ହନୁମାନଙ୍କୁ ଏମିତି କହିଲେ ଆମେରିକାର ରିପବ୍ଲିକାନ୍ ନେତା
ନୂଆଦିଲ୍ଲୀ: ଆମେରିକାର ଜଣେ ରିପବ୍ଲିକାନ୍ ନେତା ଭଗବାନ ହନୁମାନଙ୍କୁ ହିନ୍ଦୁମାନଙ୍କ ମିଛ ଦେବତା ବୋଲି କହି ବିବାଦ ସୃଷ୍ଟି କରିଛନ୍ତି। ଏଥିସହିତ ଆମେରିକା ଏକ ଖ୍ରୀଷ୍ଟିଆନ୍ ରାଷ୍ଟ୍ର ବୋଲି ସେ ଘୋଷଣା କରିଛନ୍ତି। ତାଙ୍କର ଏଭଳି ମନ୍ତବ୍ୟକୁ ବିଭିନ୍ନ ସମ୍ପ୍ରଦାୟ ଏବଂ ଇଣ୍ଟରନେଟ୍ ୟୁଜରମାନେ କଡ଼ା ସମାଲୋଚନା କରିଛନ୍ତି। ରିପବ୍ଲିକାନ୍ ନେତା ଆଲେକ୍ଜାଣ୍ଡାର ଡୁନ୍କାନ୍ ଟେକ୍ସାସରେ ଥିବା ହନୁମାନଙ୍କ ୯୦ ଫୁଟ୍ ଉଚ୍ଚ ପ୍ରତିମୂର୍ତ୍ତିର ଭିଡିଓକୁ ଗତ ସପ୍ତାହରେ ସୋସିଆଲ ମିଡିଆରେ ଶେୟାର କରିଥିଲେ। ସେ ଲେଖିଥିଲେ, ଟେକ୍ସାସରେ ଆମେ ଏକ ମିଛ ହିନ୍ଦୁ ଦେବତାଙ୍କ ମିଛ ପ୍ରତିମୂର୍ତ୍ତିକୁ ଅନୁମତି ଦେଉଛେ କାହିଁକି? ତାଙ୍କର ଏଭଳି ମନ୍ତବ୍ୟର ଦୃଢ଼ ଜବାବ ଦେଇଛି ହିନ୍ଦୁ ଆମେରିକାନ୍ ଫାଉଣ୍ଡେଶନ (ଏଚ୍ଏଏଫ୍)। ଟେକ୍ସାସ୍ର ରିପବ୍ଲିକାନ୍ ସିନେଟ୍ ପ୍ରାର୍ଥୀ ହିନ୍ଦୁ ବିରୋଧୀ ଘୃଣା ପ୍ରସାର କରୁଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଏଚ୍ଏଏଫ୍ ଦାବି କରିଛି।
ଇଣ୍ଟରନେଟ୍ ୟୁଜର ଡୁନ୍କାନ୍ଙ୍କ ମନ୍ତବ୍ୟକୁ ସମାଲୋଚନା କରି ଲେଖିଛନ୍ତି, ଆପଣ ହିନ୍ଦୁ ନୁହନ୍ତି ଅର୍ଥ ନୁହେଁ ଏହାକୁ ମିଛ ବୋଲି କହିବେ। ପୃଥିବୀକୁ ଯିଶୁ ଆସିବାର ୨୦୦୦ ବର୍ଷ ପୂର୍ବରୁ ବେଦ ଲେଖାଯାଇଥିଲା। ତେଣୁ ପୂର୍ବରୁ ଲୋକଙ୍କୁ ପ୍ରଭାବିତ କରିଥିବା ଧର୍ମର ସମ୍ମାନ କରାଯିବା ଆବଶ୍ୟକ। ହନୁମାନ ପ୍ରତିମୂର୍ତ୍ତି କାହାକୁ ଧର୍ମ ଗ୍ରହଣ କରିବା ପାଇଁ ବାଧ୍ୟ କରୁନାହିଁ ବୋଲି ଅନ୍ୟ ଜଣେ ଲେଖିଛନ୍ତି।
Powered by Froala Editor