ଜିଏସ୍ଟି ସଂଶୋଧନ ପରେ ବିବାଦ ଆରମ୍ଭ, କ୍ଷତି ଭରଣା କିପରି କରିବେ ବ୍ୟବସାୟୀ ଚିନ୍ତାରେ
ଭୁବନେଶ୍ୱର: କେନ୍ଦ୍ର ସରକାର ଜିଏସ୍ଟି ସଂଶୋଧନ କରିବା ପରେ ଆରମ୍ଭ ହୋଇଛି ବିବାଦ। ପୁରୁଣା ସାମଗ୍ରୀ କମ୍ ମୂଲ୍ୟରେ ବିକ୍ରି ପାଇଁ ଗ୍ରାହକ ଜିଦ୍ ଧରୁଥିବାବେଳେ ସରକାର ଟିକସ କ୍ଷତି ଭରଣା କିପରି କରିବେ ତାକୁ ନେଇ ବ୍ୟବସାୟୀ ଚିନ୍ତାରେ। ଏପଟେ ରାଜ୍ୟ ଯୋଗାଣ ମନ୍ତ୍ରୀ କହିଛନ୍ତି, ପୁରୁଣା ସାମଗ୍ରୀ ଉପରେ ହ୍ରାସ ପାଇଥିବା ମୂଲ୍ୟ ଲେଖିବା ଜରୁରୀ। ବଜାରରେ କ’ଣ ଚାଲିଛି ତା’ ଉପରେ ପ୍ରଶାସନର ନିଘା ନାହିଁ। କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ସାରା ଦେଶ ପାଇଁ ସଂଶୋଧିତ ଜିଏସ୍ଟି ଲାଗୁ କରିଛନ୍ତି। ଟିକସ ହ୍ରାସ ପାଇବା ସହିତ ଖାଉଟି ସାମଗ୍ରୀର ମୂଲ୍ୟ ହ୍ରାସ ପାଇଛି। କିନ୍ତୁ ସମସ୍ୟା ହେଉଛି ପୂର୍ବରୁ ଗଚ୍ଛିତ ଥିବା ସାମଗ୍ରୀ। ପୂର୍ବରୁ ଗଚ୍ଛିତ ଥିବା, ଆମଦାନୀ କିମ୍ବା ପ୍ୟାେକଜିଂ ହୋଇଥିବା ସାମଗ୍ରୀକୁ ସର୍ବନିମ୍ନ ଖାଉଟି ମୂଲ୍ୟ (ଏମ୍ଆରପି)ଠାରୁ କମ୍ ମୂଲ୍ୟରେ ବିକ୍ରି କରିବାକୁ ହେବ। ଏ ନେଇ ଦୁଇ ଦିନ ତଳେ ଭାରତ ସରକାର ରାଜ୍ୟ ସରକାରଙ୍କୁ ପତ୍ର ଲେଖି ନିର୍ଦେଶ ଦେଇଛନ୍ତି ଯେ ପ୍ରତ୍ୟେକ କମ୍ପାନୀ ପୁରୁଣା ସାମଗ୍ରୀ ଉପରେ ହ୍ରାସ ପାଇଥିବା ମୂଲ୍ୟ ଉଲ୍ଲେଖ କରିବା ବାଧ୍ୟତାମୂଳକ।
ରବିବାର ରାଜ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, କେନ୍ଦ୍ର ସରକାରଙ୍କ ନିର୍ଦେଶ ପାଳନ କରାଯିବ। ପ୍ରତ୍ୟେକ ଉତ୍ପାଦକ, କମ୍ପାନୀ, ବିତରକ, ଆମଦାନୀକାରୀ ନିଜ ସାମଗ୍ରୀ ଉପରେ ପୁରୁଣା ମୂଲ୍ୟ ଏବଂ ନୂଆ ମୂଲ୍ୟ ଲେଖିବା ଜରୁରୀ। ସରକାର ୧୨% ଓ ୨୮% ଜିଏସ୍ଟିକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରି ୫% ଓ ୧୮% ଜିଏସ୍ଟି ଲାଗୁ କରାଯାଇଛି। ଅନେକ ସାମଗ୍ରୀ ଉପରେ ଜିଏସ୍ଟି ସମ୍ପୂର୍ଣ୍ଣ ଛାଡ଼ କରାଯାଇଛି। ଏହି ନିଷ୍ପତ୍ତି ବ୍ୟବସାୟୀଙ୍କ ଲାଭ କ୍ଷତି ପାଇଁ ନୁହେଁ, ସାଧାରଣ ଖାଉଟିଙ୍କ ହିତ ପାଇଁ ସରକାର ନେଇଛନ୍ତି। ସଂଶୋଧିତ ମୂଲ୍ୟରେ ପୁରୁଣା ସାମଗ୍ରୀ ବିକ୍ରି କରିବା ଜରୁରୀ ବୋଲି ମନ୍ତ୍ରୀ କହିଛନ୍ତି। ଏଥିରେ ବ୍ୟବସାୟୀ ମହାସଂଘ ସହମତ ହୋଇନାହିଁ।
ଜିଏସ୍ଟି ସଂଶୋଧନ ହେବା ପରେ ବହୁ ସାମଗ୍ରୀର ମୂଲ୍ୟ ହ୍ରାସ ପାଇଛି। ଫଳରେ ଲୋକେ କମ୍ ମୂଲ୍ୟରେ ସାମଗ୍ରୀ ଦେବା ପାଇଁ ବ୍ୟବସାୟୀଙ୍କ ଉପରେ ଚାପ ପକାଉଛନ୍ତି। ଅନେକ ସ୍ଥାନରେ ଛୋଟ ବ୍ୟବସାୟୀ ଏବଂ ଗ୍ରାହକ ଏହାକୁ ନେଇ ମୁହଁାମୁହିଁ ହେଉଥିବା ଦେଖାଯାଇଛି। ଏପରିକି ଅନେକ ବଡ଼ ବଡ଼ ବ୍ୟବସାୟ ପ୍ରତିଷ୍ଠାନରେ ପୂର୍ବ ଜିଏସ୍ଟି ଅନୁସାରେ ସାମଗ୍ରୀ ବିକ୍ରି ହେଉଥିବା ଅଭିଯୋଗ ଆସୁଛି।
Powered by Froala Editor