ପଞ୍ଚାୟତ ନିର୍ବାଚନ: ଭୋଟ ପରେ ବ୍ଲକ ଅଫସି ଯିବ ବାଲାଟ ବାକ୍ସ
ଭୁବନେଶ୍ୱର: ଆଗାମୀ ପଞ୍ଚାୟତ ନିର୍ବାଚନରେ ଆଉ ବୁଥରେ ହେବନି ଭୋଟ ଗଣତି । ଭୋଟ ସରିବା ପରେ ସବୁ ବାଲାଟ ବାକ୍ସ ଯିବ ବ୍ଲକ ଅଫିସକୁ । ଆଉ ନିର୍ଦ୍ଧାରିତ ଦିନରେ ବ୍ଲକ ଅଫିସରେ ହେବ ଭୋଟ ଗଣତି । ଏଭଳି ପ୍ରସ୍ତାବ ଉପରେ ବିଚାର ବିମର୍ଷ ଚଳାଇଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ । ଏଥିପାଇଁ ବାଲାଟ ବାକ୍ସ ସଂଖ୍ୟା ବଢ଼ାଇବା ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି । ରାଜ୍ୟ ନିର୍ବାଚନ ଆୟୋଗ ସଚିବ ରବୀନ୍ଦ୍ର ନାଥ ସାହୁଙ୍କ କହିବାନୁସାରେ, ଏଭଳି ପ୍ରସ୍ତାବ ଉପରେ ବିଚାର କରାଯାଉଛି । ଏଭଳି ବ୍ୟବସ୍ଥା ହେଲେ ପୂର୍ବାପେକ୍ଷା ଅଧିକ ବାଲାଟ ବାକ୍ସ ଆବଶ୍ୟକ ହେବ । ତେଣୁ ସମସ୍ତ ଜିଲ୍ଲା ପ୍ରଶାସନ ପାଖରେ ମହଜୁଦ ଥିବା ବାଲାଟ ବାକ୍ସ ପ୍ରସ୍ତୁତ ରଖିବାକୁ ନିଦେ୍ର୍ଧଶ ଦିଆଯାଇଛି । ଆଗାମୀ ପଞ୍ଚାୟତ ନିର୍ବାଚନ ଭୋଟ ପାଇଁ ରାଜ୍ୟ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟରୁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖାଯାଇଛି । ଚିଠିରେ କୁହାଯାଇଛି, ଜିଲ୍ଲା ପ୍ରଶାସନକୁ ଦିଆଯାଇଥିବା ବାଲାଟ ବାକ୍ସଗୁଡ଼ିକର ଅବସ୍ଥା କେମିତି ଅଛି? ଏ ବାବଦରେ ଶୀଘ୍ର ଅନୁଧ୍ୟାନ କରାଯାଉ । କେତେ ବାଲାଟ ବାକ୍ସ ଅବସ୍ଥା ଭଲ ଅଛି? କେତେ ସଂଖ୍ୟାରେ ବାଲାଟ ବାକ୍ସ ମରାମତି କରିବାକୁ ହେବ? ଆଉ କେତେକ ସଂଖ୍ୟକ ବାଲାଟ ବାକ୍ସ ସମ୍ପୂର୍ଣ୍ଣ ନଷ୍ଟ ହୋଇଛି? ଏ ବାବଦରେ ଅନୁଧ୍ୟାନ କରି ଆସନ୍ତା ୨୬ ତାରିଖ ସୁଦ୍ଧା ବାଲାଟ ବାକ୍ସ ଅବସ୍ଥା ଓ ସଂଖ୍ୟା ବାବଦରେ ରାଜ୍ୟ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟକୁ ଜଣାଇବାକୁ ହେବ । ୧୯୯୬ ଏହି ବାଲାଟ ବାକ୍ସ ପ୍ରସ୍ତୁତ ହୋଇଥିବା ବେଳେ କେତେକ କଳଙ୍କି ଲାଗିବା କିମ୍ବା ନଷ୍ଟ ହୋଇଯିବା ଆଶଙ୍କା ରହିଛି । ଜିଲ୍ଲା ପ୍ରଶାସନରୁ ରିପୋର୍ଟ ପାଇବା ପରେ ଯେତିକି ବାଲାଟ ବାକ୍ସର ମରାମତି ଦରକାର ତାହା କରାଯିବ । ଯେତିକି ଆବଶ୍ୟକ ହେବ, ସେତିକି ନୂଆ ବାଲାଟ ବାକ୍ସ ପ୍ରସ୍ତୁତ କରାଯିବ ।
Powered by Froala Editor