ଭୁବନେଶ୍ୱର ମହାନଗର ନିଗମ ସହିତ ବୁଝାମଣାପତ୍ର ସ୍ଵାକ୍ଷରିତ ହୋଇଛି ଏବଂ ପ୍ରକଳ୍ପ କାର୍ଯ୍ୟ ୨୦୨୭ ନଭେମ୍ବର ମାସ ସୁଦ୍ଧା ସମ୍ପୂର୍ଣ୍ଣ ହେବ। ଇଣ୍ଟିଗ୍ରେଟେଡ୍ ଆକ୍ୱା ପାର୍କ ଏବଂ ହୋଲସେଲ୍ ମାଛ ବିକ୍ରୟ କେନ୍ଦ୍ର- ଏହି ଦୁଇଟି ପ୍ରକଳ୍ପ ମିଶି ପ୍ରଥମେ ଉତ୍ପାଦନ ପରେ ପ୍ରସ୍ତୁତି ଓ ବିପଣନ ପର୍ଯ୍ୟନ୍ତ ଏକ ଭାଲ୍ୟୁ ଚେନ୍ ସୃଷ୍ଟି କରିବ । ଭାରତର ନୀଳ ବିପ୍ଲବ ରେ ଅଗ୍ରଣୀ ରାଜ୍ୟ ଭାବେ ଓଡିଶା ସ୍ଥାନ ପାଇବ ବୋଲି ସେ କହିଥିଲେ।
ଉକ୍ତ କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ , ସୁନ୍ଦରଗଡ଼ ବିଶ୍ରାରୁ ଆଭାସୀ ମାଧ୍ୟମରେ କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଉପସ୍ଥିତ ଥିବାବେଳେ, କୃଷି ଶିକ୍ଷା ସଦନ ଠାରେ ଭୁବନେଶ୍ୱର ମହାନଗର ନିଗମ ମେୟର ସୁଲୋଚନା ଦାସ, ଓୟୁଏଟି କୁଳପତି ଡଃ ପ୍ରଭାତ କୁମାର ରାଉଳ, ସମବାୟ ବିଭାଗ କମିଶନର ତଥା ଶାସନ ସଚିବ ରାଜେଶ ପ୍ରଭାକର ପାଟିଲ, ଖୋର୍ଦ୍ଧା ଜିଲ୍ଲାପାଳ ଅମ୍ରିତ ଋତୁରାଜ, ବିଏମ୍ସି କମିଶନର ଚଞ୍ଚଳ ରାଣା ପ୍ରମୁଖ ମଂଚାସୀନ ଥିଲେ। କାର୍ଯ୍ୟକ୍ରମରେ କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଅରବିନ୍ଦ ପାଢ଼ୀ ସ୍ୱାଗତ ଭାଷଣ ଦେଇଥିବା ବେଳେ ମତ୍ସ୍ୟ ବିଭାଗ ନିର୍ଦ୍ଦେଶକ, ମହମ୍ମଦ ସାଦିକ୍ ଆଲାମ୍ ଧନ୍ୟବାଦ ଦେଇଥିଲେ।
Powered by Froala Editor