ରାଜ୍ୟର ୭ ସହରର ମୁଖ୍ୟ ରାସ୍ତାରେ ଖୋଲିବ ୩୦୦ ଇଭି ଚାର୍ଜିଂ ଷ୍ଟେସନ
ଭୁବନେଶ୍ବର: ୨୦୨୫ ସୁଦ୍ଧା ରାଜ୍ୟରେ ୨୦ % ବିଦ୍ୟୁତ୍ଚାଳିତ ଯାନ (ଇଭି) ପଞ୍ଜୀକରଣ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା, କିନ୍ତୁ ମାତ୍ର ୯% ଇଭି ପଞ୍ଜିକୃତ ହୋଇଛି। ପର୍ଯ୍ୟାପ୍ତ ଚାର୍ଜିଂ ଷ୍ଟେସନ ନାହିଁ। ଏବେ ଇଭି ବିପ୍ଳବକୁ ବଳ ଦେବ ପାଇଁ ପରିବହନ ବିଭାଗ ଆଣିବାକୁ ଯାଉଛି ନୂଆ ଇଭି ନୀତି ୨୦୨୫। ପ୍ରସ୍ତାବିତ ନୀତିରେ ଅନେକ ସଂଶୋଧନ କରାଯିବା ସହ କିଛି ନୂଆ ପଦକ୍ଷେପ ନିଆଯାଇଛି। ୨୦୩୦ ସୁଦ୍ଧା ଇଭି ପଞ୍ଜୀକରଣ ୫୦% ରେ ପହଞ୍ଚାଇବା ଲକ୍ଷ୍ୟ ରଖାଯାଇଛି।
ପ୍ରସ୍ତାବିତ ଇଭି ନୀତି ଅନୁସାରେ ଇଭି ସମ୍ପର୍କିତ ସମସ୍ୟାର ସମାଧାନ ପାଇଁ ସରକାର ଏକ ଅଭିଯୋଗ କେନ୍ଦ୍ର ଖୋଲିବେ। ଇଭି କମ୍ପାନୀ ଅଭିଯୋଗ ନ ଶୁଣିଲେ ସରକାର ହସ୍ତକ୍ଷେପ କରିବେ। ରାଜ୍ୟର ୭ ସହରର ମୁଖ୍ୟ ରାସ୍ତାରେ ୩୦୦ ଇଭି ଚାର୍ଜିଂ ଷ୍ଟେସନ ଖୋଲାଯିବ। ପ୍ରତି ଇଭି ଚାର୍ଜିଂ ଷ୍ଟେସନ ପାଇଁ ସରକାର ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରିଆତି ପ୍ରଦାନ କରିବେ। ବ୍ୟାଟେରି ସ୍ବାପିଂ ଷ୍ଟେସନ ସ୍ଥାପନ ପାଇଁ ୨ ଲକ୍ଷ ଟଙ୍କା ରିଆତି ଦିଆଯିବ। ଏଥିସହ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ ସହାୟତାରେ ମଧ୍ୟ ଇଭି ଚାର୍ଜିଂ ଷ୍ଟେସନ ଖୋଲାଯିବ। ସରକାରଙ୍କ ଇଭି ରିଆତି ପାଇବାକୁ ହେଲେ ଓଡ଼ିଶାର ସ୍ଥାୟୀ ବାସିନ୍ଦା ହୋଇଥିବା ଜରୁରୀ। ୫ ବର୍ଷ ପର୍ଯ୍ୟନ୍ତ ବାଣିଜ୍ୟିକ ଇଭିର ମାଲିକାନା ପରିବର୍ତ୍ତନ କରାଯାଇ ପାରିବ ନାହିଁ। ସାଧାରଣ ଯାନକୁ ଇଭିରେ ରୂପାନ୍ତରିତ କରିବା ପାଇଁ ଅନୁମତିପ୍ରାପ୍ତ କେନ୍ଦ୍ର ଖୋଲାଯିବ। ଘରୋଇ ଶିକ୍ଷାନୁଷ୍ଠାନ ଓ ବ୍ୟବସାୟ କେନ୍ଦ୍ରକୁ ଇଭି ବ୍ୟବହାର ପାଇଁ କୁହାଯିବ।
Powered by Froala Editor