ଫାଟିଲା ୨୦୦ ସିଲିଣ୍ଡର, ତରଳିଗଲା ଟ୍ରକ୍

ମଙ୍ଗଳବାର ବିଳମ୍ବିତ ରାତିରେ ରାଜସ୍ଥାନର ଜୟପୁର-ଆଜମେର ରାଜପଥରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏଲପିଜି ସିଲିଣ୍ଡର ବୋଝେଇ ଏକ ଟ୍ରକ୍ ଧକ୍କା ପରେ ହୁତୁହୁତୁ ହୋଇ ଜଳିଗଲା । ପାଖାପାଖି ୩ ଘଣ୍ଟା ଧରି ଲାଗି ରହିଥିଲା ବିସ୍ଫୋରଣ । ୨୦୦ ସିଲିଣ୍ଡର ଗୋଟିଏ ପରେ ଗୋଟିଏ ଫାଟି ଟ୍ରକ୍ଟି ସମ୍ପୂର୍ଣ୍ଣ ତରଳିଗଲା। ଏହି ଭୟଙ୍କର ଦୁର୍ଘଟଣାର ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିଛି ।
ଜାତୀୟ ରାଜପଥରେ ଏଲପିଜି ସିଲିଣ୍ଡର ବୋଝେଇ ଟ୍ରକ୍ ଏକ ଟ୍ୟାଙ୍କର ସହିତ ଧକ୍କା ଖାଇବା ପରେ ଟ୍ରକ୍ ନିଆଁ ପୁଣ୍ଡୁଳାରେ ପରିଣତ ହୋଇଥିଲା। ଧକ୍କା ଏତେ ଭୟଙ୍କର ଥିଲା ଯେ, ଟ୍ରକ୍ରେ ନିଆଁ ଲାଗିଯିବା ସହ ସେଥିରେ ଥିବା ଗୋଟିଏ ପରେ ଗୋଟିଏ ୨୦୦ସିଲିଣ୍ଡର ଫାଟିଥିଲା। ଏହାର ଶବ୍ଦ ଅନେକ କିଲୋମିଟର ଦୂର ପର୍ଯ୍ୟନ୍ତ ଶୁଭିଥିଲା ବୋଲି କୁହାଯାଉଛି। ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ଏବଂ ଅନ୍ୟ ଦୁଇଜଣ ଆହତ ହୋଇଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ଟ୍ରକ୍ରେ ନିଆଁ ଲାଗିବା ପରେ ସିଲିଣ୍ଡର ବିସ୍ଫୋରଣ ଜାରି ରହିଥିଲା। ବିସ୍ଫୋରଣ ନିକଟରେ ଥିବା ଲୋକଙ୍କ ମଧ୍ୟରେ ଏହାକୁ ନେଇ ଆତଙ୍କ ସୃଷ୍ଟି କରିଥିଲା। ଅନେକ ଅଗ୍ନିଶମ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଯଥେଷ୍ଟ ପ୍ରୟାସ କରିବା ପରେ ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଥିଲା।
କିଛି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ, ଜାତୀୟ ରାଜପଥରେ ଆରଟିଓ ଅଧିକାରୀ ଯାଞ୍ଚ କରୁଥିଲେ। ଏହି ଯାଞ୍ଚରୁ ବଞ୍ଚିବା ପାଇଁ ଟ୍ୟାଙ୍କର୍ ଡ୍ରାଇଭର ହଠାତ୍ ଏକ ଢାବା ଆଡକୁ ଗାଡ଼ି ମୋଡ଼ିଥିଲେ। ଏହି ସମୟରେ ଟ୍ୟାଙ୍କର୍ଟି ସିଲିଣ୍ଡର ବୋଝେଇ ଟ୍ରକ୍ ସହିତ ଧକ୍କା ଖାଇଥିଲା, ଯାହା ଫଳରେ ଏହି ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଥିଲା।
Powered by Froala Editor